Home General ଖାଲି ପଡିଛି ସଦସ୍ୟ ପଦବୀ

ଖାଲି ପଡିଛି ସଦସ୍ୟ ପଦବୀ

ଭୁବନେଶ୍ୱର : ଶିଶୁ ନିଖୋଜ ଘଟଣା ଏବେ ରାଜ୍ୟ ରାଜନୀତିର ପ୍ରସଙ୍ଗ ପାଲିଟିଥିବାବେଳେ ଶିଶୁଙ୍କ ସୁରକ୍ଷା ପାଇଁ ରାଜ୍ୟରେ ଥିବା କମିଶନରେ ଏକାଧିକ ସଦସ୍ୟ ପଦବୀ ଖାଲି ପଡିଛି । କମିଶନଙ୍କୁ ବାଦ୍‍ ଦେଇ ଆୟୋଗରେ ୬ଟି ସଦସ୍ୟ ପଦବୀ ଥିବାବେଳେ ଅଛନ୍ତି ମାତ୍ର ଦୁଇ ଜଣ । ସାତ ମାସ ହେଲା ୪ଟି ସଦସ୍ୟ ପଦବୀ ଖାଲି ପଡିଛି ।

ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଉପରେ ଏବେ କାମର ବୋଝ । ବିଶେଷକରି ହଜାର ହଜାର ଶିଶୁ ନିଖୋଜ ହେବା ସହିତ ପରୀ, ପିହୁ ଭଳି ମାମଲାକୁ ନେଇ ରାଜ୍ୟ ଉଠୁଛି ପଡୁଛି । ଏହାବାଦ୍‍ ଶିଶୁ ନିର୍ଯ୍ୟାତନା ଆଦି ମାମଲା ବି ରହିଛି । ତେବେ ଏତେ ଗୁଡିଏ ମାମଲାର ତଦାରଖ ଓ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନରେ ଆବଶ୍ୟକ ସଂଖ୍ୟକ ସଦସ୍ୟ ନାହାନ୍ତି ।

ଗତ ଜୁନ୍‍ ୧୮ ତାରିଖରୁ ୪ଟି ସଦସ୍ୟ ପଦବୀ ଖାଲି ପଡିଥିବାବେଳେ ତାହା ପୂରଣ ହୋଇପାରୁ ନାହିଁ । ଫଳରେ ସଂଖ୍ୟାଧିକ ସ୍ଥାନକୁ ନିଜେ କମିଶନ ଗସ୍ତ କରୁଛନ୍ତି । ଯଦି ପୂର୍ଣର୍ ସଂଖ୍ୟକ ସଦସ୍ୟ ଥାନ୍ତେ ତେବେ ଏକାଧିକ ମାମଲା ପରିଦର୍ଶନରେ ଯାଇପାରିଥାନ୍ତେ ବୋଲି ଶିଶୁସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିମାନେ ମତ ଦେଉଛନ୍ତି । ସଦସ୍ୟ ପଦବୀ ଖାଲି ହେବାମାତ୍ରେ ତାହାକୁ ପୂରଣ କରିବାପାଇଁ ସରକାର ପଦକ୍ଷେପ ଗ୍ରହଣ କରିବାକୁ ଏମାନେ ମତ ଦେଉଛନ୍ତି ।

ଉଲ୍ଲେଖନୀୟ ଯେ ଆୟୋଗର ସମ୍ବିଧାନ ଅନୁଯାୟୀ ଦୁଇଜଣ ସଦସ୍ୟଙ୍କୁ କେନ୍ଦ୍ର ସରକାର ନିଯୁକ୍ତ କରିଥାନ୍ତି । ମୋଟ୍‍ ସଦସ୍ୟଙ୍କ ମଧ୍ୟରୁ ଅତି କମ୍‍ରେ ଦୁଇଜଣ ମହିଳା ସଦସ୍ୟ ହୋଇଥିବା ଆବଶ୍ୟକ । ସେହିଭଳି ବ୍ୟବସ୍ଥା ଅନୁଯାୟୀ ଶିଶୁ ସୁରକ୍ଷା ଆୟୋଗରେ ସଦସ୍ୟ ହେଉଥିବା ବ୍ୟକ୍ତିଙ୍କର ଶିକ୍ଷା, ଶିଶୁ ସ୍ୱାସ୍ଥ୍ୟ, ଶିଶୁ ବିକାଶ, ଜୁଭେନାଇଲ ଜଷ୍ଟିସ ସହିତ ଆଇନ୍‍ କ୍ଷେତ୍ରରେ ବେଶ୍‍ ଅଭିଜ୍ଞତା ରହିବା ଆବଶ୍ୟକ । ଏହିସବୁ କ୍ଷେତ୍ରରେ ରାଜ୍ୟରେ ଏକାଧିକ ପ୍ରତିଷ୍ଠିତ ବ୍ୟକ୍ତି ରହିଥିବାରୁ ତୁରନ୍ତ ପଦବୀ ଗୁଡିକ ପୂରଣ କରିବାପାଇଁ ମତପ୍ରକାଶ ପାଉଛି ।

ସେହିଭଳି କମିଶନ ଅନେକ ଘଟଣାରେ ନିଜ ଆଡୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କ୍ଷମତା ରହିଛନ୍ତି । ବିଶେଷକରି ଗଣମାଧ୍ୟମରେ ପ୍ରକାଶିତ କୌଣସି ଶିଶୁ ନିର୍ଯ୍ୟାତନା ଘଟଣାରେ ଆୟୋଗ ନିଜଆଡୁ ମାମଲା ରୁଜୁ ସହିତ ଏହାର ତଦନ୍ତ କରିପାରିବେ । ତେବେ ରାଜ୍ୟରେ ଯେଭଳି ଶିଶୁ ଅପହରଣ ଓ ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଘଟଣା ନଜରକୁ ଆସୁଛି ଏବଂ ଏହାକୁ ନେଇ ବିବାଦ ଜୋର ଧରୁଛି ସେ କ୍ଷେତ୍ରରେ ଆୟୋଗରେ ଥିବା ସମସ୍ତ ପଦବୀ ପୂରଣ ସହିତ ଆନୁଷଙ୍ଗିକ ଭିତ୍ତିଭୂମି ଯୋଗାଇ ଦିଆଯିବା ଆବଶ୍ୟକ ହୋଇପଡିଛି ।