Home Mining ଖଣି ରାଜସ୍ୱ ୮ ମାସରେ ଦୁଇଗୁଣ

ଖଣି ରାଜସ୍ୱ ୮ ମାସରେ ଦୁଇଗୁଣ

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଯେତେ ପରିମାଣର ଖଣିଜ ରାଜସ୍ୱ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଥିଲେ ପ୍ରଥମ ୮ ମାସ ଭିତରେ ତାହା ଧାର୍ଯ୍ୟ ଲକ୍ଷ୍ୟ ଟପି ଦୁଇଗୁଣରୁ ଅଧିକ ହୋଇଛି । କୋଭିଡ ଯୋଗୁଁ ଗୋଟିଏ ପଟେ ଆର୍ଥିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଅନ୍ୟପଟେ ଉନ୍ନୟନ, ନିଯୁକ୍ତି ଓ ଅନ୍ୟାନ୍ୟ ସେବା ପାଇଁ ରାଜ୍ୟ ସରକାର ପ୍ରଚୁର ଅର୍ଥ ଆବଶ୍ୟକ କରୁଥିବା ସ୍ଥଳେ ଖଣିଜ ରାଜସ୍ୱ ପରିସ୍ଥିତି ମୁକାବିଲା ପାଇଁ ସାହାରା ଦେଉଛି ।

୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୧୩,୭୦୦ କୋଟି ଟଙ୍କାର ଖଣିଜ ରାଜସ୍ୱ ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଥିବା ବେଳେ ଅଗଷ୍ଟ ଶେଷ ବେଳକୁ ଏ କ୍ଷେତ୍ରରୁ ୧୫,୮୫୯ କୋଟି ଟଙ୍କା ମିଳିଥିଲା ଏବଂ ପରେ ଏହା ବୃଦ୍ଧି ପାଇ ଗତ ନଭେମ୍ବର ଶେଷ ସୁଦ୍ଧା ୨୮,୧୭୯ କୋଟି ଟଙ୍କାକୁ ଟପିଛି । ଅତୀତରେ କେବେ ଧାର୍ଯ୍ୟ ସମୟ ପୂର୍ବରୁ ଏତେ ପରିମାଣର ଖଣିଜ ରାଜସ୍ୱ ସଂଗୃହୀତ ହୋଇନଥିଲା ।

କେବଳ ଚଳିତବର୍ଷର ନଭେମ୍ବର ମାସରେ ଓଡ଼ିଶାର ରାଜକୋଷକୁ ୫,୨୨୬ କୋଟି ଟଙ୍କାର ରାଜସ୍ୱ ଖଣିଜ କ୍ଷେତ୍ରରୁ ମିଳିଛି । ଯାହା ୨୦୨୧ ବର୍ଷ ତୁଳନାରେ ୨୮୧ ପ୍ରତିଶତ ଅଧିକ ବୋଲି କୁହାଯାଉଛି । ଏଠାରେ ଉଲ୍ଲେଖନୀୟ ଯେ ୨୦୧୯ ତୁଳନାରେ ୨୦୨୧ ବର୍ଷରେ ଖଣିଜ ରାଜସ୍ୱ ୨୦୭ ପ୍ରତିଶତ ବୃଦ୍ଧି ପାଇଛି ।

ଚଳିତ ଆର୍ଥିକ ବର୍ଷର ପରବର୍ତ୍ତୀ ୪ ମାସରେ ଖଣିଜ କ୍ଷେତ୍ରରୁ ଆଉ ୧୫ରୁ ୨୦ ହଜାର କୋଟି ଟଙ୍କା ମିଳିପାରେ ବୋଲି ଆଶା କରାଯାଉଛି । ସରକାରୀ ତଥ୍ୟ ମୁତାବକ ୨୦୨୦-୨୧ ବର୍ଷରେ ଅଣଫେରୋ ଖଣିଜ ଓ ଧାତବ ଶିଳ୍ପ କ୍ଷେତ୍ରରୁ ଓଡ଼ିଶା ସରକାରଙ୍କ ତହବିଲକୁ ୧୩,୭୯୧ କୋଟି ୩୩ ଲକ୍ଷ ଟଙ୍କା ଆସିଥିଲା ଏବଂ ଏହାକୁ ଆଖିଆଗରେ ରଖି କରୋନା ପରିପ୍ରେକ୍ଷୀରେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଏ କ୍ଷେତ୍ରରୁ ୧୩,୭୦୦ କୋଟି ଟଙ୍କା ସଂଗ୍ରହ କରିପାରିବେ ବୋଲି ଆଶା ରଖିଥିଲେ । ଏଠାରେ ଉଲ୍ଲେଖନୀୟ ଯେ ୨୦୧୯-୨୦ ଆର୍ଥିକ ବର୍ଷରେ ଓଡ଼ିଶା ସରକାର ଖଣିଜ କ୍ଷେତ୍ରରୁ ପ୍ରାୟ ୧୧ ହଜାର କୋଟି ଟଙ୍କା ସଂଗ୍ରହ କରିବାକୁ ସମର୍ଥ ହୋଇଥିଲେ ।

କରୋନା ବିଧ୍ୱଂସ୍ତ ଆର୍ଥିକ ବ୍ୟବସ୍ଥାରେ ଖଣିଜ ସାମଗ୍ରୀର ଚାହିଦା ଦେଶୀୟ ଓ ଆନ୍ତର୍ଜାତୀୟ ବଜାରରେ କମ୍‍ ଥିବା ଦୃଷ୍ଟିରୁ ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର କମ୍‍ ଖଣିଜ ରାଜସ୍ୱ ପାଇବେ ବୋଲି ଆଶା କରାଯାଉଥିଲା । ତେବେ ସମସ୍ତ କଳ୍ପନା ଜଳ୍ପନାକୁ ଭୁଲ୍‍ ପ୍ରମାଣିତ କରି ଆର୍ଥିକ ବର୍ଷର ପ୍ରଥମ ୮ ମାସରେ ସଂଗୃହୀତ ଖଣିଜ ରାଜସ୍ୱ ଧାର୍ଯ୍ୟଲକ୍ଷ୍ୟର ୨ଗୁଣରୁ ଅଧିକ ହୋଇଥିବା ବେଳେ ଏହି ଧାରା ଅବ୍ୟାହତ ରହିଲେ ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ସଂଗ୍ରହ ହେବାକୁ ଥିବା ଖଣିଜ ରାଜସ୍ୱର ପରିମାଣ ଧାର୍ଯ୍ୟଲକ୍ଷ୍ୟର ୩ଗୁଣକୁ ଟପିଯାଇପାରେ ବୋଲି ଅର୍ଥନୀତି ବିଷାରଦମାନେ ଆଶାବ୍ୟକ୍ତ କରୁଛନ୍ତି ।

ଅର୍ଥନୀତି ବିଷାରଦମାନେ କହୁଛନ୍ତି ଯେ କେନ୍ଦ୍ର ସରକାର କୋଇଲା ରୟାଲିଟି ବୃଦ୍ଧି କଲେ ଖଣିଜ କ୍ଷେତ୍ରରେ ଓଡ଼ିଶାକୁ ଅଧିକ ଫାଇଦା ମିଳିପାରିବ । ଏହାଛଡା ଖଣି ଓ ଇସ୍ପାତ ବିଭାଗ ଯେଭଳି ଉପରୁ ତଳ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ସମନ୍ୱୟ ରକ୍ଷାକରି ଖଣିଜ ପଦାର୍ଥ ଉତ୍ପାଦନ, ପରିବହନ ଓ ବିପଣନ ଉପରେ ଗୁରୁତ୍ୱ ଦେଉଛନ୍ତି ସେହି ଧାରା ଅବ୍ୟାହତ ରହିଲେ ରାଜକୋଷକୁ ଢ଼େର ଅଧିକ ରାଜସ୍ୱ ଖଣିଜ କ୍ଷେତ୍ରରୁ ଆସିପାରିବ । (ତଥ୍ୟ)