Home General ଖୋରଧାରେ ସର୍ବାଧିକ ଶିଶୁ ରାସ୍ତାକଡରେ

ଖୋରଧାରେ ସର୍ବାଧିକ ଶିଶୁ ରାସ୍ତାକଡରେ

ଭୁବନେଶ୍ୱର : ରାସ୍ତାକଡରେ ଜୀବନ ବିତାଉଥିବା ଶିଶୁଙ୍କ ସଂଖ୍ୟା ଖୋରଧା ଜିଲ୍ଲାରେ ସର୍ବାଧିକ । ଏହି ଜିଲ୍ଲାରେ ତିନି ଶହରୁ ଅଧିକ ଶିଶୁ ରାସ୍ତାକଡରେ ଥିବା ସରକାର ଦର୍ଶାଉଥିବାବେଳେ ଅନ୍ୟ ବହୁ ଜିଲ୍ଲାରେ ଏହା କାଁ ଭାଁ ଦେଖିବାକୁ ମିଳୁଛି । ଏହି ଶିଶୁଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଏବେ କର୍ତ୍ତୃପକ୍ଷ ଅଣ୍ଟା ଭିଡିଛନ୍ତି ।

ଖୋରଧା ଜିଲ୍ଲାରେ ୩୦୫ ଜଣ ଶିଶୁ ରାସ୍ତାକଡରେ ଜୀବନ ବିତାଉଥିବା ସରକାରୀ ତାଲିକା ଦର୍ଶାଉଥିବାବେଳେ ଯାଜପୁରରେ ଏହି ସଂଖ୍ୟା ଓ କେନ୍ଦୁଝରରେ ୧୦ ରହିଛି । ତେବେ କଟକରେ ରାସ୍ତାକଡରେ ଥିବା ଶିଶୁଙ୍କ ସଂଖ୍ୟା ୨ ଥିବାବେଳେ ଗଞ୍ଜାମରେ ୫, ଜଗତ୍‍ସିଂହପୁରରେ ୨ ଓ ଝାରସୁଗୁଡରେ ଏହି ସଂଖ୍ୟା ଏକ ରହିଛି । ସେହିଭଳି ବାଲେଶ୍ୱରରେ ୬ଜଣ ଓ ବରଗଡରେ ୩ଜଣ ଶିଶୁ ରାସ୍ତାକଡରେ ଥିବା ଉଲ୍ଲେଖ କରାଯାଇଛି ।

ତେବେ ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀମାନେ କିନ୍ତୁ ଏହି ସରକାରୀ ତାଲିକାକୁ ଗ୍ରହଣ କରିପାରୁ ନାହାନ୍ତି । ସେମାନଙ୍କ ମତରେ କେବଳ ରାଜଧାନୀରେ ଶହ ଶହ ସଂଖ୍ୟାରେ ଶିଶୁ ରାସ୍ତାକଡରେ ରହୁଛନ୍ତି । ରାଜଧାନୀର ବିଭିନ୍ନ ସ୍ଥାନରେ ରାତିପାହିଲେ ଏମାନଙ୍କ ଭିକ ମାଗିବା ଦୃଶ୍ୟ ଏହାର ବଡ ଉଦାହରଣ । ସେହିଭଳି ଛୋଟ ଛୋଟ ବହୁ ଶିଶୁଙ୍କୁ ବିଭିନ୍ନ ଘରୋଇ ଓ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ କରାଯାଉଥିବାରୁ ସେମାନଙ୍କର ବି ସଠିକ ସୂଚନା ମିଳିପାରୁ ନାହିଁ । ରାସ୍ତାକଡରେ ଥିବା ଅନେକ ଶିଶୁଙ୍କୁ ମାଫିଆମାନେ ଭିକ ମାଗିବା ଭଳି ଘୃଣ୍ୟ କାର୍ଯ୍ୟରେ ଲଗାଉଥିବାବେଳେ ସେମାନଙ୍କ ବିରୁଦ୍ଧରେ ସେଭଳି ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉନାହିଁ ।

ତେବେ ଏଭଳି ସମ୍ବେଦନଶୀଳ ଶିଶୁମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ରାଜ୍ୟ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ଏଥିପାଇଁ ରାଜ୍ୟ ଶିଶୁ ଶିଶୁ ସୁରକ୍ଷା କମିଶନ, ରାଜ୍ୟ ଶିଶୁ ସୁରକ୍ଷା ସମିତି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‍ ଓ ଶିଶୁ ମଙ୍ଗଳକମିଟି, ବ୍ଲକ, ପଞ୍ଚାୟତ ସ୍ତରରେ କମିଟି ଥିବାବେଳେ ଚାଇଲ୍ଡଲାଇନ୍‍ ର ୧୯୦୮ ଟେଲିଫୋନ୍‍ ନମ୍ବର ମଧ୍ୟ କାର୍ଯ୍ୟକାରୀ ହେଉଛି । ଏମାନଙ୍କ ଜରିଆରେ ରାସ୍ତାକଡରେ ଜୀବନ ବିତାଉଥିବା ଶିଶୁମାନଙ୍କୁ ଉଦ୍ଧାର ଓ ଥଇଥାନ ପାଇଁ ଏକ ମାର୍ଗଦର୍ଶିକା ମଧ୍ୟ କାର୍ଯ୍ୟକାରୀ କରାଯାଉଛି ।

ଏହା ସତ୍ୱେ ବି ରାଜ୍ୟର ଏକ ନମ୍ବର ସାକ୍ଷର ଜିଲ୍ଲାରେ ସର୍ବାଧିକ ଶିଶୁ ରାସ୍ତାକଡରେ ଜୀବନ ଯାପନ କରିବା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ରାସ୍ତାକଡରୁ ମହିଳା ଓ ଶିଶୁଙ୍କୁ ଭିକ୍ଷାବୃତ୍ତିରୁ ନିବୃତ୍ତ ଲାଗି ବିଏମ୍‍ସି ପକ୍ଷରୁ ପଦକ୍ଷେପ ଗ୍ରହଣ ପରେ କିଛି ଦିନ ଏହି ଧରଣର ଶିଶୁମାନେ ରାସ୍ତାକଡରୁ ଉଭାନ ହୋଇଥିବାବେଳେ ପୁଣି ସେମାନେ ବିଭିନ୍ନ ଛକରେ ଦୃଶ୍ୟମାନ ହେଲେଣି । ସମସ୍ତ ଶିଶୁଙ୍କୁ ଶିକ୍ଷା ପ୍ରଦାନ କରିବା ମୌଳିକ କର୍ତ୍ତବ୍ୟ ହୋଇଥିବାବେଳେ ତୁରନ୍ତ ରାସ୍ତାକଡରେ ଥିବା ଏହି ଶିଶୁଙ୍କୁ ଚିହ୍ନଟ ସହିତ ବିଦ୍ୟାଳୟରେ ଭର୍ତ୍ତି ପାଇଁ ପଦକ୍ଷେପ ନେବାକୁ ମତପ୍ରକାଶ ପାଉଛି । (ତଥ୍ୟ)