Home General ଗାଁରେ ଅଧିକ ଗୁଟ୍‍ଖା, ମଦ ସେବନ

ଗାଁରେ ଅଧିକ ଗୁଟ୍‍ଖା, ମଦ ସେବନ

ଭୁବନେଶ୍ୱର : ସହରାଞ୍ଚଳ ତୁଳନାରେ ଗାଁ ଗହଳରେ ଲୋକେ ଅଧିକ ପରିମାଣରେ ତମାଖୁ ଖାଇବା ସହିତ ମଦ୍ୟପାନ କରୁଛନ୍ତି । ତେବେ ଗାଁରେ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କ ନିଶା ସେବନ ଖୁବ୍‍ କମ୍‍ ରହିଛି ।

ରାଜ୍ୟରେ ପନ୍ଦର ବର୍ଷ ବୟସରୁ ଉର୍ଦ୍ଧ୍ୱ ୨୮.୮ ପ୍ରତିଶତ ପୁରୁଷ ମଦ୍ୟପାନ କରୁଥିବାବେଳେ ଏମାନଙ୍କ ମଧ୍ୟରେ ଗାଁ ଗହଳର ପୁରୁଷସଂଖ୍ୟା ୩୦.୨ ପ୍ରତିଶତ ହୋଇଥିବାବେଳେ ସହରାଞ୍ଚଳରେ ଏହା ୨୨.୭ ପ୍ରତିଶତ ରହିଛି । ତେବେ ରାଜ୍ୟରେ ମାତ୍ର ୪.୩ ପ୍ରତିଶତ ମହିଳା ମଦ୍ୟପାନ କରୁଥିବା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୫ରେ ଉଲ୍ଲେଖ କରାଯାଇଛି । ମଦ୍ୟପାନ କରୁଥିବା ଏହି ୪.୩ ପ୍ରତିଶତ ମହିଳାଙ୍କ ମଧ୍ୟରୁ ଗାଁ ମହିଳାଙ୍କ ହାର ୪.୯ ପ୍ରତିଶତ ଥିବାବେଳେ ସହରୀ ମହିଳାଙ୍କ ହାର ୧.୪ ପ୍ରତିଶତ ରହିଛି ।

ତେବେ ମଦ୍ୟପାନ ତୁଳନାରେ ରାଜ୍ୟରେ ତମାଖୁ ସେବନ ଅଧିକ ରହିଛି । ୧୫ବର୍ଷ ବୟସରୁ ଅଧିକ ୫୧.୬ ପ୍ରତିଶତ ପୁରୁଷ ରାଜ୍ୟରେ ତମାଖୁ ସେବନ କରୁଥିବାବେଳେ ଏମାନଙ୍କ ମଧ୍ୟରେ ଗାଁ ଯୁବକଙ୍କ ସଂଖ୍ୟା ୫୪.୧ ପ୍ରତିଶତ ରହିଛି । ତମାଖୁ ସେବନ କରୁଥିବା ସହରୀ ପୁରୁଷଙ୍କ ହାର ୪୦.୫ ପ୍ରତିଶତ ରହିଛି । ତେବେ ରାଜ୍ୟରେ ୨୬ ପ୍ରତିଶତ ମହିଳା ତମାଖୁ ସେବନ କରୁଥିବା ଜଣାଯାଇଛି । ଏମାନଙ୍କ ମଧ୍ୟରେ ଗାଁରେ ୨୮ ପ୍ରତିଶତ ଓ ସହରରେ ୧୬.୬ ପ୍ରତିଶତ ରହିଛନ୍ତି ।

ରାଜ୍ୟରେ ତମାଖୁ ସେବନ ସହିତ ଏହି ରିପୋର୍ଟରେ ମୁଖ ଗହ୍ୱର କର୍କଟ ସଂକ୍ରାନ୍ତରେ ମଧ୍ୟ ସୂଚନା ପ୍ରକାଶ ପାଇଛି । ରାଜ୍ୟରେ ୦.୩ ପ୍ରତିଶତ ମହିଳା ମୁଖଗହ୍ୱର କର୍କଟରେ ପୀଡିତ ଥିବାବେଳେ ଏମାନଙ୍କ ମଧ୍ୟରୁ ଗ୍ରାମାଞ୍ଚଳରେ ୦.୩ ପ୍ରତିଶତ ଓ ସହରାଞ୍ଚଳରେ ୦.୧ ପ୍ରତିଶତ ରହିଛନ୍ତି । ସେହିଭଳି ରାଜ୍ୟରେ ୧.୨ ପ୍ରତିଶତ ପୁରୁଷ ମୁଖଗହ୍ୱର କର୍କଟର ଶିକାର ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଗ୍ରାମାଞ୍ଚଳରେ ୦.୮ ପ୍ରତିଶତ ଥିବାବେଳେ ସହରାଞ୍ଚଳରେ ୨.୯ ପ୍ରତିଶତ ରହିଛି ।

ରାଜ୍ୟ ସରକାର ଗୁଟ୍‍ଖା ଉପରେ ପ୍ରାୟ ୧୦ବର୍ଷ ହେଲା କଟକଣା ଲଗାଇଥିବାବେଳେ ଏହା କେବଳ ଧର୍ମକୁ ଆଖିଠାର ଭଳି ହୋଇଛି । ସରକାରୀ କଟକଣା ପରେ ପୂର୍ବ ତୁଳନାରେ ଅଧିକ ପରିମାଣରେ ଗୁଟ୍‍ଖା ବ୍ୟବହାର ହେଉଥିବାବେଳେ କାହା ବିରୁଦ୍ଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ହେଉଥିବା ଲକ୍ଷ୍ୟ କରାଯାଉନାହିଁ । ଏଭଳି କଟକଣା ଯୋଗୁଁ ରାଜ୍ୟ ସରକାର ପ୍ରାୟ ୫୦୦ କୋଟି ଟଙ୍କାର ରାଜସ୍ୱ ହରାଇଥିବାବେଳେ ଲୋକଙ୍କ ଗୁଟ୍‍ଖା ସେବନ ସହିତ ରୋଗରେ ପଡିବାର ହାର କିନ୍ତୁ ବଢି ବଢି ଚାଲିଛି । (ତଥ୍ୟ)