Home Agriculture ଗଞ୍ଜାମରେ ସର୍ବାଧିକ ଭାଗଚାଷୀ ପରିବାର

ଗଞ୍ଜାମରେ ସର୍ବାଧିକ ଭାଗଚାଷୀ ପରିବାର

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାରେ ରାଜ୍ୟର ସର୍ବାଧିକ ଭାଗଚାଷୀ ପରିବାର ରହିଛନ୍ତି । ଏହି ଜିଲ୍ଲାରେ ୧୧,୫୩୧ ଭାଗଚାଷୀ ପରିବାର ରହିଥିବାବେଳେ କଟକ ଜିଲ୍ଲାରେ ଦ୍ୱିତୀୟ ସର୍ବାଧିକ ୩୮୪୦ ପରିବାର ଅଛନ୍ତି ।

ରାଜ୍ୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଆଜି ବିଧାନସଭାରେ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ କାଳିଆ ଯୋଜନାରେ ମୋଟ୍‍ ୫୭,୬୧୪ ଭାଗଚାଷୀ ପରିବାର ସାମିଲ ଥିବାବେଳେ ଗଞ୍ଜାମରେ ଏମାନଙ୍କ ସଂଖ୍ୟା ସର୍ବାଧିକ ରହିଛି ।

ସେହିଭଳି କଳାହାଣ୍ଡି ଜିଲ୍ଲାରେ ୩୬୬୮ ଭାଗଚାଷୀ ପରିବାର ଥିବାବେଳେ ନୟାଗଡରେ ୩୪୮୧, କୋରାପୁଟରେ ୨୯୬୦, ଖୋରଧାରେ ୨୭୨୩, କେନ୍ଦ୍ରାପଡାରେ ୨୬୨୮, ପୁରୀରେ ୧୯୪୦, ମାଲକାନଗିରିରେ ୧୮୩୧, ଜଗତ୍‍ସିଂହପୁରରେ ୧୭୯୪ ଓ ରାୟଗଡାରେ ୧୭୭୩ ଭାଗଚାଷୀ ପରିବାର ରହିଛନ୍ତି । ସବୁଠାରୁ କମ୍‍ ଭାଗଚାଷୀ ମାତ୍ର ୫୦ ପରିବାର ଦେବଗଡ ଜିଲ୍ଲାରେ ଥିବାବେଳେ ଝାରସୁଗୁଡାରେ ଏମାନଙ୍କ ସଂଖ୍ୟା ୯୦ ରହିଛି ।

ମନ୍ତ୍ରୀ ଦର୍ଶାଇଛନ୍ତି ଯେ କାଳିଆ ଯୋଜନାରେ ବର୍ତ୍ତମାନ ସୁଦ୍ଧା ମୋଟ୍‍ ୩୬,୯୮,୦୧୮ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୭,୮୯,୧୦୩ ଜଣ ଭୂମିହୀନ ଚାଷୀ ପରିବାରକୁ ସହାୟତା ରାଶି ପ୍ରଦାନ କରାଯାଇଛି । ଏହି ଯୋଗ୍ୟ ହିତାଧିକାରୀମାନଙ୍କ ମଧ୍ୟରେ ୫୭,୬୧୪ ଭାଗଚାଷୀ ପରିବାର ଅଛନ୍ତି ।

ସେହିଭଳି ବିଜେପି ନେତା ମୋହନ ଚରଣ ମାଝିଙ୍କ କାଳିଆ ଯୋଜନା ସଂକ୍ରାନ୍ତୀୟ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କୃଷିମନ୍ତ୍ରୀ ଡକ୍ଟର ସାହୁ କହିଛନ୍ତି ଯେ କାଳିଆ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୩ଟି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଏଗୁଡିକ ମଧ୍ୟରେ ଚାଷ ପାଇଁ ଚାଷୀଙ୍କୁ ସହାୟତା, ଭୂମିହୀନ କୃଷି ପରିବାରକୁ ଜୀବନ ଜୀବିକା ସହାୟତା ଓ କାଳିଆ ଛାତ୍ରବୃତ୍ତି ପ୍ରଦାନ ।

କାଳିଆ ଛାତ୍ରବୃତ୍ତି ଯୋଜନାରେ ସମସ୍ତ ଅର୍ଥ ରାଜ୍ୟ ସରକାର କାଳିଆ ଯୋଜନା ମାଧ୍ୟମରେ ବହନ କରିବେ ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ଆବଶ୍ୟକ ପଡୁଥିବା ପାଠ୍ୟକ୍ରମ ଫି, ହଷ୍ଟେଲ ଫି ତଥା ମେସ୍‍ ଖର୍ଚ୍ଚ ଇତ୍ୟାଦି ସରକାର ବହନ କରିବେ । ଏହି ଯୋଜନା ଚଳିତ ଆର୍ଥିକ ବର୍ଷରୁ ଲାଗୁ କରାଯାଇଛି । କେବଳ କାଳିଆ ଯୋଜନାରେ ଅର୍ନ୍ତଭୁକ୍ତ ହୋଇଥିବା କ୍ଷୁଦ୍ର, ନାମମାତ୍ର ଚାଷୀ, ଭାଗଚାଷୀ ଓ ଭୂମିହୀନ କୃଷି ପରିବାରଙ୍କ ସନ୍ତାନ ଏଥିରେ ସାମିଲ ହୋଇପାରିବେ ।

ତେବେ ପ୍ରତ୍ୟେକ ଚାଷୀ ଓ ଭୂମିହୀନ କୃଷି ଶ୍ରମିକଙ୍କୁ ଜୀବନବୀମା ଓ ଦୁର୍ଘଟଣା ଜନିତ ବୀମା ସୁବିଧା ଯୋଗାଇ ଦିଆଯିବା ନେଇ ସରକାରୀ ସ୍ତରରେ କୌଣସି ନିଷ୍ପତ୍ତି ହୋଇନଥିବା ମନ୍ତ୍ରୀ କହିଛନ୍ତି । (ତଥ୍ୟ)