Home Education ଗଣିତ ଶିକ୍ଷକ ପାଇବେ ଉଚ୍ଚତର ତାଲିମ

ଗଣିତ ଶିକ୍ଷକ ପାଇବେ ଉଚ୍ଚତର ତାଲିମ

ଭୁବନେଶ୍ୱର : ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ (ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ମ୍ୟାଥ୍‌ମେଟିକ୍ସ)କୁ ଏକ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର ଭାବରେ ଗଢ଼ିତୋଳିବାକୁ ଉଦ୍ୟମ ହେବ ବୋଲି ସରକାରୀ ଉଦ୍ୟୋଗ, ବିଜ୍ଞାନ ଓ କାରିଗରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି । ଆଜି ପ୍ରତିଷ୍ଠାନର ତ୍ରୟୋବିଂଶତମ ପ୍ରତିଷ୍ଠା ତଥା ବାର୍ଷିକୋତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା ଏହି ମର୍ମରେ ଗଣିତ ଶିକ୍ଷାର ପ୍ରସାର, ଗବେଷଣା ଓ ଉଚ୍ଚତର ତାଲିମ ପାଇଁ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି ।

ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର ଭାବରେ ପ୍ରତିଷ୍ଠିତ ହୋଇପାରିଲେ ରାଜ୍ୟରେ ଗଣିତ, ପରିସଂଖ୍ୟାନ ଓ ଅର୍ଥନୀତି ବିଷୟରେ ଅଧିକ ଅଧ୍ୟୟନ ଓ ଗବେଷଣା ହୋଇପାରିବ ।

ରାଜ୍ୟରେ ୫-‘ଟି’ ରୂପାନ୍ତରଣରେ ସାମିଲ ସ୍କୁଲଗୁଡ଼ିକର ଗଣିତ ଶିକ୍ଷକମାନେ ଏହି ପ୍ରତିଷ୍ଠାନରେ ତାଲିମ ଗ୍ରହଣ କରିବେ ବୋଲି ମନ୍ତ୍ରୀ ଦର୍ଶାଇବା ସହିତ ‘ଇସ୍ରୋ’ର ‘ସ୍ପେସ୍‌ ଅନ୍‌ ହୁଇଲ୍‌’ କାର୍ଯ୍ୟକ୍ରମ ଏଠାରେ ଆୟୋଜନ କରାଯିବା କଥା ଉଲ୍ଲେଖ କରିଛନ୍ତି । ସେ ମଧ୍ୟ ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ଗଣିତ ଓ ବିଜ୍ଞାନ ଶିକ୍ଷାର ପ୍ରସାର ପାଇଁ ନିଆଯାଇଥିବା ସରକାରୀ ପଦକ୍ଷେପଗୁଡ଼ିକ ସଂପର୍କରେ ସୂଚନା ଦେଇଛନ୍ତି ।

ଏହି ଉତ୍ସବରେ ମନ୍ତ୍ରୀ ଶ୍ରୀ ପଣ୍ଡା କାର୍ଯ୍ୟକ୍ରମର ଅତିଥି ପ୍ରଫେସର ଗୋକୁଳାନନ୍ଦ ଦାସ, ପ୍ରଫେସର ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ପ୍ରଫେସର ସ୍ୱାଧୀନ ପଟ୍ଟନାୟକ ଏବଂ ପ୍ରଫେସର ସୁଦର୍ଶନ ବାରିକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ଗଣିତ ଶିକ୍ଷାର ତାତ୍ପର୍ଯ୍ୟ, ଭାରତୀୟ ବିଦ୍ୟାରେ ଗଣିତର ଭୂମିକା ଏବଂ ଆମ ଜୀବନଧାରାରେ ଗଣିତର ଉପଯୋଗ ସଂପର୍କରେ ବକ୍ତବ୍ୟ ରଖି ଛାତ୍ରଛାତ୍ରୀମାନଙ୍କୁ ଗଣିତ ଅଧ୍ୟୟନରେ ଅଧିକ ଦକ୍ଷ ହେବା ପାଇଁ ପରାମର୍ଶ ଦେଇଥିଲେ ।

ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଯଶୋବନ୍ତ ଜେନା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ବିଜ୍ଞାନ ଓ କାରିଗରୀ ବିଭାଗ ଅଧୀନରେ ରହିଥିବା ଏହି ପ୍ରତିଷ୍ଠାନରେ ବର୍ତ୍ତମାନ ଛାତ୍ରଛାତ୍ରୀମାନେ ସ୍ନାତକ ଶିକ୍ଷା ଓ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ ସମେତ ଗବେଷଣା କରୁଥିବା ଦର୍ଶାଇ ଏହାକୁ ସ୍ୱୟଂଶାସିତ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ଉପରେ ପ୍ରସ୍ତାବ ରଖିଥିଲେ । ସେ ମଧ୍ୟ ପ୍ରତିଷ୍ଠାନରେ କମ୍ପୁ୍ୟଟର ଓ ଅନ୍ୟାନ୍ୟ ବିଜ୍ଞାନଭିତ୍ତିକ ପାଠ୍ୟକ୍ରମ ପ୍ରଚଳନ ଉପରେ ମତ ଦେଇଥିଲେ । ପ୍ରାରମ୍ଭରେ ପ୍ରତିଷ୍ଠାନର ଛାତ୍ରୀମାନେ ଆବାହନୀ ସଂଗୀତ ପରିବେଷଣ କରିଥିଲେ ।

LEAVE A REPLY

Please enter your comment!
Please enter your name here