Home General ଖର୍ଚ୍ଚହୋଇ ପାରୁନି ଆଇସିପିଏସ୍‍ ପାଣ୍ଠି

ଖର୍ଚ୍ଚହୋଇ ପାରୁନି ଆଇସିପିଏସ୍‍ ପାଣ୍ଠି

ଭୁବନେଶ୍ୱର : ସମନ୍ୱିତ ଶିଶୁ ସୁରକ୍ଷା ଯୋଜନା (ଆଇସିପିଏସ୍‍)ରେ ମିଳୁଥିବା ଅର୍ଥ ସଂପୂର୍ଣ୍ଣ ଖର୍ଚ୍ଚ ହୋଇପାରୁ ନାହିଁ । ବର୍ଷକୁ ବର୍ଷ ବଳି ପଡୁଥିବା ଅର୍ଥ ପରିମାଣ ବଢ଼ିବାରେ ଲାଗିଛି । ସିଏଜିଙ୍କ ଦ୍ୱାରା କରାଯାଇଥିବା ୨୦୧୬-୧୭ରୁ ୨୦୨୦-୨୧ ବର୍ଷର ଅଡିଟ୍‍ରୁ ଏହା ଜଣାପଡିଛି ।

ସିଏଜି ଦର୍ଶାଇଛନ୍ତି ଯେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତା ଓଡ଼ିଶାରେ ଆଇସିପିଏସ୍‍ ଯୋଜନା କାର୍ଯ୍ୟକାରୀ ହେଉଛି । କେନ୍ଦ୍ର ସରକାର ଏହି ଯୋଜନାରେ ୩୫ରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ ଯୋଗାଇ ଦେଉଛନ୍ତି । ୨୦୦୯ ମସିହାରେ ଏହି କେନ୍ଦ୍ରୀୟ ଯୋଜନାଟି କାର୍ଯ୍ୟକାରୀ ହୋଇଥିଲା, ଯାହା ସରକାରୀ-ସିଭିଲ୍‍ ସୋସାଇଟି ଭାଗିଦାରୀ ମାଧ୍ୟମରେ ପିଲା ତଥା ଅନ୍ୟ ଅସୁରକ୍ଷିତ ପିଲାମାନଙ୍କ ପାଇଁ ସୁରକ୍ଷା ପରିବେଶ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଥିଲା ।

ସିଏଜି ଦର୍ଶାଇଛନ୍ତି ଯେ ୨୦୧୬-୧୭ ବର୍ଷରେ ଏହି ଯୋଜନାରେ ୪୦ କୋଟି ଟଙ୍କା ଜମା ଥିବାବେଳେ କେନ୍ଦ୍ର ସରକାର ୨୨.୭୯ କୋଟି ଓ ରାଜ୍ୟ ସରକାର ୧୬.୦୭ କୋଟି ଟଙ୍କା ଯୋଗାଇ ଦେଇଥିଲେ । ସୁଧ ବାବଦକୁ ସେହି ବର୍ଷ ୩.୭ କୋଟି ଟଙ୍କା ମିଳିଥିଲା । ମୋଟ ୮୧.୯୩ କୋଟି ଟଙ୍କା ମଧ୍ୟରୁ ସେହିବର୍ଷ ଆଇସିପିଏସ୍‍ ଯୋଜନାରେ ୫୭.୭୪ କୋଟି ଟଙ୍କା ଅର୍ଥାତ୍‍ ୭୦.୪୭ ପ୍ରତିଶତ ଅର୍ଥ ବ୍ୟୟ ହୋଇଥିଲା । ସେହିବର୍ଷ ଏଡି ଯୋଜନାରେ ୨୪.୧୯ କୋଟି ଟଙ୍କା ବଳି ପଡିଥିଲା ।

ପରବର୍ତ୍ତୀ ବର୍ଷଗୁଡିକରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଗାଉଥିବା ଅର୍ଥ ପରିମାଣ ବଢ଼ି ଚାଲିଥିବା ବେଳେ ଖର୍ଚ୍ଚ ପରିମାଣ କିନ୍ତୁ କମି କମି ଚାଲିଥିଲା । ୨୦୧୭-୧୮ ବର୍ଷରେ ମିଳିଥିବା ଅର୍ଥରୁ ସରକାର ଆଇପିପିଏସ୍‍ ଯୋଜନାରେ ୪୭.୧୭ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଥିବାରୁ ୨୦୧୮-୧୯ରେ ୪୪.୯୧, ୨୦୧୯-୨୦ରେ ୩୬.୭୬ ଓ ୨୦୨୦-୨୧ରେ ୩୧.୬୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବାରେ ସଫଳ ହୋଇଥିଲେ ।

ସେହିଭଳି ଏହି ବର୍ଷଗୁଡିକରେ ବଳି ପଡିଥିବା ଅର୍ଥ ପରିମାଣ ଯଥାକ୍ରମେ ୩୩ କୋଟି, ୬୧.୧୧ କୋଟି, ୮୧.୭୬ କୋଟି ଓ ୧୧୬.୮୦ କୋଟି ଟଙ୍କାରେ ପହଞ୍ôଚ ଯାଇଥିଲା । ଏହି ପାଞ୍ଚ ବର୍ଷରେ କେନ୍ଦ୍ର ସରକାର ମୋଟ ୧୫୫.୨୧ କୋଟି ଟଙ୍କା ଯୋଗାଇଥିବା ବେଳେ ରାଜ୍ୟ ସରକାର ୧୧୯. ୩୧ କୋଟି ଟଙ୍କା ଯୋଗାଇ ଦେଇଥିଲେ । ସୁଧ ବାବଦକୁ ୪୦.୭୯ କୋଟି ଟଙ୍କା ସରକାରୀ ଖାତାକୁ ଆସିଥିଲା ।

ସିଏଜି ଦର୍ଶାଇଛନ୍ତି ଯେ ଭିତ୍ତିଭୂମି ଏବଂ ସିସିଆଇଗୁଡିକରେ ମାନବ ସମ୍ବଳର ଲଗାତର ଅଭାବ ଦେଖିବାକୁ ମିଳିଛି । ଏଥିସହିତ ସେବା ପ୍ରଦାନ ଜନିତ ତ୍ରୁଟି ଯୋଗୁଁ ଏହି ପାଣ୍ଠି ବିନିଯୋଗ ହୋଇନପାରିବା ଯଥାର୍ଥ ବୋଲି ସିଏଜି କହିଛନ୍ତି । (ତଥ୍ୟ)