Home News in Odia ଖର୍ଗେଙ୍କ ନିଶାଣରେ ବିଜେପି ଓ ବିଜେଡି

ଖର୍ଗେଙ୍କ ନିଶାଣରେ ବିଜେପି ଓ ବିଜେଡି

ଭୁବନେଶ୍ୱର : କଂଗ୍ରେସ ସଭାପତି ଦାୟିତ୍ୱ ନେବାପରେ ପ୍ରଥମ ଓଡିଶା ଗସ୍ତରେ ଆସି ମଲିକାର୍ଜୁନ ଖର୍ଗେ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରିଛନ୍ତି । ରାଜ୍ୟ ରାଜଧାନୀରେ ଆୟୋଜିତ ସମାବେଶନରେ ସେ କହିଛନ୍ତି ଯେ ଦେଶର ସମ୍ବିଧାନ ଓ ଗଣତନ୍ତ୍ର ବର୍ତମାନ ବିପଦରେ । ଏହାର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ । ଦେଶରେ ଯେପରି ଭୟର ବାତାବରଣ ସୃଷ୍ଟି ହେଉଛି ସେଥିରୁ ଦେଶକୁ ମୁକ୍ତ କରିବା ପାଇଁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ମଣିପୁର ରୁ ମୁମ୍ବାଇ ଅଭିମୁଖେ ଚାଲିଛି ।

ଆଜି ସାରା ଭାରତ ବର୍ଷରେ କନ୍ୟାକୁମାରୀ ଠାରୁ କାଶ୍ମିର ପର୍ଯ୍ୟନ୍ତ, ମଣିପୁର ଠାରୁ ମୁମ୍ବାଇ ପର୍ଯ୍ୟନ୍ତ ବିଜେପି ଏବଂ ଆର.ଏସ୍‌.ଏସ୍‌. ଘୃଣା, ହିଂସା ଓ ଦ୍ୱେଷର ମଞ୍ଜି ବୁଣିଚାଲିଛନ୍ତି । ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା, ସାମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକୁ ଆଜିକୁ ଦୀର୍ଘ ୧୦ ବର୍ଷ ଧରି ଅତ୍ୟନ୍ତ ଦୁର୍ବଳରୁ ଦୁର୍ବଳତର କରି ଦିଆଯାଇଛି । ଭାରତ ବର୍ଷର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଲୋପ କରିଦେବା ପାଇଁ ବିଜେପି ଓ ଆର.ଏସ୍‌.ଏସ୍‌. ରୀତିମତ ଷଡ଼ଯନ୍ତ୍ର କରିଚାଲିଛନ୍ତି ।

ସମାବେଶକୁ ସମ୍ବୋଧିତ କରି ଅଖିଳ ଭାରତ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖର୍ଗେ କହିଥିଲେ ଯେ ରାଜ୍ୟରେ ବିଜେଡ଼ି ଓ ବିଜେପି ମଧ୍ୟରେ ପ୍ରେମ ବିବାହ ଅନୁଷ୍ଠିତ ହୋଇଯାଇଛି । ସେ କହିଥିଲେ ଯେ ବିଜୁ ପଟ୍ଟନାୟକ ନେହେରୁଙ୍କ ଆଦର୍ଶକୁ ଅନୁସରଣ କରିଥିବାବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ଆଦର୍ଶ ଅନୁସରଣ କରୁଛନ୍ତି । ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି । ଓଡ଼ିଶା ଧ୍ୱଂସ କରିବାକୁ ଉଭୟ ବିଜେପି ଓ ବିଜେଡ଼ି ଏଠାରେ ପ୍ରାଣମୁର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି । ସେମାନେ ରାଜ୍ୟର ପ୍ରାକୃତିକ ସମ୍ପଦ ଲୁଣ୍ଠନ କରି ବିକ୍ରୟ କରନ୍ତି ଓ ଏହାର ଲାଭାଂଶକୁ ଭାଗ କରିନିଅନ୍ତି ।

ବିଗତ ୭୦ ବର୍ଷ ମଧ୍ୟରେ କଂଗ୍ରେସ ଓଡ଼ିଶାବାସୀଙ୍କ ପାଇଁ ବହୁତ କିଛି କରିଛି । ଓଡ଼ିଶା ବିକାଶରେ ନେହେରୁଙ୍କ ସ୍ୱାକ୍ଷର ଆଜି ବି ସ୍ମୃତିଚାରଣ ହୁଏ । ପାରାଦ୍ୱୀପ ପୋର୍ଟ ହେଉ କିମ୍ବା ରାଉରକେଲା ଷ୍ଟିଲ ପ୍ଲାଂଟ ବା ଏନ୍‌.ଟି.ପି.ସି., ସଇଁତଳା ଗୁଳାବାରୁଦ କାରଖାନା, ମଂଚେଶ୍ୱର ରେଳଡବା କାରଖାନା, ନାଲ୍‌କୋ, ରାଜ୍ୟ ଜଳବିଦ୍ୟୁତ ପ୍ରକଳ୍ପ, ନଦୀବନ୍ଧ ଯୋଜନା, ହାଲ୍‌, ଏମ୍‌ସ୍‌, ନାଇଜର, ଆଇଜର, ଇନ୍‌ଷ୍ଟିଚ୍ୟୁଟ ଅଫ ଫିଜିକ୍ସ, ସେଂଟ୍ରାଲ ୟୁନିଭରସିଟି ଓ ଆଂଚଳିକ ଶିକ୍ଷାନୁଷ୍ଠାନ ଆଦି ସମସ୍ତ ସଂସ୍ଥା କଂଗ୍ରେସର ଅବଦାନ ।

କଂଗ୍ରେସ ଦେଶର ସମ୍ବିଧାନ ଓ ଗଣନ୍ତ୍ରତକୁ ସଦାସର୍ବଦା ସୁରକ୍ଷା ଦେଇଆସିଛି । ସ୍ୱାଧୀନତା ପରେ ମହିଳାମାନଙ୍କୁ ଭୋଟ ଦେବା ଅଧିକାର କଂଗ୍ରେସ ଆଣିଥିଲା । ସ୍ୱାଧୀନତା ପରଠାରୁ କଂଗ୍ରେସ ସବୁବେଳେ ଗରୀବଙ୍କ ସହ ରହିଆସୁଥିଲାବେଳେ ବିଜେପି, ବିଜେଡ଼ି ଧନୀଙ୍କ ଶ୍ରେଣୀର ଲୋକମାନଙ୍କ ସହିତ ରହିଛି । ଓଡ଼ିଶାରେ ଥିବା ୨୯ ପ୍ରତିଶତ ଆଦିବାସୀ ଓ ୧୬ ପ୍ରତିଶତ ଅନୁସୂଚିତ ଜାତି ଜନସଂଖ୍ୟା ରହିଛି । ସେମାନଙ୍କର ସ୍ୱାର୍ଥପାଇଁ ଅଦ୍ୟାବଧି ନବୀନ ସରକାର କୌଣସି ଆଖି ଦୃର୍ଶିଆ ପଦକ୍ଷେପ ଗ୍ରହଣ କରିନାହାନ୍ତି । ଭାରତୀୟ ଜାତୀୟ କଂଗ୍ରେସ ଦେଶର ଶାନ୍ତି, ସଂହତି ଓ ଅଖଣ୍ଡତା ବଜାୟ ରଖିବାକୁ ଚାହେଁ । ମାତ୍ର ଭାରତୀୟ ଜନତାପାର୍ଟି ଦେଶରେ ବିଭାଜନ ଓ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି କରିବା ଉପରେ ବିଶ୍ୱାସ କରେ । ମଣିପୁରରେ ଘଟିଥିବା ହିଂସାକାଣ୍ଡ ସମୟରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଲା । ଅନେକ ମହିଳା ବଳତ୍କାରର ଶିକାର ହେଲେ । ଅନେକ ନିର୍ଯ୍ୟାତନା ସହିଲେ । ବହୁ ସଂପତି ଧ୍ୱଂସ ହେଲା । ମାତ୍ର ସେତେବେଳେ ନରେନ୍ଦ୍ର ମୋଦୀ ସେଠାକୁ ନ ଯାଇ ଆତ୍ମ ଗୋପନ କରି ରହିଲେ । କୌଣସି ଠାରେ ତାଙ୍କୁ ଦେଖିବାକୁ ମିଳିଲା ନାହିଁ ।

ଦେଶର ଏକତା ପାଇଁ ନିଜକୁ ତ୍ୟାଗ କରିବାକୁ ପଡ଼ିଥାଏ, ଯାହାକି ମୋଦୀଙ୍କ ପାଖରେ ନାହିଁ । ଶ୍ରୀମତୀ ଇନ୍ଦିରା ଗାନ୍ଧୀ ତାଙ୍କ ଶେଷ ଅଭିଭାଷଣରେ ଭୁବନେଶ୍ୱର ଠାରେ କହିଥିଲେ ଯେ ଦେଶ ପାଇଁ ସେ ନିଜର ଜୀବନ ତ୍ୟାଗ କରିବାକୁ ପ୍ରସ୍ତୁତ । ତାହା ହିଁ ହେଉଥିଲା । ଦେଶର ଏକତା ପାଇଁ ସେ ଜୀବନ ଦେଇଥିଲେ । ସ୍ୱର୍ଗତ ରାଜୀବ ଗାନ୍ଧୀ ମଧ୍ୟ ସମାନ ଭାବେ ଦେଶର ଏକତା ଓ ଅଖଣ୍ଡତା ପାଇଁ ପ୍ରାଣବଳି ଦେଇଥିଲେ । ମୋଦୀ ଦେଶରେ ଇ.ଡ଼ି., ସି.ବି.ଆଇ. ଭୟ ଏବଂ ଧମକ ଦେଖାଉଥିବାବେଳେ ଆମେ ପ୍ରେମ ଓ ସହଯୋଗ ସରକାରରେ ବିଶ୍ୱାସ କରୁ । ବିବାହ

ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ । ଯଦି ମୋଦୀ କ୍ଷମତାକୁ ଆସନ୍ତି ତେବେ ଏହା ଦେଶର ଶେଷ ନର୍ବାଚନ ହେବ । ଦେଶରେ ଏକଛତ୍ରବାଦ ଶାସନ ଚାଲିବ । ବର୍ତମାନ ସଂସଦରୁ ସାଂସଦମାନଙ୍କୁ ବହିଷ୍କାର କରି ଆଇନ ପାସ୍ କରାଇ ନିଆଯାଉଛି । ଯଦି ଏମିତି ଚାଲେ ତେବେ ଦେଶରେ କିପରି ଗଣତନ୍ତ୍ର ବଂଚି ରହିବ ବୋଲି ଶ୍ରୀ ଖର୍ଗେ ପ୍ରଶ୍ନ କରିଛନ୍ତି ।

ସ୍ୱାଧୀନତା ପୂର୍ବରୁ ଯେତେବେଳେ ଦେଶରେ ଔପନିବେଶବାଦ ଶାସନ ଅଧିନରେ ଥିଲା ସେତେବେଳ ଲୋକମାନେ ଦାସତ୍ୱ ବନ୍ଧନରେ ରହିଥିଲେ । ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗର ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଥିଲା । ଯୁବବର୍ଗଙ୍କ ପାଇଁ ଶିକ୍ଷା ଓ ସମ୍ମାନଜନକ ରୋଜଗାର ଅପହଂଚ ହୋଇ ରହିଥିଲା । ବର୍ତମାନ ସରକାରରେ ମଧ୍ୟ ସମାନସ୍ଥିତି ଦେଖିବାକୁ ମିଳୁଛି । ପଛୁଆ ବର୍ଗର ଯୁବବର୍ଗଙ୍କ ପାଇଁ ସରକାରୀ ଚାକିରୀ ଦିବା ସ୍ୱପ୍ନ ହୋଇ ରହିଛି । ଏବେ ଯେଉଁ ମୋଦୀ ଗ୍ୟାରେଂଟିର କଥା କୁହାଯାଉଛି ତାହା ଏକ ଭେଳିକି । ଅତୀତରେ କଂଗ୍ରେସ ସରକାର ଦ୍ୱାରା ଯାହା ସବୁ ଉନ୍ନତିମୂଳକ କାର୍ଯ୍ୟ କରାଯାଇଛି, ତା’ର ଶ୍ରେୟ ନେଉଛନ୍ତି ମୋଦୀ ।

ଓଡ଼ିଶାରେ ଆଜିମଧ୍ୟ ଲୋକମାନେ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି । ବେକାରୀ ସମସ୍ୟା ଉତ୍କଟ ରହିଛି । ଓଡ଼ିଶାର ଯୁବବର୍ଗ ସବୁକ୍ଷେତ୍ରରେ ଯୋଗ୍ୟ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ ପାଇଁ ବାହାର ରାଜ୍ୟରୁ ଲୋକଙ୍କୁ ଆଣି ଏଠାରେ ନିଯୁକ୍ତ କରୁଛନ୍ତି ବୋଲି ଶ୍ରୀ ଖର୍ଗେ ପ୍ରଶ୍ନ କରୁଛନ୍ତି । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ଓଡ଼ିଶାରେ ଅନେକ ଯୋଗ୍ୟ ବ୍ୟକ୍ତି ଥିବାବେଳେ ରାଜ୍ୟ ଚଳାଇବା ପାଇଁ ମୁଖ୍ୟମନ୍ତ୍ରୀ କାହିଁକି ଜଣେ ବାହାର ଲୋକଙ୍କୁ ଆଣି ଶାସନ ଚଳାଉଛନ୍ତି । ଯେଉଁମାନେ ଡରୁଆ ସେମାନେ କଦାପି ଦେଶକୁ ବିକାଶ ଆଡ଼କୁ ନେଇପାରିବେ ନାହିଁ । ଇ.ଡ଼ି., ସିବିଆଇ ଭୟରେ ବିଜେପି ସହ ହାତ ମିଳାଉଥିବା ଦଳକୁ “ଡର୍ପୋକ” ବୋଲି ଆକ୍ଷେପ କରିଛନ୍ତି ଶ୍ରୀ ଖର୍ଗେ । ଆମେ ପୁନଃର୍ବାର ଶକ୍ତିଶାଳୀ ହେବୁ ଏବଂ ବେଜେଡ଼ି ଓ ବିଜେପିକୁ ପରାଜିତ କରିବୁ ବୋଲି ଶ୍ରୀ ଖର୍ଗେ କହିଛନ୍ତି । ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର କହିଲେ ଯେ ରାଜ୍ୟରେ ଆଇନ୍ ଶୃଙ୍ଖଳା ସଂପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ । ନବଦାସ ହତ୍ୟାକାଣ୍ଡକୁ ଆଜି ଏକବର୍ଷ ପୂର୍ଣ୍ଣ ହୋଇଥିଲେ ମଧ୍ୟ ରାଜ୍ୟବାସୀ ଜାଣିପାରିଲେ ନାହିଁ ହତ୍ୟାକାରୀ କିଏ? ତେଣୁ ରାଜ୍ୟର ସାଧାରଣ ଜନତା ସୁରକ୍ଷିତ କି ବୋଲି ପ୍ରଶ୍ନ କରିଥିଲେ । ଓଡ଼ିଶାର ନର୍ମାଣରେ କଂଗ୍ରେସର ଭୂମିକାକୁ ଶ୍ରେୟ ଦେଇଥିଲେ ଡ. ଅଜୟ କୁମାର ।

ଆଜିର ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଦଳର ନେତା ନରସିଂହ ମିଶ୍ର, ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପ୍ରଚାର କମିଟିର ଅଧ୍ୟକ୍ଷ-ବିଜୟ ପଟ୍ଟନାୟକ, ଡ. ରାମଚନ୍ଦ୍ର ଖୁଂଟିଆ, ଶରତ ରାଉତ, ଶୁସିଳା ତିରିଆ, ସହ ପ୍ରଭାରୀ – ସାହାନୱାଜ ଚୌଧୁରୀ, ଖ୍ରୀଷ୍ଟଫର ତିଲ୍ଲକ, ସାଂସଦ ସପ୍ତଗୀରି ଉଲ୍ଲାକା, ମିଡ଼ିଆ ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି, ସମସ୍ତ କଂଗ୍ରେସ ବିଧାୟକ, ରାଜ୍ୟ ଛାତ୍ର, ଯୁବ ଓ ମହିଳା କଂଗ୍ରେସ ଏବଂ ସେବାଦଳ ଅଧ୍ୟକ୍ଷଙ୍କ ସମେତ ବରିଷ୍ଠ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।