Home News in Odia ଗଜପତିରେ ୯୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଗଜପତିରେ ୯୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଭୁବନେଶ୍ୱର : ରାଜ୍ୟ ବାହାରକୁ ଚାଲାଣ ହେଉଥିବା ଗଞ୍ଜେଇ ଜବତ କ୍ଷେତ୍ରରେ ଅବକାରୀ ବିଭାଗକୁ ବଡ ସଫଳତା ମିଳିଛି । ଗଜପତି ଜିଲ୍ଲା ଅବକାରୀ ଅଧିକାରୀମାନେ ମହାରାଷ୍ଟ୍ର ଚାଲାଣ ହେଉଥିବା ୧୯ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛନ୍ତି ଯାହାର ଆନୁମାନିକ ମୂଲ୍ୟ ୯୫ଲକ୍ଷ ଟଙ୍କା ଆକଳନ କରାଯାଇଛି ।

ଗଜପତି ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମହାରାଷ୍ଟ୍ରର MH 18 BG 9457 ନମ୍ବର ଥିବା ଗୋଟିଏ ଟ୍ରକକୁ ଆଜି ଗଜପତି ଅବକାରୀ ବିଭାଗର ଅଧିକାରୀମାନେ ସନ୍ଦେହଜନକ ଭାବେ ମାଲବାଘାଟି ନିକଟରେ ଅଟକାଇଥିଲେ । ଗାଡିଟି ଚଣ୍ଡିପୁଟରୁ ମହାରାଷ୍ଟ୍ର ଅଭିମୁଖେ ଯାଉଥିଲା ।

ତେବେ ଗାଡିରୁ ଅବକାରୀ ଅଧିକାରୀମାନେ ୧୯୦୦ କିଲୋ ଗଞ୍ଜେଇ ଜବତ କରିବା ସହିତ ଆଲୋକ ରଞ୍ଜନ ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି । ଗଞ୍ଜେଇଗୁଡିକ ଗାଡିରେ ଏଭଳି ଭାବେ ଚାଲାଣ ହେଉଥିଲା ଯେ ତାହାକୁ ଯେ କେହି ସହଜରେ ସନ୍ଦେହ କରିବେ ନାହିଁ । ପଲିଥିନ୍‍ ମୁଣାରେ ଗଞ୍ଜେଇକୁ ଭର୍ତ୍ତିକରି ତାହାକୁ ଦୁଇ ଚାରି ପରସ୍ତ ଜରି ଅଖାରେ ପୂରାଇ ଚାଲାଣ କରାଯାଉଥିଲା ।

ସମଗ୍ର ରାଜ୍ୟରେ ଏବେ ନିଶା କାରବାର ବିରୁଦ୍ଧରେ ଧରପଗଡ ଜୋରଦାର ହୋଇଥିବାବେଳେ ଗଜପତି ଜିଲ୍ଲା ଅବକାରୀ ଅଧିକାରୀମାନେ ଆଜି ରେକର୍ଡ ପରିମାଣ ଗଞ୍ଜେଇ ଜବତ କରିବାରେ ସକ୍ଷମ ହୋଇଛନ୍ତି । ଆଗାମୀ ଦିନରେ ଏହି ଚଢାଉକୁ ଆହୁରି ବ୍ୟାପକ କରାଯିବ ବୋଲି ଜିଲ୍ଲା ଅବକାରୀ ଅଧୀକ୍ଷକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here