Home Energy ଗାଁରେ ଅଧିକ ବିଜୁଳି ଚୋରି

ଗାଁରେ ଅଧିକ ବିଜୁଳି ଚୋରି

ଭୁବନେଶ୍ୱର : ରାଜ୍ୟର ଗ୍ରାମାଞ୍ଚଳରେ ପ୍ରାୟତଃ ବିଜୁଳି ଚୋରି ହେଉଛି । ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟରେ ୧୩୮୮ ନିୟୁତ ୟୁନିଟ୍‍ ବିଜୁଳି ଚୋରି ହୋଇଥିବା ଜଣାଯାଇଛି ।

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି । ଶ୍ରୀ ମିଶ୍ର ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ବିଦ୍ୟୁତ ବିତରଣ କମ୍ପାନୀଠାରୁ ମିଳିଥିବା ସୂଚନାନୁଯାୟୀ ୨୦୨୦ ଏପ୍ରିିଲରୁ ଚଳିତବର୍ଷ ଜାନୁଆରୀ ମଧ୍ୟରେ ୧୫,୭୪୮ଟି ବିଜୁଳି ଚୋରି ମାମଲା ଧରାପଡ଼ିଛି ।

ଏଥିମଧ୍ୟରୁ ସର୍ବାଧିକ ୯୦୧୦ଟି ଟିପିଡବ୍ଲୁଓଡିଏଲ ଇଲାକାରେ ଘଟିଥିବା ବେଳେ ଏଥିରେ ମୋଟ୍‍ ୧୫ଟି ଏଫ୍‍ଆଇଆର ରୁଜୁ ହୋଇଛି । ୫୮୯୨ଟି ମାମଲାର ସମାଧାନ ହୋଇଥିବା ବେଳେ ୩୧୧୮ଟି ଏବେ ବି ପଡ଼ିରହିଛି । ସେହିଭଳି ଟିପିଏସଓଡିଏଲ ଇଲାକାରେ ୨୧୯୩ଟି ଚୋରି ଧରାପଡ଼ିଥିବା ବେଳେ ଏଥିରେ ମାତ୍ର ଗୋଟିଏ ଏଫ୍‍ଆଇଆର ରୁଜୁ ହୋଇଛି ।

ଟିପିସିଓଡିଏଲ ଇଲାକାରେ ୧୧୩୩ଟି ବିଜୁଳି ଚୋରି ଧରାପଡ଼ିଥିବା ବେଳେ ନେସ୍କୋ ୱିଟିଲିଟି ଇଲାକାରେ ୭୮୦ଟି ଚୋରି ହୋଇଛି । ରାଜ୍ୟରେ ଘଟିଥିବା ଏହି ସମସ୍ତ ବିଜୁଳି ଚୋରି ପାଇଁ ମୋଟ୍‍ ୯୭ଟି ମାମଲା ରୁଜୁ ହୋଇଥିବା ବେଳେ ୧୦,୯୦୪ଟି ଚୋରି ଘଟଣାର ସମାଧାନ ହୋଇଛି । ଏବେବି ୪୮୪୪ଟି ମାମଲା ପଡ଼ିରହିଛି ।

ସେହିଭଳି ରାଜ୍ୟରେ ଗତ ୧୦ ବର୍ଷ ମଧ୍ୟରେ ବଣ୍ଟନ ଓ ସରବରାହ ଜନିତ କ୍ଷତି ଅଧାରୁ କମ୍‍ ହ୍ରାସ ପାଇଛି । ୨୦୦୯-୧୦ ମସିହାରେ ରାଜ୍ୟରେ ଏହି କ୍ଷତି ୩୭ ପ୍ରତିଶତ ଥିବା ବେଳେ ୨୦୧୯-୨୦ରେ ଏହା ହ୍ରାସ ପାଇ ୧୯.୭୮ ପ୍ରତିଶତରେ ପହଞ୍ଚିଥିବା ମନ୍ତ୍ରୀ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।