Home News in Odia ଗଞ୍ଜେଇ ବେପାରୀ ସକ୍ରିୟ

ଗଞ୍ଜେଇ ବେପାରୀ ସକ୍ରିୟ

ଭୁବନେଶ୍ୱର : କମିଶନରେଟ ପୁଲିସ୍‍ର ଘନ ଘନ ଚଢଉରେ ଚୋରା ମଦ ବେପାରୀ ଏକ ପ୍ରକାର ଛତ୍ରଭଙ୍ଗ ଦେଇଥିବାବେଳେ ଗଞ୍ଜେଇ ବେପାରୀମାନେ ସକ୍ରିୟ ହୋଇ ଉଠିଛନ୍ତି । ରାଜଧାନୀର ବିଭିନ୍ନ ବସ୍ତିରେ ଏମାନଙ୍କ ସାମ୍ରାଜ୍ୟ ବିସ୍ତାର ହେଉଥିବାବେଳେ ପୁଲିସ୍‍ ଚଢଉ ଭୟ ଏବଂ ଆଇନ କବଳରୁ ଖସିବାପାଇଁ ଏମାନେ ଏକାଧିକ ସ୍ଥାନରେ ଗଞ୍ଜେଇକୁ ଲୁଚାଇ ରଖୁଛନ୍ତି ।

ରାଜଧାନୀରେ ଗଞ୍ଜେଇ ବେପାରୀ କିଭଳି ସକ୍ରିୟ ତାହାର ସହରର ବିଭିନ୍ନ ଗଳିକନ୍ଦିରେ ଥିବା ଛୋଟ ଛୋଟ ଦୋକାନ ଆଖପାଖକୁ ଲକ୍ଷ୍ୟକଲେ ଜଣେ କେହି ସହଜରେ ଦେଖିପାରିବ । ଛୋଟ ଛୋଟ ଦୋକାନୀମାନେ ଗଞ୍ଜେଇ ପୁଡିଆ ଓ ଗଞ୍ଜେଇ ସିଗାରେଟ ରଖି ଅବାଧରେ କାରବାର କରୁଛନ୍ତି । ସକାଳ ହେଲେ ଉଚ୍ଚଶିକ୍ଷିତ ଛାତ୍ରଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ଗଞ୍ଜେଇ ଭର୍ତ୍ତି ସିଗାରେଟ ଟାଣିବାପାଇଁ ଭିଡ ଜମାଉଛନ୍ତି । ରାଜଭବନ ନିକଟରେ ଥିବା ଛଅ ନମ୍ବର ଅଞ୍ଚଳରେ ଏଭଳି ଗଞ୍ଜେଇ ସିଗାରେଟର ଅବାଧ କାରବାର ଚାଲିଥିବା ଦେଖିବାକୁ ମିଳୁଛି । ଗଳିକନ୍ଦିରେ ଏହି ନିଶା ବେପାର ପୁଲିସ୍‍ ନଜରରେ ନପଡିବା ଏବେ ସ୍ଥାନୀୟ ବାସିନ୍ଦାଙ୍କୁ ଆଶ୍ଚର୍ଯ୍ୟ କରୁଛି ।

ତେବେ ସବୁଠାରୁ ବଡ କଥା ହେଲା ପୁଲିସ୍‍ ପକ୍ଷରୁ ଚଢାଉ ହୋଇ ମଦପ୍ରସ୍ତୁତକାରୀଙ୍କୁ ଯେଭଳି ସହଜରେ ଧରାଯାଇ ପାରୁଛି ଗଞ୍ଜେଇ ବେପାରୀ ଓ ବିକ୍ରେତାଙ୍କୁ ସେଭଳି ଧରିବା ସହଜ ହେଉନାହିଁ । ଆଇନ୍‍ଜୀବୀମାନଙ୍କ ମତରେ ଅଳ୍ପ ପରିମାଣର ଗଞ୍ଜେଇ ଜବତ ହେଉଥିବା ଲୋକଙ୍କ ବିରୁଦ୍ଧରେ କୋହଳ ଦଫା ଲାଗୁଥିବାରୁ ଏହାର ଫାଇଦା ଏବେ ଗଞ୍ଜେଇ ବେପାରୀମାନେ ନେଉଛନ୍ତି । ବାହାରୁ ଆଣୁଥିବା ଗଞ୍ଜେଇକୁ ଛୋଟ ଛୋଟ ପୁଡା କରି ବିଭିନ୍ନ ଲୋକଙ୍କ ଘରେ ଲୁଚାଇ ରଖୁଛନ୍ତି ।

ତେବେ ନିଶାବେପାରୀଙ୍କ ଘର ଉପରେ ପୁଲିସ୍‍ ଏବେ ବୁଲଡୋଜର ଚଢାଇବା ଆରମ୍ଭ କରିଥିବାରୁ କିଛି ଗଞ୍ଜେଇ ଓ ବ୍ରାଉନସୁଗାର ବେପାରୀଙ୍କୁ ଆଉ ବସ୍ତିରେ ଘରଭଡା ମିଳୁନାହିଁ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ସହରତଳି ଅଞ୍ଚଳକୁ ଯିବା ସହିତ ରାତି ପାହିଲେ ଦୁଇ ଚକିଆ ଓ ଚାରିଚକିଆ ଯାନରେ ନିଶା ସାମଗ୍ରୀ ଧରି ପୁରୁଣା କାରବାର ସ୍ଥାନରେ ହାଜର ହୋଇ ଯାଉଛନ୍ତି । ମୁଖ୍ୟ ନିଶା ବେପାରୀମାନେ ଜିଲ୍ଲା ବାହାରେ ରହିବା ସହିତ ଛୋଟ ଛୋଟ ବେପାରୀଙ୍କ ସହିତ କଥା ହେବାପାଇଁ ହ୍ୱାଟସଆପ୍‍ ଓ ଟେଲିଗ୍ରାମ ଭଳି ଆପ୍‍ ବ୍ୟବହାର କରୁଛନ୍ତି ।

ଅନ୍ୟ ପକ୍ଷରେ ନିଶା ବେପାରୀଙ୍କୁ ସାବାଡ ପାଇଁ ପୁଲିସ୍‍ ବସ୍ତିକୁ ଚାଲ ଅଭିଯାନ ଚଳାଇଥିବାବେଳେ ଏବେ ବସ୍ତି ବାହାରେ ବିଶେଷକରି ରାସ୍ତାକଡ ଓ କନଜରଭେନ୍ସିରେ ଗଢି ଉଠୁଥିବା ବେଆଇନ୍‍ ଘର ପ୍ରତି ପୁଲିସ୍‍ ନଜର ଦେଉନାହିଁ । ଏମାନଙ୍କୁ ଉଚ୍ଛେଦ ପାଇଁ ବିଏମ୍‍ସି, ବିଡିଏ ଓ ସାଧାରଣ ପ୍ରଶାସନ ବିଭାଗ ସେଭଳି ଆଗ୍ରହ ପ୍ରକାଶ କରୁନଥିବାବେଳେ ସ୍ଥାନୀୟ କୁଜି ନେତାମାନେ ଏମାନଙ୍କ ରକ୍ଷାକବଚ ସାଜିଛନ୍ତି । ଏହିସବୁ ବେଆଇନ୍‍ ଘର ଏବେ ନିଶା ବେପାରୀଙ୍କ ଆଡ୍ଡା ପାଲଟିଥିବାବେଳେ ତୁରନ୍ତ ଏଭଳି ଘରକୁ ଭାଙ୍ଗିଦେବାପାଇଁ ସ୍ଥାନୀୟ ଲୋକେ ମତ ଦେଉଛନ୍ତି । ନଚେତ ଆଗାମୀ ଦିନରେ ନିଶା କାରବାରକୁ ରୋକିବାପାଇଁ ପୁଲିସ୍‍ ପକ୍ଷରେ ସହଜ ହେବନାହିଁ ବୋଲି ମତପ୍ରକାଶ ପାଉଛି । (ତଥ୍ୟ)