Home Education ଖରା ପାଇଁ ୫ଦିନ ସ୍କୁଲ ଛୁଟି

ଖରା ପାଇଁ ୫ଦିନ ସ୍କୁଲ ଛୁଟି

ଭୁବନେଶ୍ୱର : ରାଜ୍ୟରେ ପ୍ରବଳ ଖରା ଓ ଗ୍ରୀଷ୍ମପ୍ରଦାହକୁ ଦେଖି ରାଜ୍ୟ ସରକାର ୨୬ତାରିଖରୁ ପାଞ୍ଚ ଦିନ ପାଇଁ ବିଦ୍ୟାଳୟଗୁଡିକୁ ଛୁଟି ଘୋଷଣା କରିଛନ୍ତି । ଏ ନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ତେବେ ବିଦ୍ୟାଳୟ ଛୁଟି ହୋଇଥିଲେ ମଧ୍ୟ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହେବ ।

ସରକାରଙ୍କର ଏହି ଘୋଷଣା ଅନୁଯାୟୀ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଛୁଟି ରହିବ । ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସିବେ ନାହିଁ । ହେଲେ ଶିକ୍ଷକ ଶିକ୍ଷୟତ୍ରୀମାନେ ପୂର୍ବଭଳି ନିୟମିତ ବିଦ୍ୟାଳୟକୁ ଆସିବେ ।

ଉଲ୍ଲେଖ କରାଯାଇପାରେ ଯେ ସମଗ୍ର ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରଦାହ ଜାରି ରହିଛି । ଗତକାଲି ଭୁବନେଶ୍ୱର ୪୩.୩ ଡିଗ୍ରୀ ତାପମାତ୍ରା ସହିତ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଥିବାବେଳେ ଆଜି ବଲାଙ୍ଗିର ୪୪ଡିଗ୍ରୀ ସେଲସିୟସ ସହିତ ସର୍ବାଧିକ ଉତ୍ତପ୍ତ ସହର ହୋଇଛି ।

ସେହିଭଳି ଆଜି ରାଜ୍ୟର ୮ଟି ସ୍ଥାନରେ ତାପମାତ୍ରା ୪୩ଡିଗ୍ରୀ ଉପରେ ଥିବାବେଳେ ୧୬ଟି ସ୍ଥାନର ତାପମାତ୍ରା ୪୨ଡିଗ୍ରୀ ଉପରେ ରହିଛି । ମୋଟାମୋଟି ଭାବେ ରାଜ୍ୟର ୨୭ଟି ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ କରାଯାଇଛି । ରାଜଧାନୀର ତାପମାତ୍ରା ଆଜି ୪୦.୮ ଡିଗ୍ରୀ ରହିଛି ।

ସମଗ୍ର ରାଜ୍ୟରେ ପ୍ରବଳ ଖରା ଓ ଗୁଳୁଗୁଳି ଜାରି ରହିବା ଏବଂ କାମ ନଥିଲେ ଦିନବେଳା ଲୋକଙ୍କୁ ଘରୁ ନବାହାରିବାକୁ ସରକାର ପରାମର୍ଶ ଦେବାପରେ ଏବେ ବିଦ୍ୟାଳୟକୁ ୫ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ପୂର୍ବରୁ ରାଜ୍ୟ ସରକାର ଖରାଛୁଟିକୁ କାଣ୍ଟଛାଣ୍ଟ କରି ଜୁନ୍‍ ୬ତାରିଖରୁ ୧୬ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡିକ ବନ୍ଦ ରହିବ ବୋଲି କହିଥିଲେ । ସେହିଭଳି ଉଚ୍ଚଶିକ୍ଷା ବିଭାଗ ମଧ୍ୟ ଖରାଛୁଟିକୁ ହ୍ରାସ କରିଥିଲା ।