Home Health ଗଡିଲା କୋଭିଡ୍ ସଚେତନତା ରଥ

ଗଡିଲା କୋଭିଡ୍ ସଚେତନତା ରଥ

ଭୁବନେଶ୍ୱର : ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ୟୁନିସେଫ୍ ଓଡିଶା ଶାଖାର ମିଳିତ ଆନୁକୂଲ୍ୟରେ ଆଜି ସଂସ୍କୃତି ଭବନ ଠାରୁ କୋଭିଡ୍ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ କରାଯାଇଛି । ୭ଟି କୋଭିଡ୍ ସଚେତନତା ରଥ ରାଜ୍ୟର ୭ଟି ଜିଲ୍ଲା ଯଥା ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଗଂଜାମ, ଖୋର୍ଦ୍ଧା ସମେତ ଭୁବନେଶ୍ୱର ମହାନଗର ନିଗମ ମଧ୍ୟରେ ଡିସେମ୍ବର ୨୪ରୁ ୩୦ତାରିଖ ପର୍ଯ୍ୟନ୍ତ ୭ ଦିନ ବ୍ୟାପି ପରିକ୍ରମା କରି ସଚେତନତା ସୃଷ୍ଟି କରିବ । ଏହି ରଥ କରୋନା ମହାମାରୀରୁ ରକ୍ଷାପାଇଁ ଏବଂ ନିଜକୁ ସୁରକ୍ଷିତ ରଖିବା ପାଇଁ ଜନସାଧାରଣଙ୍କୁ ସଚେତନ କରିବ । ସ୍ଥାନୀୟ ଲୋକକଳାକାରମାନେ ମଧ୍ୟ ଏହି ସଚେତନତା କାର୍ଯ୍ୟରେ ଅଂଶ ଗ୍ରହଣ କରିବ

ଏହି ରଥକୁ ସବୁଜ ପତାକା ଦେଖାଇ ଉଦ୍ଘାଟନ କରି ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କହିଲେ ଯେ, ଶୀତଋତୁକୁ ଦୃଷ୍ଟିରେ ରଖି ଏହି ସଚେତନତା କାର୍ଯ୍ୟକ୍ରମ କରାଯିବାର ଆବଶ୍ୟକତା ରହିଛି । କୋଭିଡ୍ ବିରୁଦ୍ଧ ପ୍ରତ୍ୟେକ କାର୍ଯ୍ୟ ମୂଳରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗ୍ଦର୍ଶନ ଓ ଦୂରଦୃଷ୍ଟି ରହିଆସିଛି । ତାଙ୍କ ଦ୍ୱାରା ନିୟମିତ ସମୀକ୍ଷା ଓ ବଳିଷ୍ଠ ପଦକ୍ଷେପ ଯୋଗୁଁ ଓଡିଶା କୋଭିଡ୍ ପରିଚାଳନା କ୍ଷେତ୍ରରେ ଭାରତ ବର୍ଷରେ ସୁନାମ ଅର୍ଜନ କରିଛି । ଏଥିପାଇଁ ଓଡିଶା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମଧ୍ୟ ଦୃଷ୍ଟି ଆକର୍ଷଣ କରିଛି ।

ଲୋକ କଳାକାରମାନେ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ସେମାନଙ୍କ ଦ୍ୱାରା କୋଭିଡ୍ ସଚେତନତା ବାର୍ତା ପହଁଚାଇବାର ନୂଆ ଚିନ୍ତାଧାରା ଲୋକମାନଙ୍କ ପାଇଁ ମଙ୍ଗଳଦାୟକ ସାବ୍ୟସ୍ତ ହେବ ବୋଲି ମନ୍ତ୍ରୀ ଶ୍ରା ଦାସ ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ଓଡିଆ ଭାଷା ଓ ସଂସ୍କୃତି ବିଭାଗର ପରାମର୍ଶ ଦାତା ଜନ୍ମେଜୟ ଲେଙ୍କା ଯୋଗଦେଇ କହିଲେ ଯେ, ଗାଁ ଗହଳିରେ କୋଭିଡ୍ ସଚେତନତା ସୃଷ୍ଟି କରିବା ପାଇଁ ଲୋକ କଳାକାରମାନେ ଆଗେଇ ଆସିଛନ୍ତି ।

ଓଡିଆ ଭାଷା ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଯୋଗଦେଇ କହିଲେ ଯେ, କରୋନା ସଂକ୍ରମଣର ମାତ୍ରା ହ୍ରାସ ପାଇଥିଲେ ବି ଏହା ଆମଠାରୁ ସମ୍ପୂର୍ଣ୍ଣ ଦୂରେଇ ଯାଇନି । ପ୍ରଥମ ପର୍ଯ୍ୟାୟରେ କୋଭିଡ୍ ରଥ ୭ଟି ଜିଲ୍ଲା ପାଇଁ ଆରମ୍ଭ କରାଯାଇଥିବା ବେଳେ ଅନ୍ୟ ଜିଲ୍ଲାପାଇଁ ମଧ୍ୟ ଏହି କାର୍ଯ୍ୟ ଆଗକୁ କରାଯିବ ବୋଲି ସେ କହିଥିଲେ । ସୂଚନା ଓ ଲୋକ ସମ୍ପର୍କ ବିଭାଗ ଶାସନ ସଚିବ ସଂଜୟ କୁମାର ସିଂହ ଯୋଗଦେଇ କହିଲେ ଯେ, ଯେବେଠାରୁ କୋଭିଡ୍ ଆସିଛି, ଓଡିଶାରେ ଏହାର ସଂକ୍ରମଣକୁ ରୋକିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ପଦକ୍ଷେପ ନିଆଯାଇଛି ।

ପ୍ରାରମ୍ଭରେ ଓଡିଆ ଭାଷା ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ରଂଜନ କୁମାର ଦାସ ଯୋଗଦେଇ କହିଲେ ଯେ, କରୋନା କଟକଣା ଯୋଗୁଁ ଦୀର୍ଘ ଦିନ ଧରି ଲୋକ କଳାକାରମାନଙ୍କର ଜୀବନ ଜୀବିକା ନେଇ ପଦକ୍ଷେପ ନେବାକୁ ସରକାରଙ୍କ ଠାରେ ସେମାନଙ୍କର ଦାବୀ ଥିଲା । କରୋନା ସଂକ୍ରମଣ ପରବର୍ତୀ ସଚେତନତାର ବାର୍ତାନେଇ କଳାକାରମାନେ ମୃତାହତ ସଂଖ୍ୟାକୁ କମାଇବାରେ ଅଧିକ ସହାୟକ ହେବେ ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୟୁ.ନି.ସେ.ଫ୍ର ସ୍ୱାସ୍ଥ୍ୟ ବିଶେଷଜ୍ଞ ଡା. ମୀନା ସୋମ, ୟୁନିସେଫ୍ ଶାଖା ମୁଖ୍ୟ ଡା. ସୋମେନ୍ ରୟ, ୟୁନିସେଫ୍ର ସଂସ୍କୃତି ସଂଯୋଜକ ବାସୁଦେବ ମହାବିଶୋଇ, ସଂସ୍କୃତି ବିଭାଗ ଉପ ନିର୍ଦ୍ଦେଶକ, ଦେବାନନ୍ଦ ବରିହା, ସୂଚନା ଓ ଲୋକ ସଂପର୍କ ବିଭାଗ ବୈ÷ଷୟିକ ନିର୍ଦ୍ଦେଶକ ନିରଂଜନ ସେଠୀ ପ୍ରମୁଖ ଯୋଗଦେଇଥିଲେ ।
ଏହି ପରିପ୍ରେକ୍ଷୀରେ ଶ୍ରୀ ମହାବିଶୋଇଙ୍କ ଦ୍ୱାରା ରଚିତ ଓ ସଂଯୋଜିତ କରୋନା ସଚେତନତା ଆଧାରିତ ଅଡିଓ ସିଡି ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ କୋଭିଡ୍ କଟକଣା ଅନୁପାଳନ ପାଇଁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ନାରାୟଣ ସ୍ୱାଇଁ ଓ ସାଥୀ ଏବଂ ଅନ୍ତର୍ଯ୍ୟାମୀ ବାରିକ ଏବଂ ସାଥୀଙ୍କ ଦ୍ୱାରା କୋଭିଡ୍ ସଚେତନତା ଉପରେ ଯଥାକ୍ରମେ ପାଲା ଓ ଘୋଡାନାଚ ପରିବେଷଣ କରାଯାଇଥିଲା । ଅବନୀ କୁମାର ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

ପ୍ରକାଶ ଥାଉକି, ପ୍ରସ୍ତୁତ ଯୋଜନା ଅନୁସାରେ ଚଳିତ ମାସ ୨୫ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସକାଳ ୯ଟାରୁ ସଂଧ୍ୟା ୫ ଘଟିକା ପର୍ଯ୍ୟନ୍ତ ଦିନକୁ ୨ ଗୋଟି ଭିନ୍ନ ଭିନ୍ନ ଲୋକକଳା ଦଳକୁ ସଚେତନତା ରଥ ସହ ସାମିଲ କରାଯିବ । ବ୍ୟବସ୍ଥା ହୋଇଥିବା ଗାଡିରେ ଲୋକକଳା ଦଳ କୋଭିଡ୍ ସମ୍ପର୍କରେ ଅନୁମୋଦିତ ହୋଇଥିବା ଲେଖା ଅନୁସାରେ ମଝିରେ ମଝିରେ ସଚେତନତା କାର୍ଯ୍ୟକ୍ରମ ପରିବେଷଣ କରିବେ । ଏ ସଂପର୍କରେ ସବିଶେଷ ନିର୍ଦ୍ଦେଶନାମା ତଥା ନିୟମାବଳୀ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ଜାରି କରାଯାଇଛି ।