Home Administration ଗାଁରେ ଶିଶୁ ଅନୁକୂଳ ପରିବେଶ ପାଇଁ ପଦକ୍ଷେପ

ଗାଁରେ ଶିଶୁ ଅନୁକୂଳ ପରିବେଶ ପାଇଁ ପଦକ୍ଷେପ

ଭୁବନେଶ୍ୱର : ପ୍ରତି ଗାଁରେ ଶିଶୁମାନଙ୍କ ସକାଶେ ଅନୁକୂଳ ପରିବେଶ ସୃଷ୍ଟି ପାଇଁ ୭ଗୋଟି ମନ୍ତ୍ରାଳୟ ହାତ ମିଳାଇଛନ୍ତି । ଏଥି ସକାଶେ ପ୍ରଥମଥର ପାଇଁ ୭ଜଣ କେନ୍ଦ୍ରୀୟ ସଚିବ ଏକାଥରକେ ମିଳିମିଶି ରାଜ୍ୟ ସରକାରଙ୍କୁ ପତ୍ର ଲେଖିଛନ୍ତି । ନିରନ୍ତର ବିକାଶ ଲକ୍ଷ୍ୟ-୨୦୩୦ ର ଏଜେଣ୍ଡା ଅନୁଯାୟୀ ଗାଁଗୁଡିକରେ ଶିଶୁ ଅନୁକୂଳ ପରିବେଶ ସୃଷ୍ଟିପାଇଁ ସେମାନେ ଏଭଳି ପତ୍ର ଲେଖିଥିବା ସୂଚନା ମିଳିଛି ।

କେନ୍ଦ୍ର ସରକାରଙ୍କର ଏହି ୭ଜଣ ବରିଷ୍ଠ ସଚିବଙ୍କ ମଧ୍ୟରେ ପଞ୍ଚାୟତିରାଜ ସଚିବ ସୁନୀଲ କୁମାର, ପାନୀୟଜଳ ଓ ପରିମଳ ସଚିବ ଭିନି ମହାଜନ, ଯୁବ ବ୍ୟାପାର ସଚିବ ସୁଜାତା ଚର୍ତୁବେଦୀ, ମହିଳା ଏବଂ ଶିଶୁ ବିକାଶ ସଚିବ ଇନ୍ଦିଭର ପାଣ୍ଡେ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ରାଜେଶ ଭୂଷଣ, ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷତା ସଚିବ ଅନୀତା କରୱାଲ ଓ ଗ୍ରାମ୍ୟ ଉନ୍ନୟନ ସଚିବ ନଗେନ୍ଦ୍ର ନାଥ ସିହ୍ନା । ଏହି ସଚିବମାନେ ମିଳିତ ଭାବେ ଓଡିଶା ସମେତ ଅନ୍ୟ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଏ ସଂକ୍ରାନ୍ତରେ ଅବଗତ କରିଛନ୍ତି ।

ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଶିଶୁ ଅନୁକୂଳ ପଞ୍ଚାୟ˜/ଗ୍ରାମ ପାଇଁ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରୁଥିବାବେଳେ ଅନ୍ୟ ମନ୍ତ୍ରାଳୟ ଓ ବିଭାଗଗୁଡିକ ଏହାକୁ ପୂର୍ଣ୍ଣ ସହଯୋଗ କରୁଛନ୍ତି । ନିରନ୍‍ତର ବିକାଶ ଲକ୍ଷ୍ୟ ହାସଲ ପାଇଁ କେନ୍ଦ୍ର ସରକାର “କେହି ପଛରେ ରହିବେ ନାହିଁ” “ସମଗ୍ର ସରକାର ଏବଂ ସମଗ୍ର ସମାଜ” ରେ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି ।

କେନ୍ଦ୍ର ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ବିଶେଷକରି ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ ଆଦିକୁ ଗତି ଦେବାପାଇଁ ଶିଶୁ ଅନୁକୂଳ ଗ୍ରାମ ଓ ପଞ୍ଚାୟତ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି । ତଳ ସ୍ତରରେ ଶିଶୁ ଅନୁକୂଳ ପରିବେଶ ସୃଷ୍ଟି କରିବାପାଇଁ ବିଦ୍ୟାଳୟ ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ, ପାନୀୟଜଳ ଏବଂ ପରିମଳ, ଯୁବ ବ୍ୟାପାର ଏବଂ କ୍ରୀଡା, ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ଆଦି ମନ୍ତ୍ରାଳୟ ମିଳିତ ଭାବରେ ବିକାଶ ମୂଳକ କାର୍ଯ୍ୟକୁ ଆଗେଇ ନେବାରେ ସହାୟକ ହେବେ ।

ଏହିସବୁ କାର୍ଯ୍ୟରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ (ଏନ୍‍ଜିଓ) ବିଭିନ୍ନ ସଂସ୍ଥା, ଏନ୍‍ୱାଇକେଏସ୍‍ ଭଳି ଯୁବ ସଂଗଠନ ଏବଂ ଏନ୍‍ଏସ୍‍ଏସ୍‍ କୁ ସାମିଲକରି ଗ୍ରାମ ପଞ୍ଚାୟତଗୁଡିକୁ ‘ଶିଶୁ ଅନୁକୂଳ ପଞ୍ଚାୟତ’ ଭାବେ ଗଢି ତୋଳିବାକୁ ଯୋଜନା ରହିଛି । ଏହାଦ୍ୱାରା ଲକ୍ଷ୍ୟ ପୂରଣ ଅଧିକ ତ୍ୱରାନ୍ୱିତ ହୋଇପାରିବ । କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଅବସରରେ ଏପ୍ରିଲ୍‍ ୧୧ତାରିଖରୁ ୧୭ତାରିଖ ମଧ୍ୟରେ ଗ୍ରାମ ପଞ୍ଚାୟତ ସ୍ତରରେ ବୈଠକ ଡାକିବାକୁ ପରାମର୍ଶ ଦେଇଛନ୍ତି । ସେହିଭଳି ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ଏପ୍ରିଲ ୨୪ତାରିଖରେ ଗ୍ରାମସଭା ଡାକି ନିରନ୍ତର ବିକାଶ ଲକ୍ଷ୍ୟର ୯ଟି ବିଷୟ ଉପରେ ଫୋକସ କରିବାକୁ କହିଛନ୍ତି ।

ଶିଶୁ ଅନୁକୂଳ ଗ୍ରାମ ଅଭିଯାନ କେବଳ ପଞ୍ଚାୟତ ସ୍ତରରେ ସୀମିତ ରହିବନାହିଁ ଏହା ସମଗ୍ର ସମାଜକୁ ପ୍ରଭାବିତ କରିବ । କାରଣ ସମଗ୍ର ସମାଜରେ ଏହାର ପ୍ରତିଛବି ଦେଖିବାକୁ ମିଳିବ । ରାଜ୍ୟ ଓ ଜିଲ୍ଲା ସ୍ତରରେ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯିବା ସହିତ ଉଭୟ ସ୍ତରରେ ଏହାର ମନିଟରିଂ ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ ଲାଗି ସଚିବମାନେ ଲେଖିଥିବା ଜଣାଯାଇଛି । (ତଥ୍ୟ)