Home General ଗାଡି ରଖିବାକୁ ଜାଗା ନାହିଁ

ଗାଡି ରଖିବାକୁ ଜାଗା ନାହିଁ

ଭୁବନେଶ୍ୱର : ଟ୍ରାଫିକ ପୁଲିସ୍‍ ଏବେ ରାଜଧାନୀ ରାସ୍ତାରେ ଗାଡି ରଖିବା ଉପରେ କଡା କଟକଣା ଲଗାଉଥିବାବେଳେ ଲୋକେ ଗାଡି କେଉଁଠି ରଖିବେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଶେଷକରି ଯେଉଁମାନେ ବିଭିନ୍ନ ସାମଗ୍ରୀ ଖରିଦ ପାଇଁ ହାଟ ଓ ଦୋକାନ ଆଦିକୁ ଯାଉଛନ୍ତି ନିକଟରେ ପାର୍କିଂ ବ୍ୟବସ୍ଥା ନଥିବାରୁ ସେମାନେ ହିଁ ସମସ୍ୟାରେ ପଡୁଛନ୍ତି ।

ସହରର ଚାରିଆଡେ ଗାଡି ପାର୍କିଂକୁ ନେଇ ଏଭଳି ବିଚିତ୍ର ସ୍ଥିତି ପରିଲକ୍ଷିତ ହୋଇଥିବାବେଳେ ସବୁଠାରୁ ଉକ୍ରଟ ସମସ୍ୟା ହେଉଛି ଜନପଥରେ । ବିଶେଷକରି ରାଜମହଲ ଛକଠାରୁ ଶିଶୁଭବନ ଛକ ପର୍ଯ୍ୟନ୍ତ ଏଭଳି ସ୍ଥିତି ଉପୁଜିଛି । ବାପୁଜିନଗର ରାଜଧାନୀର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ହୋଇଥିବାବେଳେ ଏଠାକୁ ଆସୁଥିବା ଗ୍ରାହକମାନେ ଗାଡି କେଉଁଠି ରଖିବେ ଜାଣିପାରୁ ନାହାନ୍ତି । ସ୍ମାର୍ଟ ଜନପଥ ପାଲଟିଥିବା ଏହି ରାସ୍ତାର ଗୋଟିଏ ପାଶ୍ୱର୍ରେ ପାର୍କିଂ ଅନୁମତି ମିଳିଥିବାବେଳେ ସକାଳ ୧୦ଟା ପୂର୍ବରୁ ଏଠାରେ ଗାଡି ଭର୍ତ୍ତି ହୋଇଯାଉଛି । ବ୍ୟବସାୟୀମାନେ ଏଠାରେ ନିଜ ନିଜ ଗାଡି ଦିନସାରା ରଖି ଦୋକାନକୁ ଯାଉଛନ୍ତି । ଫଳରେ ଗ୍ରାହକ କେଉଁଠି ରଖିବ ଜାଣିପାରୁ ନାହିଁ ।

ସେହିଭଳି ବାଣୀବିହାର ଛକରୁ ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ସ୍ମାର୍ଟ ଜନପଥ କାର୍ଯ୍ୟ ଜାରି ରହିଛି । ତେବେ ଏହାର ଗୋଟିଏ ପାଶ୍ୱର୍ରେ ଅଧିକ ବ୍ୟବସାୟିକ କେନ୍ଦ୍ର ରହିଥିବାବେଳେ ସେଠାରେ ଲୋକେ ଗାଡି ଟିକେ ରଖିବାକୁ ସ୍ଥାନ ପାଉନାହାନ୍ତି । ଫଳରେ ଯିଏ ଯେଉଁଠି ପାରୁଛି ଗାଡି ରଖି ପଳାଉଛି । ଶ୍ରୀୟା ଛକରୁ ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ଗୋଟିଏ ପାଶ୍ୱର୍ ରାସ୍ତା ଏବେ ବ୍ୟବସାୟିଙ୍କ ଦଖଲରେ । ସକାଳ ଆଠଟାରୁ ଗାଡି ଆଣି ରାସ୍ତାଉପରେ ରଖି ଦେଉଛନ୍ତି । କାଳେ କିଏ ପୂର୍ବରୁ ଗାଡି ଆଣି ରଖିଦେବ ତେଣୁ ରାତିରେ ବାଉଁଶ ପକାଇ ରଖୁଛନ୍ତି । ଏହି ସଡକ ପାଶ୍ୱର୍ରେ ଏକାଧିକ ପୋଷାକ ଓ ସୁନା ଦୋକାନ ରହିଥିବାରୁ ଏଠାରେ ଗ୍ରାହକଙ୍କ ଭିଡ ଜମିଥାଏ । ତେବେ ଗାଡି ରଖିବାକୁ ସ୍ଥାନଟିକେ ନଥିବାରୁ ଅନେକ ଗ୍ରାହକ ରାସ୍ତାମଝିରେ ଗାଡି ରଖିବାକୁ ବାଧ୍ୟ ହୋଇଥାନ୍ତି ।

ସେହିଭଳି ଜନପଥର ଗୋଟିଏ ପାଶ୍ୱର୍ ଅର୍ଥାତ ରାଜମହଲରୁ ବାଣୀବିହାର ପର୍ଯ୍ୟନ୍ତ ଗାଡି ରଖିବାକୁ ଜାଗାଟିକେ ମିଳୁଥିବାରୁ ଲୋକେ ସେଠାରେ ଗାଡି ରଖି ଅତ୍ୟନ୍ତ ବିପଦଜନକ ଭାବେ ଅପର ପାଶ୍ୱର୍ରେ ଥିବା ବ୍ୟବସାୟିକ କେନ୍ଦ୍ରକୁ ଯାଉଛନ୍ତି । କେବଳ ଜନପଥ ନୁହେଁ ରାଜଧାନୀର ବିଭିନ୍ନ ସ୍ଥାନରେ ରାସ୍ତାକଡରେ ଗଢି ଉଠିଥିବା ବିଏମ୍‍ସିର ଭେଣ୍ଡିଂ ଜୋନ୍‍ ନିକଟରେ ଅନୁରୂପ ଅବସ୍ଥା । କିଛିଦିନ ତଳେ ବିଏମ୍‍ସି କର୍ତ୍ତୃପକ୍ଷ ଭେଣ୍ଡିଂଜୋନ୍‍ ସ୍ଥାନାନ୍ତର ପାଇଁ କହିଥିଲେ ମଧ୍ୟ ତାହା ଅଧାପନ୍ତରିଆ ଅବସ୍ଥାରେ ରହିଯାଇଛି ।

ରାଜଧାନୀର ବିଭିନ୍ନ ଅଞ୍ଚଳରେ ଖାଲି ସ୍ଥାନ ପଡିଥିବାବେଳେ କର୍ତ୍ତୃପକ୍ଷ ସେଠାରେ କାହିଁକି ପାର୍କିଂ ପାଇଁ ବ୍ୟବସ୍ଥା କରୁନାହାନ୍ତି ତାହା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଛି । ବିଶେଷକରି ଏଜି ଛକରୁ ରାଜମହଲ ପର୍ଯ୍ୟନ୍ତ ଦୁଇ ରାସ୍ତାର ମଝିରେ ଥିବା ସ୍ଥାନଟି ଏବେ ପରିତ୍ୟକ୍ତ ଓ ଆବର୍ଜନା ଫୋପାଡିବା ସ୍ଥାନ ପାଲଟିଥିବାବେଳେ ଏହି ସ୍ଥାନଟିକୁ ବିଏମ୍‍ସି ପାର୍କିଂ ପାଇଁ ବ୍ୟବହାର କରୁନାହିଁ । ଫଳରେ ଲୋକେ ଦୁଇପଟେ ଥିବା ବ୍ୟବସାୟ ପ୍ରତିଷ୍ଠାନକୁ ଯିବାପାଇଁ ରାସ୍ତା ମଝିରେ ଓ ବିଭିନ୍ନ ଗଳିକନ୍ଦିରେ ଗାଡି ରଖିବାକୁ ବାଧ୍ୟ ହେଉଛନ୍ତି । ତେଣୁ ପାର୍କିଂ ପାଇଁ ବ୍ୟବସ୍ଥା କରିବାପରେ ରାସ୍ତାଘାଟରୁ ଗାଡି ଉଠାଇବା ଆବଶ୍ୟକ ବୋଲି ମତପ୍ରକାଶ ପାଉଛି ।