Home Health ଗାଁରେ କରୋନା କଟକଣାକୁ ଫୁ……

ଗାଁରେ କରୋନା କଟକଣାକୁ ଫୁ……

ଭୁବନେଶ୍ୱର, : କରୋନାର ଦ୍ୱିତୀୟ ଲହର ଯୋଗୁ ବିବାହ, ବ୍ରତୋପୟନ ଓ ଶୁଦ୍ଧିକ୍ରିୟା ଆଦି ସାମାଜିକ ଏବଂ ବିଭିନ୍ନ ଧର୍ମାନୁଷ୍ଠାନରେ ଭୋଜିଭାତ କାର୍ଯ୍ୟକ୍ରମ ବ୍ୟାହତ ହୋଇଛି । ସହରାଞ୍ଚଳରେ ହୋଟେଲ, ମଣ୍ଡପଗୁଡ଼ିକ କାର୍ଯ୍ୟାନୁଷ୍ଠାନ ଭୟରେ ସରକାରୀ କଟକଣା ମାନିବାକୁ ବାଧ୍ୟ ହୋଇ ସୀମିତ ଲୋକଙ୍କ ମଧ୍ୟରେ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଅନେକ କ୍ଷେତ୍ରରେ ଗ୍ରାମାଞ୍ଚଳରେ କିନ୍ତୁ ଏହି କଟକଣା କଡ଼ାକଡ଼ି ଭାବେ ପାଳିତ ହୋଇପାରୁନାହିଁ ।

କରୋନା ସଂକ୍ରମଣ ଭୟାବହତାକୁ ଆଖି ଆଗରେ ରଖି ସମଗ୍ର ରାଜ୍ୟର ସହରାଞ୍ଚଳରେ ଏବେ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିଛି । ତେଣୁ ବିବାହ ଉତ୍ସବ ଆଦି ପାଇଁ ପୂର୍ବରୁ ସ୍ଥିରୀକୃତ କାର୍ଯ୍ୟକ୍ରମ ଅନୁଯାୟୀ ଭଡ଼ା ନିଆଯାଇଥିବା ବିବାହ ମଣ୍ଡପ, ହୋଟେଲଗୁଡ଼ିକ କଟକଣା ମାନି ଦିନବେଳା କାର୍ଯ୍ୟକ୍ରମ କରିବା ଲାଗି ଉଦ୍ୟୋକ୍ତାମାନଙ୍କୁ ବାଧ୍ୟ କରୁଥିବା ବେଳେ ଆଉ କେତେକ କାର୍ଯ୍ୟକ୍ରମ ବାତିଲ୍‍ କରୁଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ କରୋନା କଟକଣା ମୁତାବକ ଏବେ ବିବାହ ଉତ୍ସବରେ ସର୍ବାଧିକ ୫୦ଜଣ ଓ ଶୁଦ୍ଧିକ୍ରିୟା ଲାଗି ୨୦ ଜଣ ସାମାଜିକ ଦୂରତା ରକ୍ଷା ସହ ଏକତ୍ରୀତ ହୋଇପାରିବେ ବୋଲି ଅନୁମତି ରହିଛି । ଏହାର ଉଲ୍ଲଙ୍ଘନ କରାଗଲେ ଉଦ୍ୟୋକ୍ତା ଏବଂ ଉଲ୍ଲଙ୍ଘନକାରୀଙ୍କୁ ଜେଲ୍‍ ଜରିମାନା ଦଣ୍ଡରେ ଦଣ୍ଡିତ ହେବାକୁ ପଡ଼ୁଛି । କେବଳ ସେତିକି ନୁହେଁ ଯେଉଁ ମଣ୍ଡପ ଓ ହୋଟେଲଗୁଡ଼ିକ କରୋନା କଟକଣା ଉଲ୍ଲଙ୍ଘନ କରିବେ ସେଗୁଡ଼ିକୁ ମଧ୍ୟ ସିଲ୍‍ କରିଦିଆଯିବା ସହ କଡ଼ା ଦଣ୍ଡବିଧାନର ପ୍ରାବଧାନ ରହିଛି ।

ଏ ପରିପ୍ରେକ୍ଷୀରେ ଏବେ ରାତିରେ କୌଣସି ବିବାହ ଉତ୍ସବ ହୋଇପାରୁନାହିଁ । ତେଣେ ଅଗ୍ରୀମ ବୁକିଂ ବାତିଲ୍‍ ସଂଖ୍ୟା ବଢ଼ି ବଢ଼ି ଚାଲିଥିବାରୁ ମଣ୍ଡପ ଓ ହୋଟେଲଗୁଡ଼ିକ ବେଶ୍‍ ଚିନ୍ତିତ । ନୂଆ ପାଞ୍ଜି ଅନୁଯାୟୀ ଜୁଲାଇ ମାସର ମଝି ପର୍ଯ୍ୟନ୍ତ ବହୁ ବିବାହ ତିଥି ରହିଛି । ଏହାପରେ ଯାଇ ନଭେମ୍ବର ଡିସେମ୍ବର ମାସରେ ଆଉ କେତେକ ତିଥି ଅଛି । ମଝିରେ କରୋନା ସଂକ୍ରମଣ ହ୍ରାସ ପାଇ ଏକପ୍ରକାର ସ୍ୱାଭାବିକ ଅବସ୍ଥା ସୃଷ୍ଟି ହୋଇଥିବା ପରିପ୍ରେକ୍ଷୀରେ ଅନେକ ପରିବାର ସେମାନଙ୍କ ବିବାହ କାର୍ଯ୍ୟକ୍ରମ ସ୍ଥିର କରି ଜାକଜମକରେ ଅଧିକ ଲୋକଙ୍କୁ ନେଇ ଭୋଜି କରିବାକୁ ମଣ୍ଡପ ଓ ହୋଟେଲ ବୁକିଂ ସହିତ କ୍ୟାଟିରିଂ ସଂସ୍ଥାଗୁଡ଼ିକୁ ବି ଅଗ୍ରୀମ ଦେଇଛନ୍ତି । କିନ୍ତୁ ଏବେ କଟକଣା ଯୋଗୁ ଏହି କାର୍ଯ୍ୟକ୍ରମଗୁଡ଼ିକ ଫିକା ପଡ଼ିଯାଇଛି । ତେବେ ଗାଁ ଗହଳର କେତେକ ସ୍ଥାନରେ ଚୋରାଲୁଚାରେ ଭୋଜିଭାତ ହେଉଛି ।

କରୋନା କଟକଣା ଯୋଗୁ ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ, ରାମ ନବମୀ ଆଦି ଧାର୍ମିକ ଉତ୍ସବାନୁଷ୍ଠାନରେ ଜନ ସମାଗମ ଉପରେ କଟକଣା ଲାଗିଛି । ଏ ପରିପ୍ରେକ୍ଷୀରେ ଖ୍ରୀଷ୍ଟିଆନ୍‍ ସମ୍ପ୍ରଦାୟର ଗୁଡ୍‍ ଫ୍ରାଇଡେ ପ୍ରତିପାଳନ ପ୍ରଭାବିତ ହୋଇଥିବା ବେଳେ ବର୍ତ୍ତମାନ ପରି ଅବସ୍ଥା ରହିଲେ ମଇ ମାସରେ ପଡ଼ୁଥିବା ଇସ୍‍ଲାମ ସମ୍ପ୍ରଦାୟର ଇଦ୍‍-ଉଲ୍‍-ଫିତର୍‍ କାର୍ଯ୍ୟକ୍ରମରେ ମଧ୍ୟ ଜନ ସମାଗମ ହୋଇପାରିବ ନାହିଁ । ଏହାଛଡ଼ା ବୌଦ୍ଧ ଧର୍ମାବଲମ୍ବୀଙ୍କ ବୁଦ୍ଧ ପୂର୍ଣ୍ଣିମା କାର୍ଯ୍ୟକ୍ରମ ମଧ୍ୟ କେବଳ ନିତି ନିୟମରେ ସୀମିତ ରହିବ ।

ଗତବର୍ଷ ଶ୍ରୀ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା କରୋନା ପାଇଁ ବନ୍ଦ ରହିଥିବା ବେଳେ ଏ ବର୍ଷ ବିନା ଭକ୍ତରେ ଏହି କାର୍ଯ୍ୟକ୍ରମ କରିବାକୁ ସ୍ଥିର ହୋଇଛି । ତେବେ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ କେତେକ ସେବାୟତଙ୍କଠାରେ କରୋନା ପଜିଟିଭ ଚିହ୍ନିତ ହୋଇଥିବା ଏବଂ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କରୋନା ବ୍ୟାପୁଥିବା ପରିପ୍ରେକ୍ଷୀରେ ବିନା ଭକ୍ତରେ ରୁକୁଣା ରଥ ଗଡ଼ାଇବା ପ୍ରଶାସନ ପାଇଁ ଆହ୍ୱାନ ହୋଇଛି । ପରିସ୍ଥିତି ଏଭଳି ଲାଗି ରହିଲେ ଶ୍ରୀକ୍ଷେତ୍ରର ରଥଯାତ୍ରାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟକ୍ରମ ମଧ୍ୟ ପ୍ରଭାବିତ ହେବା ଆଶଙ୍କା କରାଯାଉଛି । (ତଥ୍ୟ)