Home General ଗଞ୍ଜେଇ ମାମଲାରେ ୨୫୨୭ ଗିରଫ

ଗଞ୍ଜେଇ ମାମଲାରେ ୨୫୨୭ ଗିରଫ

ଭୁବନେଶ୍ୱର : ଗଞ୍ଜେଇ କାରବାର ଅଭିଯୋଗରେ ଗତ ୫ବର୍ଷ ଭିତରେ ଅଢେଇ ହଜାରରୁ ଅଧିକ ଲୋକ ଗିରଫ ହୋଇଥିବାବେଳେ ଏ ସଂକ୍ରାନ୍ତୀୟ ମାମଲା ସଂଖ୍ୟା ବି ଦୁଇ ହଜାରରୁ ଅଧିକ ରହିଛି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ।

ମନ୍ତ୍ରୀ ଆଜି ବିଧାନସଭାରେ ଦେଇଥିବା ସୂଚନା ଅନୁଯାୟୀ ୨୦୧୭-୧୮ ରୁ ୨୦୨୨-୨୩ ମଧ୍ୟରେ ରାଜ୍ୟରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ୨୫୨୭ଜଣ ଗିରଫ ହୋଇଛନ୍ତି । ଏହି ଗିରଫଦାରୀ ବର୍ଷକୁ ବର୍ଷ ବଢିବାରେ ଲାଗିଛି । ୨୦୧୭-୧୮ରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ମାତ୍ର ୨୭୯ ଜଣ ଗିରଫ ହୋଇଥିବାବେଳେ ୨୦୨୧-୨୨ ରେ ଏହି ସଂଖ୍ୟା ୭୬୯ରେ ପହଞ୍ଚିଛି । ଚଳିତ ଆର୍ଥିକ ବର୍ଷରେ ପ୍ରଥମ ଦୁଇ ମାସରେ ୩୧୭ଜଣ ଗିରଫ ହେଲେଣି ।

ସେହିଭଳି ଏହି ସମୟ ମଧ୍ୟରେ ୨୨୨୬ଟି ମାମଲା ରୁଜୁ ହୋଇଛି । ୨୦୧୭-୧୮ ବର୍ଷରେ ଗଞ୍ଜେଇ ଚାଲାଣ ମାମଲାରେ ୨୪୯ଟି ମାମଲା ରୁଜୁ ହୋଇଥିବାବେଳେ ୨୦୨୧-୨୨ରେ ଏହା ୬୮୯ରେ ପହଞ୍ଚିଛି । ମାମଲା ସହିତ ତାଳ ଦେଇ ବର୍ଷକୁ ବର୍ଷ ଗିରଫଦାରୀ ବଢିଛି ।

ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ରାଜ୍ୟରେ ଗଞ୍ଜେଇ ଚାଷ ସରକାରୀ ନିୟନ୍ତ୍ରଣ ବାହାରକୁ ଯାଉଥିବା ସତ୍ୟ ନୁହେଁ । ବରଂ ଏହାକୁ ସମୂଳେ ବନ୍ଦ କରିବାପାଇଁ ସକାରୀ ସ୍ତରରେ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଛି । ପୁଲିସ୍‍, ଅବକାରୀ, ରାଜସ୍ୱ ଓ ଜଙ୍ଗଲ ବିଭାଗ ମିଳିତ ଭାବେ ଗଞ୍ଜେଇ ଚାଷ ହେଉଥିବା ଅଞ୍ଚଳରେ ଚଢଉ କରୁଛନ୍ତି । ଗଞ୍ଜେଇ ଚାଷକୁ ନିୟନ୍ତ୍ରଣ କରିବାପାଇଁ ଏସ୍‍ଟିଏଫ୍‍ ତଥା ଗଞ୍ଜେଇ ଚାଷ ପ୍ରବଣ ଜିଲ୍ଲା ଅବକାରୀ ଅଧୀକ୍ଷକମାନଙ୍କୁ ପ୍ରତିବର୍ଷ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ।

ସେହିଭଳି ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଜବତ ହେଉଥିବା ଗଞ୍ଜେଇକୁ ଜିଲ୍ଲାରେ ଥିବା ମାଲଖାନା ତଥା ଏନ୍‍ଡିପିଏସ୍‍ ଗୋଦାମ ମାନଙ୍କରେ ସୁରକ୍ଷିତ ଭାବେ ରଖାଯାଇଥାଏ । ତେଣୁ ଏହି ଜବତ ଗଞ୍ଜେଇ ପୁର୍ନବାର ମାଫିଆମାନଙ୍କ ପାଖକୁ ଚାଲିଯାଉଥିବା କଥା ଭିତ୍ତିହୀନ ଅଟେ ।

ମନ୍ତ୍ରୀ ଦେଇଥିବା ଉତ୍ତରରେ ଉଲ୍ଲେଖ କରାଯାଇଛି ଯେ ୨୦୧୭-୧୮ ବର୍ଷରେ ସମଗ ରାଜ୍ୟରୁ ୧୨,୬୩୩ କିଲୋ ଗଞ୍ଜେଇ ଜବତ ହୋଇଥିବାବେଳେ ୨୦୨୦-୨୧ ରେ ଏହା ୧୭ ହଜାର କିଲୋକୁ ଟପିଯାଇଥିଲା । ଜବତ ଗଞ୍ଜେଇ, ମାମଲାରୁଜୁ ଓ ଗିରଫଦାରୀ ସହିତ ବିପୁଳ ପରିମାଣର ଗାଡିମୋଟର ବି ଜବତ ହେଉଛି । ୨୦୧୭-୧୮ ବର୍ଷରେ ଏହି ମାମଲାରେ ଜବତ ଗାଡିମୋଟରର ସଂଖ୍ୟା ମାତ୍ର ୫୫ ଥିବାବେଳେ ୨୦୨୦-୨୧ ରେ ତାହା ୧୨୨ରେ ପହଞ୍ଚିଥିବା ମନ୍ତ୍ରୀ ଦର୍ଶାଇଛନ୍ତି । (ତଥ୍ୟ)