Home Finance ଖର୍ଚ୍ଚହୋଇ ପାରୁନି ଡବ୍ଲ୍ୟୁଓଡିସି ଅର୍ଥ

ଖର୍ଚ୍ଚହୋଇ ପାରୁନି ଡବ୍ଲ୍ୟୁଓଡିସି ଅର୍ଥ

214
0

ଭୁବନେଶ୍ୱର : ବର୍ଷ ବର୍ଷ ଧରି ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାକୁ ପଶ୍ଚିମ ଓଡିଶା ବିକାଶ ପରିଷଦ ମାଧ୍ୟମରେ ବିପୁଳ ପାଣ୍ଠି ଯୋଗାଯାଉଥିବାବେଳେ ସଂଖ୍ୟାଧିକ ଜିଲ୍ଲା ପାଇଥିବା ସମସ୍ତ ଅର୍ଥ ଖର୍ଚ୍ଚ କରିପାରିନାହାନ୍ତି । ୧୯୯୯ ରୁ ୨୦୨୧ ପର୍ଯ୍ୟନ୍ତ ୨୨ବର୍ଷର ସମୀକ୍ଷାରୁ ଜଣାପଡିଛି ଯେ କେତେକ ଜିଲ୍ଲା ଅନୁଦାନର ସିଂହଭାଗ ଖର୍ଚ୍ଚରେ ସମର୍ଥ ହୋଇଛନ୍ତି ।

ପଶ୍ଚିମଓଡିଶାର ଜିଲ୍ଲାଗୁଡିକ ମଧ୍ୟରୁ ସୁନ୍ଦରଗଡ ସର୍ବାଧିକ ଅର୍ଥ ପାଇଥିବାବେଳେ ଏହାକୁ ଠିକଣା ଭାବେ ଖର୍ଚ୍ଚ କରିବାରେ ସମର୍ଥ ହୋଇଛି । ୧୯୯୯ ମସିହାରୁ ପଶ୍ଚିମ ଓଡିଶା ବିକାଶ ପରିଷଦ ରାଜ୍ୟ ସରକାରଙ୍କ ଠାରୁ ୧୬୬୨ କୋଟି ଟଙ୍କାର ଅନୁଦାନ ପାଇଥିବାବେଳେ ଚଳିତବର୍ଷ ଜାନୁଆରୀ ସୁଦ୍ଧା ୧୪୮୪ କୋଟି ଟଙ୍କା ବ୍ୟୟ କରିଛି । ଖର୍ଚ୍ଚ ନହୋଇ ୧୭୮କୋଟି ଟଙ୍କା ପଡିରହିଛି ।

ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲା ସମେତ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ସବ୍‍ଡିଭିଜନକୁ ପାଣ୍ଠି ଯୋଗାଣ ହେଉଥିବାବେଳେ ଅର୍ଥ ଖର୍ଚ୍ଚ କ୍ଷେତ୍ରରେ ସୁନ୍ଦରଗଡ ସବୁଠାରୁ ଆଗରେ ରହିଛି । ଆଦିବାସୀ ବହୁଳ ଏହି ଜିଲ୍ଲା ୧୯୯୯ ରୁ ମୋଟ୍‍ ୨୭୫କୋଟି ୨ଲକ୍ଷ ଟଙ୍କା ପାଇଥିବାବେଳେ ଏଥିରୁ ୨୭୪କୋଟି ୭ଲକ୍ଷ ଟଙ୍କା ବ୍ୟୟ କରିସାରିଛି । ସେହିଭଳି କଳାହାଣ୍ଡି ଜିଲ୍ଲାକୁ ୨୨୮କୋଟି ୮୩ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବାବେଳେ ବିକାଶ ପରିଷଦ ୨୨୪କୋଟି ୬୬ଲକ୍ଷ ଟଙ୍କା ଯୋଗାଇ ଦେଇଛି ଏବଂ ଏଥିରୁ ୨୧୪କୋଟି ୧୨ଲକ୍ଷ ଟଙ୍କା ବ୍ୟୟ ହୋଇଛି ।

ବଲାଙ୍ଗିର ପାଇଁ ରାଜ୍ୟ ସରକାର ୨୧୯କୋଟି ୧୮ଲକ୍ଷ ଟଙ୍କା ମଞ୍ଜୁର କରିଥିବାବେଳେ ବିକାଶ ପରିଷଦ ୨୨୪କୋଟି ୬୬ଲକ୍ଷ ଟଙ୍କା ଯୋଗାଇଛି ଏବଂ ଏଥିରୁ ୨୧୪କୋଟି ୧୨ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଅନୁରୂପ ଭାବେ ବରଗଡ ଜିଲ୍ଲାପାଇଁ ସରକାର ୨୧୮କୋଟି ୫୭ଲକ୍ଷ ଟଙ୍କା ମଞ୍ଜୁର କରିଥିବାବେଳେ ବିକାଶ ପରିଷଦ ୨୧୭ କୋଟି ୪୧ଲକ୍ଷ ଟଙ୍କା ଦେଇଛି ଓ ଏଥିରୁ ୨୦୫କୋଟି ୩୬ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ସମ୍ବଲପୁର ପାଇଁ ସରକାର ୨୦୩କୋଟି ୩୬ଲକ୍ଷ ଟଙ୍କା ଯୋଗାଇଥିବାବେଳେ ବିକାଶ ପରିଷଦ ୧୮୭କୋଟି ୭୬ଲକ୍ଷ ଟଙ୍କା ଦେଇଛି ଓ ଏଥିରୁ ୧୭୧ କୋଟି ୮୨ଲକ୍ଷ ଟଙ୍କା ବ୍ୟୟ ହୋଇଛି ।

ଝାରସୁଗୁଡା ଜିଲ୍ଲାକୁ ରାଜ୍ୟ ସରକାର ୧୦୩କୋଟି ୬୩ଲକ୍ଷ ଟଙ୍କା ଯୋଗାଇଥିବାବେଳେ ବିକାଶ ପରିଷଦ ୧୦୩ କୋଟି ୪୧ଲକ୍ଷ ଟଙ୍କା ଦେଇଛି ଏବଂ ଏଥିରୁ ୮୪କୋଟି ୧୪ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଝାରସୁଗୁଡା ଜିଲ୍ଲାର ବରିଷ୍ଠ ନେତା ଦାୟିତ୍ୱ ତୁଲାଉଛନ୍ତି । ହେଲେ ଏହି ଜିଲ୍ଲାର ବ୍ୟୟ ସେତେଟା ଉତ୍ସାହଜନକ ନୁହେଁ ।

ସମ୍ବଲପୁରକୁ ସରକାର ୯୯କୋଟି ୩୭ଲକ୍ଷ ଟଙ୍କା ମଞ୍ଜୁର କରିଥିବାବେଳେ ବିକାଶ ପରିଷଦ ଏହାକୁ ୯୧କୋଟି ୪୬ଲକ୍ଷ ଟଙ୍କା ଦେଇଛି ଏବଂ ଏଥିରୁ ୮୪କୋଟି ୩୭ଲକ୍ଷ ଟଙ୍କା ବ୍ୟୟ ହୋଇଛି । ସେହିଭଳି ନୂଆପଡା ଜିଲ୍ଲାପାଇଁ ୯୪କୋଟି ୭୯ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବାବେଳେ ବିକାଶ ପରିଷଦ ଏହି ଜିଲ୍ଲାକୁ ୯୩କୋଟି ୭୨ଲକ୍ଷ ଟଙ୍କା ଦେଇଛି ଏବଂ ଏଥିରୁ ୮୩କୋଟି ୮୯ଲକ୍ଷ ଟଙ୍କା ବ୍ୟୟ ହୋଇଛି ।

ବୌଦ୍ଦ ଜିଲ୍ଲା ପାଇଁ ୮୧କୋଟି ୩୫ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବାବେଳେ ପରିଷଦ ୮୦କୋଟି ୯୪ଲକ୍ଷ ଟଙ୍କା ଦେଇଛି ଏବଂ ଏଥିରୁ ୭୬କୋଟି ୯୯ ଲକ୍ଷ ଟଙ୍କା ବ୍ୟୟ ହୋଇଛି । ଅନୁଗୁଳ ଜିଲ୍ଲାକୁ ସରକାର ୩୮କୋଟି ୮୭ଲକ୍ଷ ଟଙ୍କା ଦେଇଥିବାବେଳେ ପରିଷଦ ଦେଇଥିବା ସମସ୍ତ ୩୬କୋଟି ୩୮ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଛି । ତେଣୁ ପରିଷଦ ଦେଇଥିବା ମୋଟ ୧୪୮୪ କୋଟି ଟଙ୍କା ଅର୍ଥାତ୍‍ ୯୩ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଛି ।

LEAVE A REPLY

Please enter your comment!
Please enter your name here