Home General ଖାଇବା ତେଲ ଉପରେ ରହୁନି ଗୁଇନ୍ଦା ନଜର

ଖାଇବା ତେଲ ଉପରେ ରହୁନି ଗୁଇନ୍ଦା ନଜର

ଭୁବନେଶ୍ୱର : ଖାଇବା ତେଲର ଦର ଧିରେ ଧିରେ ହ୍ରାସ ପାଉଥିବାବେଳେ ଖାଉଟି କିନ୍ତୁ ଏହାର ସୁଫଳ ପାଇପାରୁ ନାହାନ୍ତି । ସୂର୍ଯ୍ୟମୁଖୀ ଠାରୁ ଆରମ୍ଭ କରି ସୋରିଷ ତେଲର ଦର ବିଭିନ୍ନ ସ୍ଥାନରେ ଅଲଗା ଅଲଗା ରହୁଛି । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବଜାର ଗୁଇନ୍ଦା ବ୍ୟବସ୍ଥା (ମାର୍କେଟ ଇଣ୍ଟେଲିଜେନ୍ସ)ର ବିଫଳତା ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା କୁହାଯାଉଛି ।

ବଜାରରେ ସୂର୍ଯ୍ୟମୁଖୀ ଲିଟର ପ୍ରତି ଦର ୧୭୫ ଟପିବାପରେ ଧିରେ ଧିରେ ହ୍ରାସ ପାଉଛି । ବର୍ତ୍ତମାନ ଏହାର ପାଇକାରୀ ପ୍ରାୟ ୧୫୦ ଟଙ୍କା ଥିବାବେଳେ ଖୁରୁରା ବ୍ୟବସାୟୀମାନେ କିନ୍ତୁ ୧୬୦ରୁ ୧୭୦ ଟଙ୍କା ପର୍ଯ୍ୟନ୍ତ ଅସୁଲ କରୁଛନ୍ତି । ତେଲ ଦର ବଢିବାବେଳେ ଦୋକାନୀମାନେ ଯେଭଳି ଲୋକଙ୍କୁ ସୂଚନା ଦେଉଥିଲେ ଦର କମିଲା ବେଳକୁ ଆଉ ଦେଉନାହାନ୍ତି । ବିଭିନ୍ନ ଦୋକାନ ଓ ମଲ୍‍ରେ ଭିନ୍ନ ଦର ।

ତେବେ ସବୁଠାରୁ ବଡ କଥା ହେଉଛି ଖାଇବାତେଲର ଦର ଛପାଇବାକୁ ନେଇ । ୧୬୦ ଟଙ୍କା ଦରରେ ବିକ୍ରି ହେଉଥିବା ଖାଇବା ତେଲ ପ୍ୟାକେଟ ଉପରେ ୨୧୯ ଟଙ୍କା ପର୍ଯ୍ୟନ୍ତ ଦର ଲେଖାଯାଉଛି । ତେଣୁ ଦୋକାନୀ ମାନେ ଯେତେ ନେଲେ ବି ଖାଉଟି ଟି ବାସ୍ତବ ଦର ସଂକ୍ରାନ୍ତରେ ଜାଣିପାରୁ ନାହିଁ । ଏ ସଂକ୍ରାନ୍ତରେ ଖାଦ୍ୟ ଯୋଗାଣ ବିଭାଗ ପୂରା ନିରବ । ଅଧିକାଂଶ ଖାଇବାତେଲ ଓଡିଶାରେ ପ୍ୟାକିଂ ହେଉଥିବାବେଳେ କ’ଣ ପାଇଁ ଏହା ଉପରେ ଏତେ ଦର ଲେଖାଯାଉଛି ତାହାର ଖୋଳତାଡ ହେଉନାହିଁ ।

କେବଳ ସୂର୍ଯ୍ୟମୁଖୀ ନୁହେଁ ସୋରିଷ ତେଲର ମଧ୍ୟ ସମାନ ଅବସ୍ଥା । ସୋରିଷ ତେଲ ଲିଟର ୨୦୦ ଟଙ୍କା ଛୁଇଁବାପରେ ଧିରେ ହ୍ରାସ ପାଉଛି । ହେଲେ କେଉଁଠାରେ କେତେ ଦର ହ୍ରାସ ପାଉଛି ତାହା ଖାଉଟିଙ୍କ ଜାଣତ ବାହାରେ । ଯେହେତୁ ପାଉଚ୍‍ କିମ୍ବା ବୋତଲ ଉପରେ ଦେଢଗୁଣା ଦର ଲେଖାହୋଇଛି ତେଣୁ ଦୋକାନୀମାନେ ମନଇଚ୍ଛା ଦର ନେଲେ ବି ଖାଉଟି କିଛି କରିପାରୁନାହିଁ ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଗୋଟିଏ କମ୍ପାନୀର ସୂର୍ଯ୍ୟମୁଖୀ ଓ ସୋରିଷ ତେଲ ସଂକ୍ରାନ୍ତରେ ରାଜଧାନୀର ବିଭିନ୍ନ ମଲ୍‍ରେ ଭିନ୍ନ ଭିନ୍ନ ଦରରେ ବିଜ୍ଞାପନ ଦିଆଯାଉଛି । କେଉଁ ମଲ୍‍ରେ ୧୬୯ ଟଙ୍କା ତ ଆଉ କେଉଁଠ ୧୫୨ ଟଙ୍କା । ଯଦିଓ ଗ୍ରାହକଙ୍କୁ ନିଜ ପଟକୁ ଆଣିବାକୁ ମଲ୍‍ଗୁଡିକ ଏଭଳି ଆକର୍ଷଣୀୟ ବିଜ୍ଞାପନ ଦେଉଛନ୍ତି ତେବେ ଖାଉଟି ତେଲ ଦରରେ ଏତେ ବଡ ଫରକ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅହେତୁକ ନିରବତା ଅବଲମ୍ବନ କରୁଛି ।

ଦର ନିୟନ୍ତ୍ରଣ ପାଇଁ ଜିଲ୍ଲା ସ୍ତରରେ ଥିବା ବଜାର ଗୁଇନ୍ଦା ଅଧିକାରୀମାନେ ପ୍ରତିଦିନ ବଜାରରୁ ବିଭିନ୍ନ ସାମଗ୍ରୀର ଦର ସଂଗ୍ରହକରି ଜିଲ୍ଲା ଯୋଗାଣ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଦେଇଥାନ୍ତି । ସେହି ରିପୋର୍ଟ ରାଜ୍ୟ ସ୍ତରକୁ ଆସିଥାଏ ଓ ସରକାର ଏହା ଉପରେ ପଦକ୍ଷେପ ଗ୍ରହଣ କରିଥାନ୍ତି । ବଜାର ଦରକୁ ସାର୍ବଜନୀନ କରାଯିବା ଦ୍ୱାରା ଲୋକେ ମଧ୍ୟ ପ୍ରକୃତ ଦର ଜାଣିଥାନ୍ତି । ହେଲେ ଏବେ ଏହି ଗୁଇନ୍ଦା ବ୍ୟବସ୍ଥା ଦୁର୍ବଳ ଯୋଗୁଁ ଖାଉଟି ଶୋଷଣର ଶିକାର ହେଉଥିବା କୁହାଯାଉଛି । ତେଣୁ ରାଜ୍ୟ ସରକାର ତୁରନ୍ତ ଖାଇବାତେଲର ଦର ଉପରେ ଦୃଷ୍ଟି ଦେବାକୁ ସାଧାରଣରେ ମତପ୍ରକାଶ ପାଉଛି । (ତଥ୍ୟ)