Home Health ଗତବର୍ଷ ତୁଳନାରେ ଭୟଙ୍କର

ଗତବର୍ଷ ତୁଳନାରେ ଭୟଙ୍କର

92
0

ଭୁବନେଶ୍ୱର : ବର୍ଷକ ତଳେ ଏହି ସମୟରେ ରାଜ୍ୟରେ ତଥା ଦେଶରେ କରୋନା ମହାମାରୀର ସ୍ଥିତି ଯେଭଳି ଥିଲା ଏବେ ତାହା ଢେର ଅଧିକ ଭୟଙ୍କର । ଏ ପରିପ୍ରେକ୍ଷୀରେ ଆଗାମୀ ଦିନରେ କରୋନା ପରିସ୍ଥିତି ଅଧିକ ବିଗିଡିବା ସମ୍ଭାବନାକୁ ବୈଜ୍ଞାନିକମାନେ ଏଡାଇଦେଇ ପାରୁନାହାନ୍ତି ।

ଗତବର୍ଷ ଏପ୍ରିଲ ୮ତାରିଖ ବେଳକୁ ଓଡିଶାରେ ମୋଟ ଚିହ୍ନିତ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦ରୁ କମ୍‍ ଥିବାବେଳେ ଏମାନଙ୍କ ଭିତରୁ କେବଳ ଭୁବନେଶ୍ୱରରେ ଥିଲେ ଅନ୍ୟୁନ ୩୦ଜଣ । ତେବେ ସରକାରୀ ତଥ୍ୟ ମୁତାବକ କେବଳ ଗତ ୨୪ଘଣ୍ଟା ମଧ୍ୟରେ ଓଡିଶାରେ ୮୭୯ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏଯାବତ୍‍ ଚିହ୍ନିତ ହୋଇଥିବା ଏହି ରୋଗୀଙ୍କ ସଂଖ୍ୟା ସାଢେ ୩ଲକ୍ଷ ଆଡକୁ ମୁହାଁଇଛି ।

ଅବଶ୍ୟ ଏମାନଙ୍କ ମଧ୍ୟରୁ ପାଖାପାଖି ୩ଲକ୍ଷ ୪୦ହଜାର ସୁସ୍ଥ ହୋଇଥିବା କୁହାଯାଉଥିବାବେଳେ ଓଡିଶାରେ ଏଯାବତ୍‍ କରୋନା ଜନିତ ମୃତ୍ୟୁସଂଖ୍ୟା ୧୯୭୬ରେ ପହଞ୍ଚିଛି ଏବଂ ଆଜିର ଦିନରେ ୪୮୮୮ ଜଣ କରୋନା ରୋଗୀ ଚିକିତ୍ସାଧିନ ରହିଛନ୍ତି । ଗତବର୍ଷ ମାର୍ଚ୍ଚ ୨୪ର ପ୍ରଥମ ଲକ୍‍ଡାଉନ ଘୋଷଣା ବେଳକୁ ଓଡିଶାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ରେ ସୀମିତ ଥିଲା ।

ଦ୍ୱିତୀୟ ପର୍ଯ୍ୟାୟ ଲକ୍‍ଡାଉନ୍‍ ଗତବର୍ଷ ଏପ୍ରିଲ ୧୫ତାରିଖରେ ଲାଗୁ କରାଯିବାବେଳକୁ ଓଡିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦ ଥିବାବେଳେ ମୃତ୍ୟୁସଂଖ୍ୟା ମାତ୍ର ୧ରେ ସୀମିତ ଥିଲା । ସେତେବେଳେ ଏତେ କମ୍‍ ସଂଖ୍ୟକ କରୋନା ସଂକ୍ରମିତ ରାଜ୍ୟରେ ଚିହ୍ନିତ ହୋଇଥିବାବେଳେ ପ୍ରାୟ ସବୁ ଜିଲ୍ଲାରେ ସଂଗରୋଧକେନ୍ଦ୍ରମାନ ସ୍ଥାପନ କରାଯିବା ସହ ଅନେକଗୁଡିଏ ସ୍ୱତନ୍ତ୍ର କରୋନା ଡାକ୍ତରଖାନା ମଧ୍ୟ ଖୋଲାଯାଇଥିଲା ।

ସମଗ୍ର ଦେଶରେ ଗତବର୍ଷର ଏହି ସମୟ ବେଳକୁ ଚିହ୍ନିତ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ହଜାରରୁ କମ୍‍ ଥିବାବେଳେ ମୃତ୍ୟୁସଂଖ୍ୟା ବି ସାଢେ ୩ଶହ ଭିତରେ ଥିଲା । କିନ୍ତୁ ଆଜି ସୁଦ୍ଧା ଭାରତରେ ମୋଟ୍‍ ଚିହ୍ନିତ କରୋନା ସଂକ୍ରମିତଙ୍କ ସଂଖ୍ୟା କୋଟିଏ ୨୯ଲକ୍ଷରୁ ଅଧିକ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ପାଖାପାଖି ଲକ୍ଷେ ୬୭ହଜାରରେ ପହଞ୍ଚିଛି ।

ଦ୍ୱିତୀୟ ପର୍ଯ୍ୟାୟ ଲକ୍‍ଡାଉନ୍‍ ବେଳକୁ ଗତବର୍ଷ କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ଭାରତ ବିଶ୍ୱରେ ୨୦ତମ ସ୍ଥାନରେ ଥିବାବେଳେ ଏବେ ଏହା ତୃତୀୟ ସ୍ଥାନରେ ରହିଛି । ଭାରତ ଉପରକୁ ଏ କ୍ଷେତ୍ରରେ ବ୍ରାଜିଲ ଓ ଆମେରିକା ଅଛନ୍ତି । ଦୀର୍ଘଦିନର ବ୍ୟବଧାନ ପରେ ପୁଣି କରୋନାର ଦ୍ୱିତୀୟ ଲହର ବ୍ୟାପୁଥିବା ପରିପ୍ରେକ୍ଷୀରେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ ପ୍ରଭୃତି ରାଜ୍ୟରେ ପୁଣି ଲକ୍‍ଡାଉନ୍‍ ଆରମ୍ଭ ହୋଇଯାଇଛି । ଏହାଛଡା ଦିଲ୍ଲୀ ସମେତ ଅନେକ ରାଜ୍ୟରେ ରାତ୍ରୀକାଳୀନ କର୍ଫ୍ୟୁ ମଧ୍ୟ ଲାଗୁ ହେଲାଣି । 

ଜୀବନ ସହ ଜୀବିକାକୁ ଆଖିଆଗରେ ରଖି କରୋନା କଟକଣା କୋହଳ କରାଯାଇଥିବାବେଳେ ଏହାର ବ୍ୟାପକ ଦୁରୂପଯୋଗ ଘଟୁଥିବା ପରିପ୍ରେକ୍ଷୀରେ ଦ୍ରୁତ ସଂକ୍ରମଣକୁ ରୋକିବାପାଇଁ ପୁଣି ଓଡିଶାରେ ଖୁବ୍‍ଶୀଘ୍ର ଲକ୍‍ଡାଉନ୍‍ ଓ ସଟ୍‍ଡାଉନ ଭଳି ପରିସ୍ଥିତି ଲେଉଟିବାରେ ବୋଲି ବିଭିନ୍ନ ମହଲ ଆଶଙ୍କାବ୍ୟକ୍ତ କରୁଛନ୍ତି । ଗତବର୍ଷ ଏପ୍ରିଲ୍‍ ମାସରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏତେ କମ୍‍ ଥିବାବେଳେ କଡା କଟକଣା ଯୋଗୁଁ ପରବର୍ତ୍ତୀମାସ ଗୁଡିକରେ କରୋନା ସଂକ୍ରମଣ ଅନେକାଂଶରେ ରୋକି ହୋଇଥିଲା ।

ଏବେ ଯେଭଳି ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କରୋନା କାୟା ମେଲାଉଛି ଏବଂ ଓଡିଶାର ପଡୋଶୀ ଛତିଶଗଡରେ ଏହା ସାଂଘାତିକ ସ୍ଥିତିରେ ପହଞ୍ଚିଛି ସେଥିରେ ଓଡିଶାପାଇଁ ଦେଖା ଦେଉଥିବା ସମ୍ଭାବ୍ୟ ବିପତ୍ତିକୁ ଏଡାଇବାଲାଗି ଯେକୌଣସି ସମୟରେ ସ୍ଥାନୀୟ ଭିତ୍ତିରେ ପୁଣି ଲକ୍‍ଡାଉନ୍‍/ସଟ୍‍ଡାଉନ୍‍/କଣ୍ଟେନମେଣ୍ଟ/କର୍ଫ୍ୟୁ ଭଳି ପରିସ୍ଥିତି ଜାରି କରାଯାଇପାରେ । (ତଥ୍ୟ)

LEAVE A REPLY

Please enter your comment!
Please enter your name here