Home General ଖାଦ୍ୟ ସୁରକ୍ଷା ଅପେକ୍ଷାରେ ୧.୩୪ଲକ୍ଷ ଆବେଦନକାରୀ

ଖାଦ୍ୟ ସୁରକ୍ଷା ଅପେକ୍ଷାରେ ୧.୩୪ଲକ୍ଷ ଆବେଦନକାରୀ

ଭୁବନେଶ୍ୱର : ରାଜ୍ୟରେ ଏବେ ସୁଦ୍ଧା ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ପାଇଁ ୧,୩୪,୮୯୮ ଜଣ ବ୍ୟକ୍ତି ଆବେଦନ କରି ଅପେକ୍ଷାରେ ରହିଛନ୍ତି । ଆବେଦନକାରୀଙ୍କ ମଧ୍ୟରେ ସର୍ବାଧିକ ୨୫,୯୯୪ ବାଲେଶ୍ୱର ଜିଲ୍ଲାରୁ ରହିଥିବା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ।

ବିଜେପି ବିଧାୟକା କୁସୁମ ଟେଟେଙ୍କର ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ନାୟକ କହିଛନ୍ତି ଯେ ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନାରେ ଥିବା ୯୫,୯୬,୧୪୮ ହିତାଧିକାରୀ ପରିବାରଙ୍କ ମଧ୍ୟରୁ ଜତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ ଅନୁସାରେ ୯୩ଲକ୍ଷ ୩ହଜାର ୯୩୯ ପରିବାରର ୩କୋଟି ୨୪ଲକ୍ଷ ୧୯ହଜାର ୫୬୩ଜଣ ଯୋଗ୍ୟ ହିତାଧିକାରୀ ଥିବାବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨ଲକ୍ଷ ୯୨ହଜାର ୨୦୯ ପରିବାରର ୯ଲକ୍ଷ ୪ହଜାର ୯୩୫ ଜଣ ହିତାଧିକାରୀ ରହିଛନ୍ତି ।

ତେବେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ପାଇଁ ଆବେଦନ କରି ଅପେକ୍ଷାରେ ଥିବା ବ୍ୟକ୍ତିଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ଥିବାବେଳେ ଏହା ପଛକୁ ଗଞ୍ଜାମ ଜିଲ୍ଲାରେ ୨୦,୩୭୪, କଟକ ଜିଲ୍ଲାରେ ୧୬,୬୦୨, ପୁରୀ ଜିଲ୍ଲାରେ ୧୦,୬୭୭ ଜଣ ରହିଛନ୍ତି । ସବୁଠାରୁ କମ୍‍ ମାତ୍ର ୧୨୧ ଜଣ କୋରାପୁଟ ଜିଲ୍ଲାରେ ଥିବାବେଳେ ମାଲକାନଗରିରେ ୧୭୩, ସମ୍ବଲପୁରରେ ୩୪୦ ଓ ସୋନପୁର ଜିଲ୍ଲାରେ ୫୯୬ ଜଣ ରହିଛନ୍ତି ।

ସେହିଭଳି ବିଧାୟିକା ଶ୍ରୀମତୀ ଟେଟେଙ୍କର ଅନ୍ୟଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ନାୟକ ଦର୍ଶାଇଛନ୍ତି ଯେ ରାଜ୍ୟରେ ଏବେ ୧୨ହଜାର ୧୦୪ଟି ସରକାରୀ ସୁଲଭ ବିକ୍ରୟ କେନ୍ଦ୍ର ଥିବାବେଳେ ଏଥି ମ୍ମରୁ ୪୦୩୭ଟି ପଞ୍ଚାୟତ ହାତରେ, ୫୫୪୫ଟି ଡିଲରଙ୍କ ହାତରେ, ୨୦୨୫ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠି, ୧୬୭ଟି ସ୍ୱୟଂ ସହାୟକ ଗୋଷ୍ଠି, ୨୬୪ଟି ସମବାୟ ସମିତି ଓ ୬୬ଟି ଅନ୍ୟମାନଙ୍କ ହାତରେ ରହିଛି । ପଞ୍ଚାୟତ ସ୍ତରରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଙ୍କ ଦ୍ୱାରା ଖାଉଟି ସାମଗ୍ରୀ ହିତାଧିକାରୀଙ୍କୁ ଯୋଗାଇବା ଉପରେ ସରକାର ଅଗ୍ରାଧିକାର ଦେଉଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । (ତଥ୍ୟ)