Home Cooperation ଗଠନ ହେବ ୩୫ଟି ବିଶ୍ୱସ୍ତରୀୟ ଗୋଦାମ

ଗଠନ ହେବ ୩୫ଟି ବିଶ୍ୱସ୍ତରୀୟ ଗୋଦାମ

ଭୁବନେଶ୍ୱର : ଶସ୍ୟ ସଂରକ୍ଷଣ ପାଇଁ ରାଜ୍ୟରେ ସମବାୟ ସ୍ତରରେ ୩୫ଟି ବିଶ୍ୱସ୍ତରୀୟ ବୃହତ୍‍ ଗୋଦାମ ଘର ନିର୍ମାଣ କରାଯିବ । ପ୍ରଥମ ପର୍ଯ୍ୟାୟରେ ୨୦ଟି ଗୋଦାମ ଘର ନିର୍ମାଣ ପାଇଁ ସ୍ଥିର ହୋଇଛି ।

ରାଜ୍ୟ ସରକାର ଏଭଳି ବୃହତ୍‍ ଗୋଦାମଘର ନିର୍ମାଣକୁ ପାଇଲଟ୍‍ ପ୍ରକଳ୍ପ ଭାବେ ଗ୍ରହଣ କରିଥିବାବେଳେ ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ୍‍ (ନାବାର୍ଡ), ଜାତୀୟ ସମବାୟ ବିକାଶ ନିଗମ (ଏନସିଡିସି), ଜାତୀୟ କୋଠାବାଡି ନିର୍ମାଣ ନିଗମ (ଏନ୍‍ବିସିସି) ଜରିଆରେ ଏହା କାର୍ଯ୍ୟକାରୀ ହେବ । ଯେଉଁସବୁ ପ୍ରାଥମିକ କୃଷି ସେବା ସମବାୟ ସମିତି (ପାକସ୍‍) ଓ ଲାମ୍ପସ୍‍ ଆଦିରେ ଏହା ନିର୍ମାଣ କରାଯିବ ସମ୍ପୃକ୍ତ ସମିତିଗୁଡିକୁ ଏ ସଂକ୍ରାନ୍ତରେ ଅବଗତ କରାଯିବା ସହିତ ତ୍ରିପକ୍ଷୀୟ ରାଜିନାମା ପାଇଁ କୁହାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବାକୁ ଥିବା ୨୦ଟି ବୃହତ୍‍ ଗୋଦମଘର ମଧ୍ୟରେ ଜଗତସିଂହପୁର, ନୂଆପଡା ଓ ଅନୁଗୁଳ ଜିଲ୍ଲାରେ ୪ଟି କରି ଥିବାବେଳେ ବାଲେଶ୍ୱର ଓ ବ୍ରହ୍ମପୁର ଠାରେ ଦୁଇଟି କରି ଏବଂ କଟକ, ବାଙ୍କି, ସୁନ୍ଦରଗଡ ଓ ବଣାଇ ଠାରେ ଗୋଟିଏ କରି ନିର୍ମାଣ କରାଯିବ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୫ଟି ବୃହଦାକାୟ ଗୋଦାମ ଘର ନିର୍ମାଣ ପାଇଁ ସ୍ଥିର ହୋଇଛି ।

ଦ୍ୱିୀତୟ ପର୍ଯ୍ୟାୟରେ ଯେଉଁସବୁ ସ୍ଥାନରେ ଏହି ବିଶ୍ୱସ୍ତରୀୟ ବୃହତ୍‍ ଗୋଦାମଘର ନିର୍ମାଣ ହେବ ସେଥିସବୁ ସ୍ଥାନ ମଧ୍ୟରେ ରହିଛି ବାଲେଶ୍ୱର, ବରଗଡ, ଭଦ୍ରକ, ବୌଦ, ଦେବଗଡ, ଗଜପତି, ଜଗତ୍‍ସିଂହପୁର, କନ୍ଧମାଳ, ଖୋରଧା, ମାଲକାନଗିରି, ନବରଙ୍ଗପୁର, ନୟାଗଡ, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ । ଏଠାରେ ଗୋଟିଏ କରି ଗୋଦାମଘର ନିର୍ମାଣ ହେବାକୁ ଥିବାବେଳେ ସମ୍ପୃକ୍ତ ସମବାୟ ସମିତିଗୁଡିକ ଏ ନେଇ ସଙ୍କଳ୍ପ ପାରିତ ସହିତ ତାହାକୁ ପଠାଇବାକୁ କୁହାଯାଇଛି ।

ସମବାୟ ସମିତିଗୁଡିକ ଗୋଦାମଘର ନିର୍ମାଣ ହେବାକୁ ଥିବା ଜମିର ରେକର୍ଡ ଅଫ୍‍ ରାଇଟସ୍‍, ଫଟୋ ଏବଂ ଭିଡିଓ ସହିତ କେଉଁ ପରିମାଣର ଗୋଦାମଘର ନିର୍ମାଣ ହେବ ତାହା ଦର୍ଶାଇବାକୁ କୁହାଯାଇଛି । ସେହିଭଳି ସମ୍ପୃକ୍ତ ପାକସ୍‍ ଏବଂ ଲାମ୍ପସ୍‍ର ସଭାପତି ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦସ୍ତଖତରେ ଏହା ପଠାଯିବ । ଏଥି ସହିତ ସମ୍ପୃକ୍ତ ସମବାୟ ସଂସ୍ଥା ପାରିତ ସଙ୍କଳ୍ପର ଏକ ନକଲ ଏବଂ ପାନ୍‍କାର୍ଡ ଦେବାକୁ କୁହାଯାଇଛି ।

ଏଠାରେ ଉଲ୍ଲେଖନୀୟ ଯେ ବର୍ତ୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ଖାଦ୍ୟସାମଗ୍ରୀ ଗଚ୍ଛିତ ପାଇଁ ବଡ ବଡ ଗୋଦାମଘରର ଆବଶ୍ୟକ ପଡୁଛି । ଏଥି ସହିତ ରାଜ୍ୟରେ ଉତ୍ପାଦିତ ହେଉଥିବା ବିଭିନ୍ନ ଖାଦ୍ୟଶସ୍ୟ ମହଜୁଦ ପାଇଁ ଗୋଦାମ ଆବଶ୍ୟକ ବୃଦ୍ଧି ପାଉଛି । ନିୟମିତ ବ୍ୟବହାର ସହିତ ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ମଧ୍ୟ ସରକାର ବିପୁଳ ପରିମାଣର ଖାଦ୍ୟଶସ୍ୟ ମହଜୁଦ କରିଥାନ୍ତି । ତେଣୁ ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ବିଶ୍ୱସ୍ତରୀୟ ବୃହଦାକାୟ ଗୋଦାମଘର ନିର୍ମାଣ ପାଇଁ ସ୍ଥିର କରିଛନ୍ତି । (ତଥ୍ୟ)