Home Finance ଖର୍ଚ୍ଚ ହୋଇପାରୁନି ବିଜୁ କନ୍ୟାରତ୍ନ ଅର୍ଥ

ଖର୍ଚ୍ଚ ହୋଇପାରୁନି ବିଜୁ କନ୍ୟାରତ୍ନ ଅର୍ଥ

ଭୁବନେଶ୍ୱର : ବିଜୁ କନ୍ୟା ରତ୍ନ ଯୋଜନାରେ ରାଜ୍ୟ ସରକାର ଯୋଗାଉଥିବା ଅର୍ଥକୁ ଜିଲ୍ଲାଗୁଡ଼ିକ ଖର୍ଚ୍ଚ କରିପାରୁନାହାନ୍ତି । ଏହି ଯୋଜନା ରାଜ୍ୟର ୪ଜିଲ୍ଲା ଗଞ୍ଜାମ, ଅନଗୁଳ, ଢେଙ୍କାନାଳ ଓ ନୟାଗଡ଼ରେ କାର୍ଯ୍ୟକାରୀ ହେଉଛି ।

କନ୍ୟା ଶିଶୁମାନଙ୍କ ବିକାଶ, ଲିଙ୍ଗଗତ ତାରତମ୍ୟ ଦୂରୀକରଣ, ଭ୍ରୂଣ ଚିହ୍ନଟ ରୋକିବା, ବିଦ୍ୟାଳୟରେ ଝିଅମାନଙ୍କର ଉପସ୍ଥାନ ବୃଦ୍ଧି କରିବାକୁ ଏହି ଯୋଜନାରେ ରାଜ୍ୟ ସରକାର ୪ ଜିଲ୍ଲାକୁ ଅର୍ଥ ଯୋଗାଇ ଦେଇଥାନ୍ତି । ଗଞ୍ଜାମ, ଅନଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ୨୦୧୬-୧୭ ବର୍ଷରେ ୬୦ଲକ୍ଷ ଟଙ୍କା କରି ଯୋଗାଇ ଦିଆଯାଇଥିବା ବେଳେ ସେହି ଜିଲ୍ଲାଗୁଡ଼ିକ ଉକ୍ତ ବର୍ଷ ଏହି ଅର୍ଥରୁ ଯଥାକ୍ରମେ ୬ଲକ୍ଷ ୫୨ ହଜାର, ୪ଲକ୍ଷ ୨୧ହଜାର ଓ ୧ଲକ୍ଷ ୪ହଜାର ଟଙ୍କା ଖର୍ଚ୍ଚ କରିଥିଲେ ।

ତେବେ ୨୦୧୭-୧୮ ଓ ୨୦୧୮-୧୯ ବର୍ଷରେ ଏହି ୩ ଜିଲ୍ଲାକୁ ବର୍ଷକୁ ୨୦ଲକ୍ଷ ଟଙ୍କା କରି ଦିଆଯାଇଥିଲା । ଗଞ୍ଜାମ ଓ ଅନଗୁଳ ଜିଲ୍ଲା ଏହି ଦୁଇ ବର୍ଷରେ ମିଳିଥିବା ଅର୍ଥଠାରୁ ଅଧିକ ବ୍ୟୟ କରିଥିବା ବେଳେ ଢେଙ୍କାନାଳ ଜିଲ୍ଲା ୨୦୧୮-୧୯ ବର୍ଷରେ ମାତ୍ର ୪ଲକ୍ଷ ୨୧ହଜାର ଟଙ୍କା ଖର୍ଚ୍ଚ କରିପାରିଛି ।

ବିଜୁ କନ୍ୟା ରତ୍ନ ଯୋଜନାରେ ଗଞ୍ଜାମ ଜିଲ୍ଲାକୁ ୨୦୧୯-୨୦ ବର୍ଷରେ ୧୨ଲକ୍ଷ ୨୫ହଜାର ଟଙ୍କା ମିଳିଥିବା ବେଳେ ସେହିବର୍ଷ ଏହି ଯୋଜନାରେ ଜିଲ୍ଲା କର୍ତ୍ତୃପକ୍ଷ ଟଙ୍କାଟିଏ ବ୍ୟୟ କରିନାହାନ୍ତି । ଏହା ପରବର୍ଷ ୩୭ ଲକ୍ଷ ୧୫ହଜାର ଟଙ୍କା ଦିଆଯାଇଥିବା ବେଳେ ଜିଲ୍ଲା କର୍ତ୍ତୃପକ୍ଷ ୩୪ଲକ୍ଷ ୭ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି । ଅନୁରୂପ ଭାବେ ଅନୁଗୁଳ ଜିଲ୍ଲାକୁ ୨୦୧୯-୨୦ ବର୍ଷରେ ୧୨ଲକ୍ଷ ୨୫ହଜାର ଟଙ୍କା ଦିଆଯାଇଥିବା ବେଳେ ଏଥିରୁ ୫ଲକ୍ଷ ୬୫ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଗତ ଆର୍ଥିକ ବର୍ଷରେ ସରକାର ୨୨ଲକ୍ଷ ୬୬ହଜାର ଟଙ୍କା ଯୋଗାଇଥିବା ବେଳେ ଟଙ୍କାଟିଏ ବି ଖର୍ଚ୍ଚ କରାଯାଇନାହିଁ ।

ଢେଙ୍କାନାଳ ଜିଲ୍ଲାକୁ ୨୦୧୯-୨୦ ବର୍ଷରେ ୧୨ଲକ୍ଷ ୨୫ହଜାର ଓ ୨୦୨୦-୨୧ ବର୍ଷରେ ୧୬ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ କର୍ତ୍ତୃପକ୍ଷ ଏହି ଦୁଇ ବର୍ଷରେ ମାତ୍ର ୨ଲକ୍ଷ ୩୧ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି । ତେବେ ନୟାଗଡ଼ ଜିଲ୍ଲାକୁ ବିଜୁ କନ୍ୟାରତ୍ନ ଯୋଜନାରେ ୨୦୧୬-୧୭ରୁ ୨୦୧୮-୧୯ ପର୍ଯ୍ୟନ୍ତ ଟଙ୍କାଟିଏ ମିଳିନଥିବାବେଳେ ୨୦୧୯-୨୦ରେ ୧୨ଲକ୍ଷ ୨୫ହଜାର ଓ ୨୦୨୦-୨୧ରେ ୨୦ଲକ୍ଷ ୪୮ ହଜାର ଟଙ୍କା ମିଳିଥିଲା । ତେବେ ଜିଲ୍ଲା କର୍ତ୍ତୃପକ୍ଷ ଏଥିରୁ ମାତ୍ର ୬ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିଛନ୍ତି ।