Home General ଖର୍ଚ୍ଚ ହୋଇ ପାରିଲାନି ସିଏମ୍‍ଆରଏଫ୍‍ ଅର୍ଥ

ଖର୍ଚ୍ଚ ହୋଇ ପାରିଲାନି ସିଏମ୍‍ଆରଏଫ୍‍ ଅର୍ଥ

ଭୁବନେଶ୍ୱର : କୋଭିଡ ମହାମାରୀ ସମୟରେ ସହରାଞ୍ଚଳରେ ବୁଲା ପଶୁମାନଙ୍କୁ ଖାଦ୍ୟ ଯୋଗାଣ ଠାରୁ ଆରମ୍ଭ କରି କ୍ୱାରେଣ୍ଟାଇନ୍‍ରେ ଥିବା ଲୋକଙ୍କୁ ସହାୟତା ବାବଦରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଯେତେ ଅର୍ଥ ଯୋଗା ଯାଇଥିଲା ସେଥିରୁ ପାଖପାଖି ୩କୋଟି ଟଙ୍କା ଖର୍ଚ୍ଚ ଫେରିଛି । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫୬କୋଟିରୁ ଅଧିକ ଟଙ୍କା ଯୋଗାଇ ଦିଆଯାଇଥିଲା ।

କରୋନା କାଳରେ ଲକ୍‍ଡାଉନ୍‍ ଓ ସଟ୍‍ଡାଉନ୍‍ ଜାରି ହେବା ଫଳରେ ସହରାଞ୍ଚଳର ବୁଲା ପଶୁମାନେ ଖାଦ୍ୟ ପାଇବାକୁ ଡହଳ ବିକଳ ହୋଇଥିଲେ । ଏହାକୁ ଦୃଷ୍ଟିରେ ରଖି ବୁଲା ପଶୁଙ୍କୁ ଖାଦ୍ୟ ଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩,୪୩,୨୨,୦୦୦ ଟଙ୍କା ଯୋଗାଯାଇଥିଲା । ଏହି ଅର୍ଥରୁ ୨୦ଲକ୍ଷ ୭୮ହଜାର ଟଙ୍କା ଖର୍ଚ୍ଚ ନହୋଇ ଫେରିଛି । ସେହଭଳି ଷ୍ଟ୍ରିଟ ଭେଣ୍ଡରଙ୍କ ପାଇଁ ଯୋଗାଯାଇଥିବା ଅର୍ଥ ମଧ୍ୟରୁ ଏକ କୋଟି ୩୮ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚହୋଇ ପାରିନାହିଁ ।

କରୋନା ସଂକ୍ରମିତ ହୋଇ ଯେଉଁ ଲୋକେ କ୍ୱାରେଣ୍ଟାଇନ୍‍ରେ ରହିଥାନ୍ତି ସେମାନଙ୍କୁ ସହାୟତା ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫କୋଟି ୫୪ଲକ୍ଷ ଟଙ୍କା ଯୋଗାଯାଇଥିବାବେଳେ ଏଥିରୁ ୮୯ଲକ୍ଷ ଟଙ୍କା ଫେରିଛି । ଗୋଷ୍ଠି ପରିଚାଳନା (କମ୍ୟୁନିଟି ମ୍ୟାନେଜମେଣ୍ଟ) ପାଇଁ ୨କୋଟିରୁ ଅଧିକ ଟଙ୍କା ଦିଆଯାଇଥିବାବେଳେ ଏଥିରୁ ବି ୪୭ଲକ୍ଷ ଟଙ୍କା ଖର୍ଚ୍ଚ ନହୋଇ ଫେରି ଆସିଛି ।

କରୋନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦିଆଯାଇଥିବା ଅର୍ଥରେ ବିଏମ୍‍ସି ସମେତ ଅନ୍ୟାନ୍ୟ ପୌରସଂସ୍ଥାମାନେ ସହରାଞ୍ଚଳର ବୁଲା ପଶୁମାନଙ୍କୁ ଖାଦ୍ୟ ଦେବାର ବ୍ୟାପକ ଫଟୋ ପକାଉଥିବାବେଳେ କ୍ୱାରେଣ୍ଟାଇନ୍‍ ଲୋକଙ୍କୁ ମଧ୍ୟ ସହାୟତା ଯୋଗାଇ ବ୍ୟାପକ ପ୍ରଚାର ପ୍ରସାର କରିଥିଲେ । ତେବେ ସରକାର ଯୋଗାଉଥିବା ଅର୍ଥ କିଭଳି ଏତେ ପରିମାଣରେ ଖର୍ଚ୍ଚ ହୋଇପାରିଲା ନାହିଁ ତାହା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । (ତଥ୍ୟ)