Home Administration ଖୁବଶୀଘ୍ର ଅଦଳବଦଳ

ଖୁବଶୀଘ୍ର ଅଦଳବଦଳ

ଭୁବନେଶ୍ୱର : ରାଜ୍ୟରେ ଖୁବଶୀଘ୍ର ରାଜନୈତିକ ଓ ପ୍ରଶାସନିକ ସ୍ତରରେ ବଡଧରଣର ଅଦଳବଦଳ ହୋଇପାରେ । ଏ ପ୍ରସଙ୍ଗରେ ରାଜନୈତିକ ଓ ପ୍ରଶାସନିକ ମହଲରେ କଳ୍ପନା ଜଳ୍ପନା ଚାଲିଛି । ବିଶେଷକରି ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳକୁ ଦୃଷ୍ଟିରେ ରଖି ରାଜ୍ୟ ମନ୍ତ୍ରିମଣ୍ଡଳର ବହୁ ପ୍ରତୀକ୍ଷିତ ଅଦଳବଦଳ ଓ ସଂପ୍ରସାରଣ ସହିତ ଉଭୟ ସରକାରୀ ଓ ବିରୋଧୀ ଦଳରେ ସାଂଗଠନିକ କ୍ଷେତ୍ରରେ ମଧ୍ୟ ସଂସ୍କାର ଆସିପାରେ ।

ରାଜ୍ୟର ୩୦ଟି ଯାକ ଜିଲ୍ଲା ପରିଷଦ ସମେତ ପ୍ରାୟ ୯୦ ଭାଗ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ପୌର ସଂସ୍ଥା ବିଜେଡି ଦଖଲ କରିଛି । ପ୍ରମୁଖ ବିରୋଧୀ ଦଳ ବିଜେପି ଓ ଅନ୍ୟତମ ବିରୋଧୀ ଦଳ କଂଗ୍ରେସ ଦୁଇଟି ଜାତୀୟ ରାଜନୈତିକ ଦଳ ହୋଇଥିବା ବେଳେ ବିଜେଡି ଭଳି ଆଞ୍ଚଳିକ ଦଳର ଅଦ୍ଭୂତପୂର୍ବ ବିଜୟ ସେମାନଙ୍କୁ ଧରାଶାୟୀ କରିଦେଇଛି । ତଥାପି ବି କେତେକ ସ୍ଥାନରେ ବିଜେଡି ପ୍ରାର୍ଥୀମାନଙ୍କୁ କଡା ମୁକାବିଲାର ସମ୍ମୁଖୀନ ହେବାକୁ ପଡିଥିବା ବେଳେ ଅଳ୍ପ ଭୋଟ୍ ବ୍ୟବଧାନରେ ବିରୋଧୀ ଦଳର ବହୁ ପ୍ରାର୍ଥୀ ହାରିଛନ୍ତି ।

ଏ ପ୍ରସଙ୍ଗରେ ଏବେ ଉଭୟ ବିଜେପି ଓ କଂଗ୍ରେସରେ ରାଜ୍ୟରୁ ବ୍ଲକ୍ ପର୍ଯ୍ୟନ୍ତ ସାଂଗଠନିକ ପୁନର୍ବିନ୍ୟାସ ହେବାର ଆବଶ୍ୟକତା ଉପରେ ଉଭୟ ଦଳର ବହୁ ନେତା ଖୋଲା ମତବ୍ୟକ୍ତ କରୁଛନ୍ତି । ଏମିତିକି ବିଜେଡିର ଜାତୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ରାଜ୍ୟ ବିଜେପି ନେତୃତ୍ତ୍ୱର ଦୁର୍ବଳତା ପ୍ରସଙ୍ଗରେ ଖୋଲା ବୟାନ ଦେଇଛନ୍ତି । ଖୁବଶୀଘ୍ର ସମବାୟ ନିର୍ବାଚନ ହେବାକୁ ଯାଉଥିବା ବେଳେ ବିଜେଡି ପୁରା ଦମ୍‌ରେ ପ୍ରସ୍ତୁତି କାମରେ ଲାଗିଛି ।

ବିରୋଧୀ ଦଳମାନେ ସମବାୟ ନିର୍ବାଚନରୁ ବିଶେଷ କିଛି ଫାଇଦା ନେବାର ସମ୍ଭାବନା ନାହିଁ । ତେବେ ୨୦୨୪ରେ ରାଜ୍ୟ ବିଧାନସଭା ସହିତ ଲୋକସଭା ନିର୍ବାଚନ ହେବାକୁ ଥିବାରୁ ଏବେଠାରୁ ସଂଗଠନ ନ ସଜାଡିଲେ ସେତେବେଳେ ଏହି ଦୁଇ ଜାତୀୟ ରାଜନୈତିକ ଦଳକୁ ଅଧିକ ଲୋକହସା ହେବାକୁ ପଡିପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତବ୍ୟକ୍ତ କରୁଛନ୍ତି । ଏହାଛଡା ସଚିବାଳୟରୁ ଜିଲ୍ଲା ଓ ବ୍ଲକସ୍ତର ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଆସନ୍ତା ୨ ମାସ ମଧ୍ୟରେ ଏ ପରିପ୍ରେକ୍ଷୀରେ ଏକ ବଡଧରଣର ଅଦଳବଦଳ ସମ୍ଭାବନାକୁ ବି ଏଡାଇ ଦେଇହେବ ନାହିଁ ।

ଗତ ପଞ୍ଚାୟତ ଓ ପୌର ନିର୍ବାଚନ ତୁଳନାରେ ଏଥର ବିଜେଡି ରେକର୍ଡ ପରିମାଣର ସଫଳତା ହାସଲ କରିଛି । ତେବେ କେତେକ ସ୍ଥାନରେ କଡା ମୁକାବିଲାର ସମ୍ମୁଖୀନ ହୋଇ ଉଭୟ ବିଜେପି ଓ କଂଗ୍ରେସ ଗଡକୁ ବିଜେଡି ଧ୍ୱସ୍ତବିଧ୍ୱସ୍ତ କରିଥିଲେ ମଧ୍ୟ ଆଗାମୀ ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି ସାଂଗଠନିକ କାର୍ଯ୍ୟ ଅଧିକ ତ୍ୱରାନ୍ୱିତ କରିବାକୁ ଯାଉଛି ।

୨୦୨୪ ନିର୍ବାଚନ ପୂର୍ବରୁ କେତେକ ମନ୍ତ୍ରୀଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳରୁ ଅବ୍ୟାହତି ଦେଇ ସାଂଗଠନିକ କାର୍ଯ୍ୟରେ ନିୟୋଜିତ କରିଥିଲେ । ସେହି ଢ଼ାଞ୍ଚାରେ କିଛି ମନ୍ତ୍ରୀଙ୍କୁ ଏଥର ବି ସାଂଗଠନିକ ଦାୟିତ୍ୱ ଦେଇ ସେମାନଙ୍କୁ ସରକାରୀ କାର୍ଯ୍ୟରୁ ବିଜେଡି ନିସ୍ତାର ଦେଇପାରେ । ବିଶେଷକରି ଯେଉଁ ମନ୍ତ୍ରୀମାନଙ୍କ ନିର୍ବାଚନ ମଣ୍ଡଳୀ, ଜିଲ୍ଲା ଓ ସେମାନେ ଦାୟିତ୍ୱରେ ଥିବା ଅଞ୍ଚଳରେ ବିଜେଡିର ପ୍ରଦର୍ଶନ କମ୍ ହୋଇଛି ।

ସେମାନଙ୍କ ମଧ୍ୟରୁ କେତେକଙ୍କୁ ମନ୍ତ୍ରୀ ପଦରୁ ଅବ୍ୟାହତି ଦେଇ ଆଉ କିଛି ପୁରୁଣା ଓ ନୂଆ ଚେହେରାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ ବୋଲି କ୍ଷମତା କରିଡରରେ ଚର୍ଚ୍ଚା ଚାଲିଛି । ତେବେ ମନ୍ତ୍ରିମଣ୍ଡଳ ଅଦଳବଦଳ ଓ ସଂପ୍ରସାରଣ ହେବ କି ନାହିଁ ଏବଂ ଯଦି ହେବ ତାହା କେବେ ସେ ସଂକ୍ରାନ୍ତରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ଚୂଡାନ୍ତ ନିଷ୍ପତ୍ତି ନେବେ ।

ଲଗାତର ୨୨ ବର୍ଷ ଧରି ରାଜ୍ୟରେ ବିଜେଡି କ୍ଷମତାରେ ଥିଲେ ମଧ୍ୟ ଏଠାରେ ‘ଆଣ୍ଟି ଇନକମ୍ବାନ୍ସି ଫ୍ୟାକ୍ଟର’ ବିଶେଷ ଭାବେ କାମ କରୁନାହିଁ । ବିରୋଧୀ ଦଳମାନେ ଏହାର କାରଣ ଓ ନିରାକରଣ ଖୋଜିବାରେ ବ୍ୟସ୍ତ । ଦୀର୍ଘଦିନର ରାଜ୍ୟ ସରକାର ବିରୋଧରେ ଜନମତ ଯିବା ପରିବର୍ତେ ବିରୋଧୀ ଦଳଗୁଡିକର ଓଡ଼ିଶାରେ ଜନତାଙ୍କ ରୋଷର ଓଲଟା ଶିକାର ହେଉଥିବା ସଦ୍ୟ ସମାପ୍ତ ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି ।

ଗତ ଲୋକସଭା ନିର୍ବାଚନରେ ସମଗ୍ର ପଶ୍ଚିମ ଓଡ଼ିଶା ସମେତ ଉତର ଓଡ଼ିଶାର ମୟୂରଭଞ୍ଜ ଓ ବାଲେଶ୍ୱର ଏବଂ କେନ୍ଦ୍ରାଂଚଳର ଭୁବନେଶ୍ୱର ଲୋକସଭା ଆସନ ବିଜେପି ଦଖଲ କରିଥିବା ବେଳେ ରାୟଗଡା ଲୋକସଭା ଆସନ କଂଗ୍ରେସ ଖାତାକୁ ଯାଇଥିଲା । ଏ ସମସ୍ତ ଅଂଚଳରେ ୨୦୧୭ରେ ବିଜେପି ଓ କଂଗ୍ରେସ ଭଲ ପ୍ରଦର୍ଶନ କରିବା ସହିତ ଅନ୍ୟୂନ ଏକ ତୃତୀୟାଂଶ ଜିଲ୍ଲା ପରିଷଦ ଆସନ ଦଖଲ କରିଥିଲେ ।

କିନ୍ତୁ ଏଥର କୌଣସି ଗୋଟିଏ ହେଲେ ଜିଲ୍ଲା ପରିଷଦର ଅଧ୍ୟକ୍ଷ ପଦବୀ ଏହି ଦୁଇ ଜାତୀୟ ରାଜନୈତିକ ଦଳ ହାତେଇବାରେ ବ୍ୟର୍ଥ ହୋଇଥିବା ବେଳେ ଗ୍ରାମାଞ୍ଚଳ ଭଳି ସହରାଞ୍ଚଳରେ ମଧ୍ୟ ଲୋକମତ ସେମାନଙ୍କ ସପକ୍ଷରେ ଯାଇନାହିଁ । ଏହା ଦୁଇ ଜାତୀୟ ରାଜନୈତିକ ଦଳଙ୍କ ପାଇଁ ଏକ ବଡ ଆହ୍ୱାନ ହୋଇଥିବା ବେଳେ ସେମାନେ ୨୦୨୪ର ନିର୍ବାଚନ ପାଇଁ ରଣକୌଶଳ ନିର୍ଦ୍ଧାରଣ କରିବା ପୂର୍ବରୁ ବିଜେଡି ତାହାର ଆଗୁଆ ପ୍ରସ୍ତୁତି ପର୍ବ ଆରମ୍ଭ କରିଦେଇଛି । (ତଥ୍ୟ)