Home Infrastructure ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟକ୍ଷମ କେବେ?

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟକ୍ଷମ କେବେ?

ଭୁବନେଶ୍ୱର : ୭୫ବର୍ଷ ଧରି ଖୋର୍ଦ୍ଧାରୋଡ୍‍-ବଲାଙ୍ଗୀର ରେଳପଥ କାମ ଧିମା ଗତିରେ ଚାଲିବା ଫଳରେ ଏହି ପ୍ରକଳ୍ପର ବ୍ୟୟ ଅଟକଳ ବଢ଼ି ଚାଲୁଥିବା ବେଳେ କେବେ ଏହି ରେଳପଥ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ସେ ସଂକ୍ରାନ୍ତରେ କେହି ନିର୍ଦ୍ଦିଷ୍ଟ ଭାବରେ କିଛି କହିପାରୁ ନାହାନ୍ତି ।

ସ୍ୱାଧୀନତା ପୂର୍ବରୁ ୧୯୪୫ ମସିହାରେ ଏହି ରେଳପଥ ପାଇଁ ସର୍ଭେ କରାଯାଇଥିବା ବେଳେ ତାହା ୧୯୯୪-୯୫ରେ ପ୍ରକଳ୍ପ ମଞ୍ଜୁରୀ ପାଇଥିଲା । ମୂଳ ଯୋଜନା ଅନୁଯାୟୀ ପ୍ରାୟ ହଜାରେ କୋଟି ଟଙ୍କା ବ୍ୟୟ ଅଟକଳରେ ଖୋର୍ଦ୍ଧାରୋଡରୁ ବଲାଙ୍ଗୀର ପର୍ଯ୍ୟନ୍ତ ରେଳପଥ ନିର୍ମିତ ହେବାର ଥିଲା । କିନ୍ତୁ ବିଳମ୍ବିତ କାମ ଯୋଗୁଁ ଏହି ପ୍ରକଳ୍ପର ବ୍ୟୟ ଅଟକଳ ୩୭୯୨ କୋଟି ଟଙ୍କାକୁ ବୃଦ୍ଧି ପାଇଲାଣି । ତେବେ ଏଯାବତ୍‍ ଏହି ରେଳ ପ୍ରକଳ୍ପରେ ୧୫୯୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି ।

୨୮୯ କିଲୋମିଟର ଦୈର୍ଘ୍ୟର ଏହି ପ୍ରକଳ୍ପ ମଧ୍ୟରୁ ଏଯାବତ୍‍ ମାତ୍ର ୯୨ କିଲୋମିଟରର କାମ ସରିଛି । ସେଥିରୁ ଖୋର୍ଦ୍ଧାରୋଡ ପଟୁ ୭୬ କିଲୋମିଟର କାମ ସରିଥିବା ବେଳେ ବଲାଙ୍ଗୀରପଟୁ ୧୬ କିଲୋମିଟର କାମ ହୋଇଛି । ଖୋର୍ଦ୍ଧାରୋଡରୁ ବୋଲଗଡ, ନୟାଗଡ ଦେଇ ମହୀପୁର ପର୍ଯ୍ୟନ୍ତ ରେଳପଥ ନିର୍ମାଣ ଶେଷ ହୋଇଥିବା ବେଳେ ବଲାଙ୍ଗୀରପଟୁ ବିଛୁପାଲି ପର୍ଯ୍ୟନ୍ତ ରେଳପଥ ନିର୍ମିତ ହୋଇଛି । ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ବୌଦ୍ଧ, ସୋନପୁର ଓ ବଲାଙ୍ଗୀର ଜିଲ୍ଲା ଦେଇ ଏହି ରେଳପଥ ନିର୍ମିତ ହେବାକଥା । କିନ୍ତୁ ଏଯାବତ୍‍ ଖୋର୍ଦ୍ଧା ଜିଲ୍ଲାର କାମ ସରିଥିବା ବେଳେ ନୟାଗଡ ଜିଲ୍ଲାରେ କାମ ଅଧାରେ ଅଟକିଛି । ସେହିଭଳି ବଲାଙ୍ଗୀର ଜିଲ୍ଲାରେ ରେଳପଥ ନିର୍ମାଣ କାମ କିଛିଟା ଆଗେଇଥିବା ବେଳେ କନ୍ଧମାଳ, ବୌଦ୍ଧ ଓ ସୋନପୁର ଜିଲ୍ଲାରେ ଏଯାବତ୍‍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ ।

୧୯୯୪ ମସିହାରେ ଏହି ରେଳପଥ ଲାଗି ମଞ୍ଜୁରୀ ମିଳିଥିବା ବେଳେ ୨୦୦୧ ଜୁନ୍‍ ମାସରେ ତାହାର ନିର୍ମାଣ ପାଇଁ ଶୁଭ ଦିଆଯାଇଥିଲା । ୨୦୧୬ ଜୁଲାଇରେ ଖୋର୍ଦ୍ଧାରୋଡରୁ ବେଗୁନିଆ ଏବଂ ୨୦୧୭ ଜୁନ୍‍ ସୁଦ୍ଧା ବେଗୁନିଆଠାରୁ ନୟାଗଡ ପର୍ଯ୍ୟନ୍ତ ରେଳପଥ ନିର୍ମାଣ ସରିଥିବା ବେଳେ ୨୦୧୯ ଜାନୁଆରୀ ସୁଦ୍ଧା ବଲାଙ୍ଗୀରରୁ ବିଛୁପାଲି ପର୍ଯ୍ୟନ୍ତ ରେଳପଥ ନିର୍ମିତ ହୋଇଥିଲା । ୨୦୧୭ରେ ଖୋର୍ଦ୍ଧାରୋଡରୁ ନୟାଗଡ ଓ ୨୦୧୯ରେ ବଲାଙ୍ଗୀରରୁ ବିଛୁପାଲି ପର୍ଯ୍ୟନ୍ତ ରେଳ ଚଳାଚଳ ଆରମ୍ଭ ହୋଇଥିଲା । ଇତିମଧ୍ୟରେ ନୟାଗଡରୁ ମହୀପୁର ପର୍ଯ୍ୟନ୍ତ ରେଳପଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଦଶପଲ୍ଲା ପର୍ଯ୍ୟନ୍ତ କାମ ଚାଲିଛି ।

ଏହି ରେଳପଥ କାର୍ଯ୍ୟକ୍ଷମ ହେଲେ ପଶ୍ଚିମାଞ୍ଚଳ ସହ ଉପକୂଳବର୍ତ୍ତୀ ଓଡ଼ିଶାର ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ଆସିବ ଏବଂ ଗମନାଗମନ ସହ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ମଧ୍ୟ ଏହା ବେଶ୍‍ ସହାୟକ ହେବ । ଏହି ରେଳପଥର ଗୁରୁତ୍ୱକୁ ଉପଲବ୍ଧି କରି ରାଜ୍ୟ ସରକାର ଅଧା ଖର୍ଚ୍ଚ ବହନ କରିବା ଓ ମାଗଣାରେ ଜମି ଯୋଗାଇ ଦେବାକୁ ୨୦୧୫ ମସିହାରେ କେନ୍ଦ୍ର ସରକାରଙ୍କ ସହ ବୁଝାମଣାପତ୍ର କରିଥିଲେ । ଏହାସତ୍ତ୍ୱେ ବି ବିଭିନ୍ନ ବର୍ଷରେ କମ୍‍ ପାଣ୍ଠି ଯୋଗାଣ ଏବଂ ଜଙ୍ଗଲ, ବେସରକାରୀ ଓ ଅନ୍ୟ ସରକାରୀ ଜମି ଅଧିଗ୍ରହଣରେ ବିଳମ୍ବ ଯୋଗୁଁ ଏହି ରେଳପଥ ନିର୍ମାଣ କାମ ଧିମା ହୋଇଯାଇଛି । ବୁଲେଟ ବେଗରେ ଏଠାରେ ରେଳ ଗଡିବା ପରିବର୍ତ୍ତେ ମାଲଗାଡିଠାରୁ ବି କମ୍‍ ବେଗରେ ଘୁଷୁରୁ ଥିବା ଭଳି ମନେ ହେଉଛି ।

ଏବର୍ଷ ରେଳ ବଜେଟରେ ଏହି ରେଳପଥ ପାଇଁ ୮୯୧ କୋଟି ଟଙ୍କା ରେଳ ବଜେଟରେ ବ୍ୟବସ୍ଥା ହୋଇଛି । ତେବେ ସର୍ଭେ ମୁତାବକ ସବୁ ଜିଲ୍ଲାରେ ଏକ ସଙ୍ଗେ କାମ ସହିତ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ରକ୍ଷାକରି ତ୍ୱରିତ ଜମି ଅଧିଗ୍ରହଣ ଏବଂ ଅଧିକ ଅର୍ଥ ବ୍ୟବସ୍ଥା କରାଗଲେ ଦୁଇବର୍ଷ ମଧ୍ୟରେ ଏହି ରେଳପଥ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିବ ବୋଲି ବିଶେଷଜ୍ଞମାନେ ଆଶାବ୍ୟକ୍ତ କରୁଛନ୍ତି । (ତଥ୍ୟ)