Home Banking ଖୋଲାଯାଇ ପାରୁନି ଆକାଉଣ୍ଟ

ଖୋଲାଯାଇ ପାରୁନି ଆକାଉଣ୍ଟ

180
0

ଭାରତୀୟ ଷ୍ଟେଟ ବ୍ୟାଙ୍କ୍‍ର ଜିଲ୍ଲାରେ ଥିବା ଶହେରୁ ଅଧିକ କଷ୍ଟମର ସର୍ଭିସ ପଏଣ୍ଟ (ସିଏସ୍‍ପି)ରେ ପ୍ରାୟ ମାସେ ହେଲା ଲୋକେ ନିଜର ଆକାଉଣ୍ଟ ଖୋଲିପାରୁ ନାହାନ୍ତି । ବ୍ୟାଙ୍କ୍‍ ପକ୍ଷରୁ ଜିଲ୍ଲାରେ ପ୍ରତିଷ୍ଠା ହୋଇଥିବା ଡିଷ୍ଟ୍ରିକ୍ଟ ସେଲ୍ସ ହବ୍‍ (ଡିଏସ୍‍ଏଚ୍‍) ଅଚଳ ହୋଇଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ।

ବ୍ୟାଙ୍କ୍‍ ଶାଖା ଅଭାବରୁ ଜିଲ୍ଲାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ୍‍ର ୧୧୪ଟି ସିଏସ୍‍ପି ରହିଛି । ଏହା ମାଧ୍ୟମରେ ଗ୍ରାହକମାନେ ସେମାନଙ୍କର ଆକାଉଣ୍ଟ ଖୋଲୁଥିଲେ । ତେବେ ମାସେ ହେଲା ଷ୍ଟେଟବ୍ୟାଙ୍କ୍‍ ପକ୍ଷରୁ ଜିଲ୍ଲାର ପାରାଦୀପ୍‍ ଠାରେ ଡିଏସ୍‍ଏଚ୍‍ ଖୋଲାଯାଇଥିଲା । ନୂତନ ନିୟମ ଅନୁଯାୟୀ ଯେଉଁ ଗ୍ରାହକମାନେ ସିଏସ୍‍ପିରେ ସେମାନଙ୍କର ଆକାଉଣ୍ଟ ଖୋଲିବେ ସେମାନଙ୍କ କାଗଜପତ୍ର ଡିଏସ୍‍ଏଚ୍‍ କର୍ତ୍ତୃପକ୍ଷ ଯାଞ୍ଚ କରିବା ବାଧ୍ୟତାମୂଳକ ହୋଇଛି । ତଦନୁଯାୟୀ ଜିଲ୍ଲାର ସମସ୍ତ ସିଏସ୍‍ପି ଆକାଉଣ୍ଟ ଖୋଲିବା ସଂକ୍ରାନ୍ତୀୟ କାଗଜପତ୍ର ଡିଏସ୍‍ଏଚ୍‍କୁ ପଠାଉଛନ୍ତି ।

ତେବେ ଡିଏସ୍‍ଏଚ୍‍ର କିଛି କର୍ମଚାରୀ କରୋନା ସଂକ୍ରମିତ ହେବାପରେ ଏହି ଦପ୍ତର ଏବେ ଅଚଳ ହୋଇଛି । ଫଳରେ ସିଏସ୍‍ପି ଜରିଆରେ ଗାଁ ଗହଳର ଲୋକେ ଆଉ ଆକାଉଣ୍ଟ ଖୋଲିପାରୁ ନାହାନ୍ତି । କରୋନା ମହାମାରୀ ସମୟରେ ଦୂର ଦୂରାନ୍ତରେ ଥିବା ବ୍ୟାଙ୍କ୍‍ ଶାଖାକୁ ଯିବା ସହଜ ହେଉନଥିବାବେଳେ ସିଏସ୍‍ପି ରେ ଆକାଉଣ୍ଟ ଖୋଲାହୋଇ ନପାରିବା ଏବେ ସମସ୍ୟା ସୃଷ୍ଟି କରିଛି ।

ବିଭିନ୍ନ ସରକାରୀ ଯୋଜନାରେ ସାମିଲ ହେଉଥିବା ହିତାଧିକାରୀଙ୍କ ସମେତ ବିଦ୍ୟାଳୟ କର୍ତ୍ତୃପକ୍ଷ, ସାମାଜିକ କଲ୍ୟାଣ ଯୋଜନାରେ ଅର୍ନ୍ତଭୁକ୍ତ ହେବାକୁ ଥିବା ବ୍ୟକ୍ତିବିଶେଷ ଏବେ ଜିଲ୍ଲାରେ ଆକାଉଣ୍ଟ ଖୋଲିବାକୁ ବ୍ୟଗ୍ର ହେଉଥିବାବେଳେ ଷ୍ଟେଟବ୍ୟାଙ୍କ୍‍ ସିଏସ୍‍ପି ରେ ଆକାଉଣ୍ଟଟିଏ ଖୋଲାହୋଇ ନପାରିବା ଯୋଗୁଁ ଜିଲ୍ଲାରେ ଏବେ ଲୋକେ ବ୍ୟାଙ୍କ୍‍ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ।

କିଛି ସିଏସ୍‍ପି କର୍ତ୍ତୃୃପକ୍ଷଙ୍କ କହିବାକଥା ଯେ ପୂର୍ବରୁ ଯେଭଳି ସିଧାସଳଖ ବ୍ୟାଙ୍କ୍‍ ଶାଖା ଜରିଆରେ ଆକାଉଣ୍ଟ ଖୋଲାଯାଇ ପାରୁଥିଲା ତାହାକୁ ପୁନଃ ପ୍ରଚଳନ କରିବା ଆବଶ୍ୟକ । ଏହା ସହଜ ଓ ଅଳ୍ପ ସମୟରେ ହୋଇପାରୁଥିଲା । ବର୍ତ୍ତମାନ ଆକାଉଣ୍ଟ ଖୋଲିବାପାଇଁ ହିତାଧିକାରୀମାନେ ଆଧାର ନମ୍ବର ଦେବାପରେ ସେମାନଙ୍କ ସମସ୍ତ ସୂଚନା ଅନ୍‍ଲାଇନ୍‍ରେ ଉପଲବ୍ଧ ହେଉଛି । ତେଣୁ ଡିଏସ୍‍ଏଚ୍‍ ଯାଞ୍ଚ ନାଁରେ ଯେଭଳି ବିଳମ୍ବ ହେଉଛି ତାହା ଫଳରେ ଲୋକେ କେବଳ ହଇରାଣ ହେଉଛନ୍ତି ।

ଗୋଟିଏ ପଟେ ବ୍ୟାଙ୍କ୍‍ କର୍ତ୍ତୃପକ୍ଷ ସିଏସ୍‍ପି ଜରିଆରେ ବ୍ୟାଙ୍କ୍‍ ଖୋଲିବା ପ୍ରକ୍ରିୟାକୁ ସରଳ କରୁନଥିବାବେଳେ ଅନ୍ୟ ପଟେ ଏହା ମାଧ୍ୟମରେ ଯେଭଳି ଅଧିକରୁ ଅଧିକ ଲୋକେ ସାମାଜିକ ଯୋଜନାରେ ସାମିଲ ହେବେ ତାହା ଉପରେ ଗୁରୁତ୍ୱ ଦେଉଛନ୍ତି । ତେଣୁ ଲୋକେ ଯେଭଳି ସହଜରେ ଆକାଉଣ୍ଟ ଖୋଲିପାରିବେ ଷ୍ଟେଟ୍‍ବ୍ୟାଙ୍କ୍‍ କର୍ତ୍ତୃପକ୍ଷ ସେଥିପ୍ରତି ଧ୍ୟାନ ଦେବାକୁ ଦାବି ହେଉଛି । 

LEAVE A REPLY

Please enter your comment!
Please enter your name here