Home Environment ଗାଁ ରେ ପଲିଥିନ୍‍ କଟକଣା କେବେ ?

ଗାଁ ରେ ପଲିଥିନ୍‍ କଟକଣା କେବେ ?

ଭୁବନେଶ୍ୱର : ପରିବେଶର ପ୍ରଧାନ ଶତ୍ରୁ ସାଜିଥିବା ପଲିଥିନ୍‍ ଓ ନିମ୍ନମାନର ପ୍ଲାଷ୍ଟିକୁ ଗାଁ ଗହଳରେ ନିଷେଧ କରିବା କଥା ସରକାର ଏକ ପ୍ରକାର ଭୁଲିଗଲେଣି । ଏହି କଟକଣା ୨୦୨୦ ଅକ୍ଟୋବର ୨ତାରିଖରୁ ଲାଗୁପାଇଁ ଖୋଦ୍‍ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବାବେଳେ ତାହା ଏପର୍ଯ୍ୟନ୍ତ ଲାଗୁ ହୋଇନାହିଁ ।

ରାଜ୍ୟରୁ ନିମ୍ନମାନର ପ୍ଲାଷ୍ଟିକ ହଟାଇବାପାଇଁ ୨୦୧୮ ମସିହାରୁ ସରକାର ଅଭିଯାନ ଆରମ୍ଭ କରିଥିଲେ । ସେହିବର୍ଷ ଅକ୍ଟୋବର ୨ ତାରିଖରେ ଭୁବନେଶ୍ୱର ମହାନଗର ନିଗମ ସହିତ କଟକ, ବ୍ରହ୍ମପୁର, ପୁରୀ ଓ ସମ୍ବଲପୁର ଆଦି ପୌରାଞ୍ଚଳରେ ଏହାକୁ ନିଷେଧ କରାଯାଇଥିଲା । ରାଜ୍ୟ ସରକାର ଏହି କଟକଣା ଘୋଷଣା କରିଥିବାବେଳେ ଏହାର ପରବର୍ଷ ଅର୍ଥାତ୍‍ ୨୦୧୯ ଅକ୍ଟୋବର ୨ ତାରିଖରେ ରାଜ୍ୟର ସମସ୍ତ ୧୧୪ଟି ପୌରାଞ୍ଚଳରେ ଏହି କଟକଣା ଲାଗୁ ହୋଇଥିଲା ।

ସମସ୍ତ ପୌରାଞ୍ଚଳରେ କଟକଣା ଲାଗୁ କରିବାପରେ ୨୦୨୦ ଅକ୍ଟୋବର ୨ ତାରିଖ ଗାନ୍ଧୀଜୟନ୍ତୀରୁ ସମଗ୍ର ରାଜ୍ୟରେ ବିଶେଷକରି ଗାଁ ଗହଳରେ ବି ଏହି କଟକଣା ଲାଗୁ ହେବବୋଲି ସରକାର ସୂଚନା ଦେଇଥିଲେ । ତେବେ ପ୍ରଶାସନ ଏହାକୁ ଏକ ପ୍ରକାର ପାଶୋରୀ ଦେଲାଣି । ଅନ୍ୟ ପକ୍ଷରେ ସହରାଞ୍ଚଳରେ କଟକଣା ଲାଗୁ ଫଳରେ ନିମ୍ନମାନର ପ୍ଲାଷ୍ଟିକ ବିଶେଷକରି ପଲିଥିନ୍‍ ବ୍ୟବସାୟୀମାନେ ଗାଁ ମୁହାଁ ହୋଇଛନ୍ତି । ଗାଁ ଗହଳରେ ଦୋକାନରୁ ହାଟ ପର୍ଯ୍ୟନ୍ତ ରିସାଇକ୍ଲିଂ ପଲିଥିନ ହାଉଜାଉ ହେଉଛି । ସହର ଭଳି ଗାଁ ଗହଳରେ ଗାଈଗୋରୁ ଏବେ ପଲିଥିନ୍‍ ଖାଇ ମୃତ୍ୟୁମୁଖରେ ପଡୁଥିବାବେଳେ ଜଳଉତ୍ସ ଠାରୁ ଆରମ୍ଭ କରି ଧାନ କ୍ଷେତ ପର୍ଯ୍ୟନ୍ତ ସବୁ ଆଡେ ରଙ୍ଗ ବେରଙ୍ଗର ପଲିଥିନ୍‍ ଉଡିବାରେ ଲାଗିଛି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ୫୦ ମାଇକ୍ରୋନରୁ କମ୍‍ ମାନର ପଲିଥିନ୍‍ର ପ୍ରସ୍ତୁତି, ବିକ୍ରି ଓ ବ୍ୟବହାର ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି । କାରଣ ଏହି କମ୍‍ମାନର ପ୍ଲାଷ୍ଟିକ ପ୍ରସ୍ତୁତ ପଲିଥିନ୍‍ଗୁଡିକ ବର୍ଷ ବର୍ଷ ମାଟିରେ ପଡି ରହିବା ଯୋଗୁଁ ପରିବେଣ ପ୍ରଦୂଷଣର ପ୍ରମୁଖ କାରଣ ପାଲଟୁଛି । କେବଳ ମାଟିରେ ପଡି ରହୁନାହିଁ ସହରାଞ୍ଚଳର ନାଳ ନର୍ଦ୍ଦମା ଜାମ୍‍ ସହିତ ପଶୁ ପକ୍ଷୀ ମଡକର ଏହା ଅନ୍ୟତମ କାରଣ ପାଲଟିଛି । 

ଗାଁ ଗହଳରେ କଟକଣା ଲାଗୁ ହୋଇପାରୁନଥିବାବେଳେ ସହରାଞ୍ଚଳରେ ଲାଗିଥିବା କଟକଣା ବି ଏବେ ହୁଗୁଳା ହୋଇଗଲାଣି । ହାଟ ବଜାର ସବୁଆଡେ ନିମ୍ନମାନର ପଲିଥିନ୍‍ ହାଉଯାଉ । ପୌର କର୍ତ୍ତୃପକ୍ଷ ମଝିରେ ମଝିରେ କିଛି ବ୍ୟବସାୟୀଙ୍କୁ ଧରି ସେମାନଙ୍କ ଠାରୁ ଜୋରିମାନା ଆଦାୟ କରି କାମ ସାରିଦେଉଛନ୍ତି । ହେଲେ ପଲିଥିନ୍‍ ପ୍ରସ୍ତୁତକର୍ତ୍ତା କିମ୍ବା ବଡ ବଡ ବ୍ୟବସାୟୀଙ୍କ ଉପରେ ଯେଭଳି ଚଢାଉ ହେବାକଥା ତାହା ହେଉନାହିଁ ।

ଅନ୍ୟ ପକ୍ଷରେ ସହରାଞ୍ଚଳରେ ମଝିରେ ମଝିରେ ଚଢାଉ ହେବା ଓ ସମଗ୍ର ରାଜ୍ୟରେ ଏହି କଟକଣା ନଥିବାରୁ ପଲିଥିନ୍‍ ବ୍ୟବସାୟୀମାନେ ଏବେ ଲୁଚକାଳି ଖେଳିଲା ଭଳି ସହରରୁ ଗାଁ ଓ ଗାଁ ରୁ ସହର ବ୍ୟବସାୟ ଚଳାଇଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ତୁରନ୍ତ ସମଗ୍ର ରାଜ୍ୟରେ ପଲିଥିନ୍‍ କଟକଣା ଜାରି ସହିତ ଚଢଉ ଆରମ୍ଭ ଲାଗି ମତପ୍ରକାଶ ପାଉଛି ।