Home News in Odia ଖରସ୍ରୋତା ଆନ୍ଦୋଳନରେ ମୁଣ୍ଡ ପୁରାଇଲା ବିଜେପି

ଖରସ୍ରୋତା ଆନ୍ଦୋଳନରେ ମୁଣ୍ଡ ପୁରାଇଲା ବିଜେପି

ଭୂବନେଶ୍ୱର : କେନ୍ଦ୍ରାପଡା ଜିଲ୍ଲାରେ ଖରସ୍ରୋତା ନଦୀରେ ପ୍ରସ୍ତାବିତ ମେଗା ପାନୀୟଜଳ ପ୍ରକଳ୍ପକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନ ସହିତ ମୁହାମୁହିଁ ହୋଇଥିବାବେଳେ କିଛି ଦିନ ତଳେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଏହାକୁ ନେଇ ଏକାଧିକ ମାମଲା ଓ ଗିରଫଦାରୀ ହୋଇଥିବାବେଳେ ଆନ୍ଦୋଳନକୁ କଂଗ୍ରେସ ସମର୍ଥନ କରିଆସୁଛି । ଆଜି ବିଜେପି ଏଥିରେ ମୁଣ୍ଡ ପୁରାଇଛି ।

ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ଖରସ୍ରୋତା ନଦୀ ଅଂଚଳ ବୁଲି ବାସ୍ତବ ସ୍ଥିତି ନିରୀକ୍ଷଣ କରିଛନ୍ତି । ବିଜେପି ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ରାପଡା ଜିଲ୍ଲାରେ ପାନୀୟ ଜଳ ତଥା ଭୂତଳ ଜଳର ଘୋର ସମସ୍ୟା ବହୁ ଦିନରୁ ରହିଛି । ଏପରିକି ସରଫେସ୍ ୱାଟରର ସ୍ଥିତି ମଧ୍ୟ ଅତ୍ୟନ୍ତ ଚିନ୍ତାଜନକ ।

ଅନପୁଯୁକ୍ତ ଭୂତଳ ଜଳ କ୍ଷେତ୍ରରେ କେନ୍ଦ୍ରାପଡା ଜିଲ୍ଲା ସମଗ୍ର ରାଜ୍ୟରେ ଅଗ୍ରଣୀ ସ୍ଥାନରେ ରହିଛି । ମୈାସୁମୀ ସମୟରେ ଜିଲ୍ଲାର ନଦୀମାନଙ୍କରେ ପାଣିର ଅଭାବ ସ୍ପଷ୍ଟ ପରିଲକ୍ଷିତ ହେଉଛି । ଜିଲ୍ଲାର ପ୍ରମୁଖ ଖରସ୍ରୋତା ନଦୀରେ ପାଣି ନାହିଁ । ଅଣମୈାସୁମୀ ସମୟରେ ଜିଲ୍ଲାର ସ୍ଥିତି ନିଶ୍ଚିତ ଭାବେ ଅବର୍ଣ୍ଣନୀୟ । ଏଭଳି ସ୍ଥିତିରେ ରାଜ୍ୟ ସରକାର ଖରସ୍ରୋତା ନଦୀରୁ ପାଣି ଅନ୍ୟ ଜିଲ୍ଲାକୁ ଦେବାର ଯେଉଁ ଚକ୍ରାନ୍ତ କରୁଛନ୍ତି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

କେନ୍ଦ୍ରାପଡା ଜିଲ୍ଲାରେ ଜଳ ସମସ୍ୟା ଥିବା କାରଣରୁ ଖରସ୍ରୋତା ନଦୀ ପାଶ୍ୱର୍ବର୍ତୀ ଅଂଚଳବାସୀ ଦୀର୍ଘ ୨ ବର୍ଷ ହେଲାଣି ଆନ୍ଦୋଳନ କରି ଆସୁଛନ୍ତି । ରାଜ୍ୟ ସରକାର ଚକ୍ରାନ୍ତ କରି ଯେଉଁ ପରିମାଣର ପାଣି ଅନ୍ୟତ୍ର ଜିଲ୍ଲାକୁ ଦେବାର ଯୋଜନା କରିଛନ୍ତି, ତାହା ହେଲେ କେନ୍ଦ୍ରାପଡା ଜିଲ୍ଲାରେ ବିରାଟ ଜଳ ସମସ୍ୟା ସୃଷ୍ଟି ହେବ । ଜିଲ୍ଲାର ସାଧାରଣ ଜନତା ପ୍ରଭାବିତ ହେବା ସହ ବିଶ୍ୱପ୍ରସିଦ୍ଧ ଭିତରକନିକା ମଧ୍ୟ ବହୁ ମାତ୍ରାରେ ପ୍ରଭାବିତ ହେବାର ସମ୍ଭାବନା ସୃଷ୍ଟି ହୋଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ଯେଉଁ ପ୍ରକଳ୍ପ ଆଳରେ ଖରସ୍ରୋତା ନଦୀରୁ ପାଣି ଅନ୍ୟ ଜିଲ୍ଲାକୁ ନେବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି, ତାହା ସଂପୂର୍ଣ୍ଣ ଅବାଂଚିତ ଅଟେ । ଲୋକମାନଙ୍କୁ ଧମକ ଚମକ ଦେଇ, ଭୟଭୀତ କରି ରାଜ୍ୟ ସରକାର କେନ୍ଦ୍ରାପଡା ଜିଲ୍ଲାରୁ ପାଣି ଚୋରୀ କରି ଯେଉଁ ଭଳି ଭାବେ ବିଭିନ୍ନ ଓ ବିବିଧ ସୁତ୍ର ଥିବା ସତ୍ୱେ ଭଦ୍ରକ ଜିଲ୍ଲାକୁ ପାଣି ଦେବା ଅତ୍ୟନ୍ତ ଦୁର୍ଭାଗ୍ୟ ଓ ଚିନ୍ତାଜନକ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ରାଜ୍ୟ ସରକାର ଯଦି ବାସ୍ତବରେ ଲୋକଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଉଛନ୍ତି, ତାହେଲେ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରି ଜନଶୁଣାଣୀ ଜରିଆରେ ପ୍ରକଳ୍ପ କାର୍ଯ୍ୟ କରିବା ଉଚିତ୍ । ମାତ୍ର ରାଜ୍ୟ ସରକାର ତାକୁ ନକରି ବର୍ବରୋଚିତ ଭାବେ ଶକ୍ତି ପ୍ରଦର୍ଶନ କରି ସାଧାରଣ ଲୋକଙ୍କୁ ଗିରଫ କରିବା ଅତ୍ୟନ୍ତ ନିନ୍ଦନୀୟ । ରାଜ୍ୟ ସରକାର ସର୍ବପ୍ରଥମେ ସାଧାରଣ ଜନତାଙ୍କ ଦାବୀକୁ ସମ୍ମାନ ଜଣାଇବା ଉଚିତ୍ ବୋଲି ଶ୍ରୀ ହରିଚନ୍ଦନ ଦାବୀ କରିଛନ୍ତି ।

ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା ଓ ଅନୀତା ଶୁଭଦର୍ଶୀନି, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ, ରାଜ୍ୟ ମୁଖପାତ୍ର ଡ.ଯତୀନ ମହାନ୍ତି, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦଳଗୋବିନ୍ଦ ନାୟକ, ଭୂବନ ମୋହନ ଜେନା, ବିଷ୍ନୁ ଦାଶ, ଅଲେଖ ଜେନା, ଜିଲ୍ଲା ସଭାପତି କିଶୋର ପଣ୍ଡାଙ୍କ ସମେତ ବହୁ ନେତୃବୃନ୍ଦ ସାମିଲ ଥିଲେ ।