Home General ଖୋରଧାରୋଡ-ବଲାଙ୍ଗିର ପାଇଁ ୧୫୦୦ କୋଟି ଖର୍ଚ୍ଚ

ଖୋରଧାରୋଡ-ବଲାଙ୍ଗିର ପାଇଁ ୧୫୦୦ କୋଟି ଖର୍ଚ୍ଚ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଖୋରଧାରୋଡ-ବଲାଙ୍ଗିର ରେଳପଥ ପାଇଁ ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୫୦୦ କୋଟି ଟଙ୍କା ଖର୍ଚ୍ଚ ସରିଲାଣି । ମୋଟ୍‍ ୨୮୯ କିଲୋମିଟର ଏହି ପ୍ରକଳ୍ପ ମଧ୍ୟରୁ ୯୨ କିଲୋମିଟରର କାର୍ଯ୍ୟ ସମାପ୍ତ ହୋଇଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି ।

ବିଜେପି ସାଂସଦ ବସନ୍ତ ପଣ୍ଡା ପଚାରିଥିବା ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୮୯ କିଲୋମିଟର ଦୀର୍ଘ ଖୋରଧାରୋଡ-ବଲାଙ୍ଗିର ଓ ୩୮ କିଲୋମିଟର ଦୀର୍ଘ ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ ବିନା ମୂଲ୍ୟରେ ଜମି ଯୋଗାଣ ପାଇଁ ରାଜ୍ୟ ସରକାର ରେଳ ମନ୍ତ୍ରାଳୟ ସହିତ ରାଜିନାମା ସ୍ୱାକ୍ଷର କରିଛନ୍ତି ।

ଖୋରଧା ରୋଡ-ବଲାଙ୍ଗିର ପ୍ରକଳ୍ପ ସଂକ୍ରାନ୍ତରେ ସୂଚନା ଦେଇ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଦର୍ଶାଇଛନ୍ତି ଯେ ଏହି ପ୍ରକଳ୍ପର ବ୍ୟୟଭାର ପ୍ରାୟ ୩୭୯୨ କୋଟି ଟଙ୍କା ରହିଛି । ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ ମାଗଣାରେ ଜମି ଯୋଗାଣ ସହିତ ୧୧୨ ରୁ ୨୮୯ କିଲୋମିଟର ପର୍ଯ୍ୟନ୍ତ ପ୍ରକଳ୍ପ ର୍ନିମାଣର ୫୦ ପ୍ରତିଶତ ଅର୍ଥ ବହନ କରିବେ । ରେଳ ମନ୍ତ୍ରାଳୟ ପକ୍ଷରୁ ଖୋରଧା ରୋଡ-ବଲାଭ୍‍ଗି ୨୮୯ କିଲୋମିଟର ଦୈର୍ଘ୍ୟ ନୂତନ ରେଳଲାଇନ୍‍ ପାଇଁ ମାର୍ଚ୍ଚ ୨୦୨୧ ସୁଦ୍ଧା ୧୪୯୭ କୋଟି ଟଙ୍କା ବ୍ୟୟ ହେଉଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଏଥିପାଇଁ ଆଉ ୧୦୦୦.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି ।

ଇତି ମଧ୍ୟରେ ୭୭ କିଲୋମିଟର ଦୈର୍ଘ୍ୟ ଖୋରଧା ରୋଡ-ମହିପୁର ଏବଂ ୧୫ କିଲୋମିଟର ଦୈର୍ଘ୍ୟ ବଲାଙ୍ଗିର ଠାରୁ ବିଛୁପାଲି ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହୋଇଛି । ବର୍ତ୍ତମାନ ୪୫ କିଲୋମିଟର ଦୈର୍ଘ୍ୟ ମହିପୁର-ନୂଆଗାଁ-ବୁଗୁଡା, ୬୫ କିଲୋମିଟର ଦୈର୍ଘ୍ୟ ପୁରୁଣାକଟକ-ବୌଦ-ସୋନପୁର ଏବଂ ୩୭କିଲୋମିଟର ଦୈର୍ଘ୍ୟ ସୋନପୁର-ଝରତରଭା-ବିଛୁପଲ୍ଲୀ କାର୍ଯ୍ୟ ହାତକୁ ନିଆଯାଇଛି ।

ଓଡିଶାର ଏହି ଅନ୍ୟତମ ବୃହତ୍‍ ରେଳପ୍ରକଳ୍ପ ପାଇଁ ୬୧୬୨ ଏକର ଜମି ଅଧିଗ୍ରହଣ ଏବଂ ୧୮୪୪ ଏକର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ଆବଶ୍ୟକ ପଡୁଥିବାବେଳେ ଏଥି ମଧ୍ୟରୁ ୫୩୩୩ ଏକର ଜମି ଅଧିଗ୍ରହଣ ଏବଂ ୧୭୦ ଏକର ଜଙ୍ଗଲ କିସମ ପରିବର୍ତ୍ତନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଅନ୍ୟ ପକ୍ଷରେ ରାଜ୍ୟ ସରକାର ୮୨୯ ଏକର ଜମି ଅଧିଗ୍ରହଣ ସହିତ ୧୬୭୪ ଏକର ଜଙ୍ଗଲ ଜମିର କିସମ ପରିବର୍ତ୍ତନ କରିଛନ୍ତି ।

ଅନୁରୂପ ଭାବେ ଜୟପୁର-ନବରଙ୍ଗପୁର ପ୍ରକଳ୍ପ ସଂକ୍ରାନ୍ତରେ ମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରକଳ୍ପପାଇଁ ୨୦୧୬-୧୭ ବର୍ଷ ବଜେଟ୍‍ରେ ଅର୍ଥ ବ୍ୟବସ୍ଥା ହୋଇଥିଲା । ଓଡିଶା ସରକାରଙ୍କ ସହ ହୋଇଥିବା ରାଜିନାମା ଅନୁଯାୟୀ ଏହି ପ୍ରକଳ୍ପ ଲାଗି ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇବା ସହିତ ପ୍ରକଳ୍ପ ମୂଲ୍ୟର ୫୦ ପ୍ରତିଶତ ବହନ କରିବେ । ରେଳମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରକଳ୍ପର ଚୂଡାନ୍ତ ବ୍ୟୟଭାର ୭୪୮ କୋଟି ଟଙ୍କା ରହିଛି ।

୨୦୧୧-୨୨ ବଜେଟ୍‍ରେ ଏଥିପାଇଁ ୧୫.୭୦କୋଟି ଟଙ୍କା ଯୋଗାଇ ଦିଆଯାଇଛି । ଏହିପ୍ରକଳ୍ପ ପାଇଁ ୭୭୨ ଏକର ଘରୋଇ ଜମି, ୮୭.୭୭ ଏକର ସରକାରୀ ଜମି ଅଧିଗ୍ରହଣ ସହିତ ୯.୭୦ ଏକର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ଆବଶ୍ୟକ ପଡୁଛି । ଏହି ଜମି ଅଧିଗ୍ରହଣ ପ୍ରକ୍ରିୟା ହାତକୁ ନିଆଯାଇଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । (ତଥ୍ୟ)