Home Mining ଖଣି ରାଜସ୍ୱ ୪୦ହଜାର କୋଟି ଛୁଇଁବ

ଖଣି ରାଜସ୍ୱ ୪୦ହଜାର କୋଟି ଛୁଇଁବ

ଭୁବନେଶ୍ୱର : ରାଜ୍ୟରୁ ଯେଉଁ ହାରରେ ଖଣି ରାଜସ୍ୱ ଆଦାୟ ହେଉଛି ଆର୍ଥିକବର୍ଷ ଶେଷ ବେଳକୁ ତାହା ୪୦ହଜାର କୋଟି ଟଙ୍କା ଛୁଇଁବ ବୋଲି ଆକଳନ କରାଯାଉଛି । ଚଳିତ ଆର୍ଥିକ ବର୍ଷର ୬ମାସରେ ପ୍ରାୟ ୧୯ହଜାର କୋଟି ଟଙ୍କାର ଖଣି ରାଜସ୍ୱ ମିଳି ସାରିଲାଣି ।

୨୦୨୦-୨୧ ବର୍ଷରେ ଖଣିଜ ରାଜସ୍ୱ ବାବଦରେ ୧୩,୭୯୧.୭୨ କୋଟି ଟଙ୍କା ମିଳିଥିବାବେଳେ ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ଆର୍ଥିକ ବର୍ଷରେ ଏହି ସୂତ୍ରରୁ ୧୩,୭୦୦ କୋଟି ଟଙ୍କା ମିଳିବାର ଆକଳନ ହୋଇଥିଲା । ତେବେ ସବୁ ଆକଳନକୁ ପଛରେ ପକାଇ କେବଳ ୬ମାସରେ ଖଣିଜ ରାଜସ୍ୱ ବାବଦରେ ୧୮,୮୪୧ କୋଟି ଟଙ୍କା ଆଦାୟ ହୋଇଛି ଯାହାକି ପୂର୍ବବର୍ଷର ଏହି ସମୟ ତୁଳନାରେ ୨୨୧ ପ୍ରତିଶତ ଅଧିକ । ଗତ ଆର୍ଥିକ ବର୍ଷରେ ସେପ୍ଟେମ୍ବର ସୁଦ୍ଧା ଖଣି କ୍ଷେତ୍ରରୁ ମାତ୍ର ୫୮୭୦.୭୪ କୋଟି ଟଙ୍କା ଆଦାୟ ହୋଇପାରିଥିଲା ।

ଗୋଟିଏ ପଟେ ଟିକସ ଆଦାୟକୁ କର୍ତ୍ତୃପକ୍ଷ ତ୍ୱରାନ୍ୱିତ କରିଥିବାବେଳେ ଅନ୍ୟ ପଟେ ଆର୍ନ୍ତଜାତୀୟ ବଜାରରେ ଖଣିଜ ସାମଗ୍ରୀର ଆକାଶଛୁଆଁ ଦର ଏବେ ଓଡିଶାର ରାଜକୋଷକୁ ପରିପୂର୍ଣ୍ଣ କରିବାରେ ଲାଗିଛି । ଚାହିଦା ତୁଳନାରେ ଉତ୍ପାଦନ କମ୍‍ ଥିବାରୁ ସମଗ୍ର ବିଶ୍ୱରେ ଏବେ ଖଣିଜ ସମ୍ପଦର ଦର ଉଚ୍ଚା ରହିଛି । ତେଣୁ କରୋନା ସମୟରେ ସବୁ ଆକଳନକୁ ଭୁଲ୍‍ କରି ଯେଉଁ ପରିମାଣରେ ଖଣିଜ କ୍ଷେତ୍ରରୁ ରାଜସ୍ୱ ଆଦାୟ ହେଉଛି ତାହା ରାଜ୍ୟର ଆର୍ଥିକ ସ୍ଥିତିକୁ ସମ୍ଭାଳି ନେଉଛି ।

ଖଣିଜ କ୍ଷେତ୍ରରୁ ଆକଳନ ଠାରୁ ପ୍ରାୟ ୩ଗୁଣ ଟିକସ ଆସିବାର ଆଶା ଉଜ୍ୱଳ ହୋଇଥିବାରୁ ମୋଟ୍‍ ଟିକସ ଆଦାୟ ପରିମାଣ ବି ବୃଦ୍ଧି ପାଇବ । ୨୦୨୦-୨୧ ବର୍ଷରେ ମୋଟ ଟିକସ ଆଦାୟ ପରିମାଣ ୧,୦୬,୮୯୧.୪୨ କୋଟି ଟଙ୍କା ଥିବାବେଳେ ଚଳିତ ଆର୍ଥିକ ବର୍ଷରେ ୧,୨୫,୬୦୦ କୋଟି ଟଙ୍କାର ଟିକସ ଆଦାୟର ଲକ୍ଷ୍ୟ ରଖାଯାଇଛି । ତେବେ ସେପ୍ଟେମ୍ବର ଶେଷସୁଦ୍ଧା ୫୭,୬୨୯.୪୨ କୋଟି ଟଙ୍କାର ରାଜସ୍ୱ ଆସିଛି ଯାହା କି ଗତବର୍ଷର ଏହି ତୁଳନାରେ ୨୫.୬୩ ପ୍ରତିଶତ ଅଧିକ ରହିଛି ।

କେବଳ ଖଣିଜ ଟିକସ ନୁହେଁ ଅଣଟିକସ ରାଜସ୍ୱ ମଧ୍ୟ ଆଶାନୁରୂପ ଭାବେ ଅଧିକ ପରିମାଣରେ ଆଦାୟ ହୋଇଛି । ଜମିଜମା ରାଜସ୍ୱ ବାବଦରେ ଗତବର୍ଷ ତୁଳନାରେ ପ୍ରାୟ ୫୦ ପ୍ରତିଶତ ଅଧିକ ରାଜସ୍ୱ ଆଦାୟ ହୋଇଛି । ଗତବର୍ଷ ସେପ୍ଟେମ୍ବର ସୁଦ୍ଧା ଏ କ୍ଷେତ୍ରରୁ ୧୪୪.୫୯ କୋଟି ଟଙ୍କାର ରାଜସ୍ୱ ମିଳିଥିବାବେଳେ ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା ଏହି ପରିମାଣ ୨୧୬.୧୫ କୋଟି ଟଙ୍କାରେ ପହଞ୍ଚିଛି ।

ବୃତ୍ତିଗତ ଟିକସ ଓ ରାଜ୍ୟ ଅବକାରୀ (ଷ୍ଟେଟ ଏକ୍ସାଇଜ୍‍) ଟିକସ ପରିମାଣ ମଧ୍ୟ ବୃଦ୍ଧି ପାଇଛି । ସେପ୍ଟେମ୍ବର ଶେଷ ସୁଦ୍ଧା ଯାନବାହନ ଟିକସ, ବିଜୁଳି ଡ୍ୟୁଟିରୁ ଗତବର୍ଷ ତୁଳନାରେ ଅଧିକ ଟିକସ ଆଦାୟ ହୋଇଛି । ଭାଟ୍‍ ଓ ଏସ୍‍ଜିଏସ୍‍ଟି ପରିମାଣ ମଧ୍ୟ ଗତ ଆର୍ଥିକବର୍ଷର ଏହି ସମୟ ତୁଳନାରେ ଅଧିକ ଆଦାୟ ହୋଇଥିବା ଜଣାଯାଇଛି ।

ଯଦିଓ ନିଜସ୍ୱ ଟିକସ ଆଦାୟରେ ଅଭିବୃଦ୍ଧି ହୋଇଛି ତଥାପି କରୋନା ମହାମାରୀ ସମୟରେ ସ୍ୱାସ୍ଥ୍ୟ, ସାମାଜିକ ଯୋଜନା ଆଦି ଚଳାଇବାପାଇଁ ଅଧିକ ପରିମାଣର ଅର୍ଥ ଆବଶ୍ୟକ ପଡୁଛି । ଏଥିପାଇଁ ପାଣ୍ଠି ଯୋଗାଡ ସରକାରଙ୍କ ପାଇଁ ବଡ ଆହ୍ୱାନ ହୋଇଥିବାବେଳେ ଖଣି ରାଜସ୍ୱ ଏବେ ସରକାରଙ୍କର ସେହି ଚିନ୍ତାକୁ ଅନେକ ପରିମାଣରେ ଲାଘବ କରିବାରେ ଲାଗିଛି । (ତଥ୍ୟ)