Home Health ଖୁସି ସଫ୍ଟୱୟର ଉନ୍ମୋଚିତ

ଖୁସି ସଫ୍ଟୱୟର ଉନ୍ମୋଚିତ

ଭୁବନେଶ୍ୱର : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ‘ଖୁସି’ ସଫ୍ଟୱୟରକୁ ଉନ୍ମୋଚନ କରିଥିଲେ । ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଏହି ସଫ୍ଟୱୟର ମାଧ୍ୟମରେ ଯୋଜନାର ପରିଚାଳନା ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ହୋଇପାରିବା ସହ ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିବ ।

ଏହି ଅବସରରେ ଶ୍ରୀ ମହାପାତ୍ର କହିଲେ ଯେ ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ସାନିଟାରୀ ନ୍ୟାପ୍‌କିନ୍‌ ଯୋଗାଣକାରୀମାନେ ଠିକ୍‌ ସମୟରେ ସାମଗ୍ରୀ ଯୋଗାଣ ସହ ବ୍ଲକ୍‌ର ନୋଡାଲ୍‌ ଅଫିସରମାନେ ଏସବୁକୁ ସ୍କୁଲରେ ପହଞ୍ଚାଇବେ ଓ ପ୍ରତ୍ୟେକ ଛାତ୍ରୀଙ୍କ ନିକଟରେ ଏହା ନିଶ୍ଚିତ ଭାବେ ପହଞ୍ଚି ପାରିବ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଦ୍ୟାଳୟ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ସମସ୍ତ ସ୍କୁଲର ଛାତ୍ରୀମାନଙ୍କୁ ମାସିକ ୧୮ଟି ଲେଖାଏଁ ସାନିଟାରୀ ନ୍ୟାପ୍‌କିନ୍‌ ଯୋଗାଇ ଦିଆଯାଉଛି । ଏଥିପାଇଁ ପ୍ରତ୍ୟେକ ବିଦ୍ୟାଳୟରେ ଜଣେ ମହିଳା ନୋଡାଲ ଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି । ସାନିଟାରୀ ନ୍ୟାପ୍‌କିନ୍‌ ଯୋଗାଣ ପାଇଁ ୨୦୨୦-୨୧ ମସିହା ପାଇଁ ଟେଣ୍ଡର ପ୍ରକ୍ରିୟା ଚୂଡାନ୍ତ ହୋଇ ସାମଗ୍ରୀ ଯୋଗାଇଦେବା ପାଇଁ ପ୍ରକ୍ରିୟା ଚାଲୁ ରହିଛି । ଏଥି ପାଇଁ ଚଳିତ ବର୍ଷ ୩୦ କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା କରାଯାଇଛି ।

ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ପାଠ ପଢ଼ୁଥିବା କିଶୋରୀମାନଙ୍କ ମାସିକ ଋତୁକାଳୀନ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟରକ୍ଷା ଦିଗରେ ସାନିଟାରୀ ନାପ୍‌କିନ୍‌ ବଣ୍ଟନ ପାଇଁ ସରକାର ‘ଖୁସି’ ନାମରେ ଏକ ଅଭିନବ ଯୋଜନା ଆରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ ୨୦୧୯ ମସିହା ଫେବୃଆରୀ ମାସରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଯୋଜନାରେ ରାଜ୍ୟର ୩୧୪ଟି ବ୍ଲକ୍‌ ଓ ୫ଟି ମୁନିସିପାଲ୍‌ କର୍ପୋରେସନ୍‌ ଅଧୀନରେ ଥିବା ୨୯,୫୭୭ଟି ସ୍କୁଲର ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧୬,୮୧,୬୯୦ ଛାତ୍ରୀ ଅନ୍ତର୍ଭୁକ୍ତ ଅଟନ୍ତି ।

ଏହି ଅବସରରେ ଉପସ୍ଥିତ ରହି ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡଙ୍ଗୀ ‘ଖୁସି’ର ଆଭିମୁଖ୍ୟ ଉପରେ ଆଲୋଚନା କରିଥିବାବେଳେ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ରର ଡେପୁଟି ଡାଇରେକଫର ଜେନେରାଲ୍‌ ଓ ରାଜ୍ୟ ଇନ୍‌ଫର୍‌ମେଟିକ୍ସ ଅଫିସର କବିତା ରାୟ ଦାସ, ବରିଷ୍ଠ ବୈଷୟିକ ନିର୍ଦ୍ଦେଶିକା ନିରୁପମା ମହାପାତ୍ର, ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ବିଭାସ ରାୟ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଖୁବ୍‌ଶୀଘ୍ର ଏହି ବ୍ୟବସ୍ଥା ମୋବାଇଲ୍‌ ଆପ୍‌ ମାଧ୍ୟମରେ ମଧ୍ୟ ଉପଲବ୍ଧ ହେବ । ଫଳରେ ଯୋଜନାର ପରିଚାଳନା ସହଜ ଓ ସୁବିଧାଜନକ ହୋଇପାରିବ ।