ଭୁବନେଶ୍ୱର : ଡାଲି, ତେଲ, ଚିନି, ଆଳୁ, ପିଆଜ ଭଳି ଖାଦ୍ୟ ପଦାର୍ଥ ପାଇଁ ଓଡ଼ିଶା ଏବେବି ଅନ୍ୟ ରାଜ୍ୟ ଉପରେ ବିଶେଷ ନିର୍ଭରଶୀଳ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବ୍ୟାପକ ଯୋଜନା ସତ୍ତ୍ୱେ ଏଯାବତ୍ ଏ କ୍ଷେତ୍ରରେ ଓଡ଼ିଶା ସ୍ୱାବଲମ୍ବୀ ହୋଇପାରୁ ନାହିଁ ।
ଓଡ଼ିଶା ପାଇଁ ବାର୍ଷିକ ପ୍ରାୟ ୧୨ଲକ୍ଷ ମେଟ୍ରିକ ଟନ ଆଳୁ ଓ ୩ଲକ୍ଷ ମେଟ୍ରିକ ଟନ ପିଆଜର ଆବଶ୍ୟକତା ରହିଛି । ତେବେ ରାଜ୍ୟରେ ଆଳୁ ଉତ୍ପାଦନ ୪ଲକ୍ଷ ମେଟ୍ରିକ ଟନ୍କୁ ଟପିପାରୁ ନଥିବାରୁ ବର୍ଷକୁ ୮ଲକ୍ଷରୁ ୧୦ଲକ୍ଷ ଟନ୍ ପର୍ଯ୍ୟନ୍ତ ଆଳୁ ଅନ୍ୟ ରାଜ୍ୟରୁ ଆମଦାନୀ କରିବାକୁ ପଡୁଛି । ଯେତିକି ବି ଆଳୁ ରାଜ୍ୟରେ ଉତ୍ପାଦିତ ହେଉଛି ତାହାର ସଂରକ୍ଷଣ ଲାଗି ଶୀତଳ ଭଣ୍ଡାର ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବାରୁ ବାହାର ରାଜ୍ୟର ବ୍ୟବସାୟୀମାନେ ଉତ୍ପାଦନ ବେଳେ କିଲୋ ୨ରୁ ୪ଟଙ୍କା ଦରରେ ଚାଷୀଙ୍କଠାରୁ ଆଳୁ କିଣି ନେଇ ପରେ ତାକୁ ୧୫ରୁ ୨୦ଟଙ୍କା ଦରରେ ଓଡ଼ିଶା ବଜାରରେ ବିକୁଛନ୍ତି ।
ତେବେ ଆବଶ୍ୟକତା ଅପେକ୍ଷା ଅଧିକ ପିଆଜ ଓଡ଼ିଶାରେ ଉତ୍ପାଦିତ ହେଉଥିବା କୁହାଯାଉଛି । ରାଜ୍ୟ ପାଇଁ ବାର୍ଷିକ ପ୍ରାୟ ୩ଲକ୍ଷ ମେଟ୍ରିକ ଟନ୍ ଆବଶ୍ୟକ ଥିବାବେଳେ ବର୍ଷକୁ ପ୍ରାୟ ୩.୫ରୁ ୪.୫ ଲକ୍ଷ ମେଟ୍ରିକ ଟନ୍ ପିଆଜ ଉତ୍ପାଦିତ ହେଉଛି । ଆଳୁ ଭଳି ପିଆଜ ସଂରକ୍ଷଣ ପାଇଁ ମଧ୍ୟ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବାରୁ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ଉତ୍ପାଦନ ସମୟରେ କିଲୋ ୫ରୁ ୭ଟଙ୍କା ଦରରେ ଚାଷୀମାନଙ୍କ ଠାରୁ ପିଆଜ ସଂଗ୍ରହ କରି ପରେ କିଲୋ ପିଛା ୨୦ରୁ ୫୦ଟଙ୍କା ଦରରେ ଓଡ଼ିଶା ବଜାରରେ ବିକ୍ରି କରୁଛନ୍ତି । ବିଶେଷକରି ପିଆଜ ପାଇଁ ମହାରାଷ୍ଟ୍ର ଓ ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ଓଡ଼ିଶା ନିର୍ଭରଶୀଳ । ଆଳୁ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାକୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ଆଳୁ ମିଶନ କାର୍ଯ୍ୟକ୍ରମ ଚଳାଇଛନ୍ତି । ବ୍ୟାପକ ଅର୍ଥ ଖର୍ଚ୍ଚ କରିଥିଲେ ମଧ୍ୟ ତାହା ବିଶେଷ ଫଳପ୍ରଦ ହୋଇନାହିଁ ।
ରାଜ୍ୟ ପାଇଁ ବର୍ଷକୁ ପ୍ରାୟ ଅଢ଼େଇ ଲକ୍ଷ ମେଟ୍ରିକ ଟନ୍ ଚିନି ଓ ପ୍ରାୟ ୩ଲକ୍ଷ ମେଟ୍ରିକ ଟନ୍ ଖାଇବା ଓ ଦେହଲଗା ତେଲ ଆବଶ୍ୟକ ପଡୁଛି । ଚିନି ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାକୁ ବଳକା ରାଜ୍ୟରେ ପରିଣତ କରିବା ଲାଗି ବ୍ୟାପକ ଅଞ୍ଚଳରେ ଆଖୁଚାଷ କରାଯିବା ସହ ନୟାଗଡ, ବଡମ୍ବା, ବରଗଡ, ବଲାଙ୍ଗୀର, ଆସିକା ଆଦିରେ ଚିନିକଳ ରହିଥିଲା ।
ଏଗୁଡିକ ମଧ୍ୟରୁ ଏବେ କଷ୍ଟେମଷ୍ଟେ ଆସିକା ଚିନିକଳ ଚାଲୁଥିବା ବେଳେ ଅନ୍ୟ ସବୁ ଚିନିକଳ ବର୍ଷ ବର୍ଷ ଧରି ବନ୍ଦ ହୋଇପଡିବା ଫଳରେ ଚାଷୀମାନଙ୍କର ଆଖୁଚାଷ ପ୍ରତି ଆଗ୍ରହ କମିଛି । ଢ଼େଙ୍କାନାଳରେ ବେସରକାରୀ ଭାବରେ ଚିନିକଳ ବସା ଯାଇଥିଲେ ମଧ୍ୟ ଏହା ରାଜ୍ୟ ତ ଦୂରର କଥା ଯେଉଁ ଜିଲ୍ଲାଗୁଡିକରୁ ଆଖୁ ସଂଗ୍ରହ କରିବା କଥା ସେହି ଜିଲ୍ଲାଗୁଡିକ ଲାଗି ଆବଶ୍ୟକ ପଡୁଥିବା ଚିନି ଉତ୍ପାଦିତ କରିପାରୁ ନାହିଁ ।
ନଡିଆ ଉତ୍ପାଦନ କ୍ଷେତ୍ରରେ ଏକଦା ଓଡ଼ିଶା ଦେଶର ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହୁଥିଲା । ଏବେ ରାଜ୍ୟରେ ଦେହରେ ଲଗାଇବା ପାଇଁ ଯେତେ ପରିମାଣର ନଡିଆ ତେଲ ଆବଶ୍ୟକ ହେଉଛି ତାହାର ମୁଖ୍ୟାଂଶ ଅନ୍ୟ ରାଜ୍ୟରୁ ଅଣାଯାଉଛି । ସେହିପରି ଓଡ଼ିଶାରେ ଚିନାବାଦାମ, ସୋରିଷ, ଟୋଲ ଆଦି ତୈଳବୀଜ ଉତ୍ପାଦନ ବଢ଼ୁଥିଲେ ମଧ୍ୟ ତେଲ ପ୍ରସ୍ତୁତ ପାଇଁ ରାଜ୍ୟରେ କଳ ନଥିବାରୁ ଓଡ଼ିଶାରେ ଉତ୍ପାଦିତ ତୈଳବୀଜକୁ ଶସ୍ତା ଦାମରେ କିଣି ନେଇ ବାହାର ରାଜ୍ୟର ବ୍ୟବସାୟୀମାନେ ବେଶ୍ ମୁନାଫା ଉଠାଉଛନ୍ତି । ଓଡ଼ିଶା ପାଇଁ ବାର୍ଷିକ ପ୍ରାୟ ୩ଲକ୍ଷ ଟନ୍ ଡାଲି ଦରକାର ପଡୁଥିବା ବେଳେ ପ୍ରକ୍ରିୟାକରଣ ଶିଳ୍ପ ନଥିବାରୁ ଏଥିଲାଗି ଅନ୍ୟ ରାଜ୍ୟ ଉପରେ ମଧ୍ୟ ମୁଖ୍ୟତଃ ନିର୍ଭର କରିବାକୁ ପଡୁଛି । (ତଥ୍ୟ)
 
            
