Home Finance ଖଣି ଟିକସ ପାଇଁ ରାଜକୋଷରେ ଧନ ବର୍ଷା

ଖଣି ଟିକସ ପାଇଁ ରାଜକୋଷରେ ଧନ ବର୍ଷା

ଭୁବନେଶ୍ୱର : ଖଣି ଓ ଖଣିଜ କ୍ଷେତ୍ରରୁ ମିଳୁଥିବା ଟିକସ ଓଡିଶା ସରକାରଙ୍କ ପାଇଁ ଧନବର୍ଷା ଭଳି ପରିସ୍ଥିତି ସୃଷ୍ଟି କରିଛି । ୨୦୨୧-୨୨ ଆର୍ଥିକ ବର୍ଷ ବଜେଟ୍‍ରେ ଏହି କ୍ଷେତ୍ରରୁ ସରକାର ୧୩,୭୦୦ କୋଟି ଟଙ୍କାର ରାଜସ୍ୱ ପାଇବାକୁ ଲକ୍ଷ୍ୟଧାର୍ଯ୍ୟ କରିଥିବାବେଳେ ଅକ୍ଟୋବର ଶେଷସୁଦ୍ଧା ୨୨,୯୩୬.୩୨ଲକ୍ଷ ଟଙ୍କା ପାଇ ସାରିଲେଣି ।

ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ଶେଷସୁଦ୍ଧା ମିଳିଥିବା ଟିକସ ହିସାବରୁ ଜଣାଯାଇଛି ଯେ ସରକାର କେବଳ ଖଣି ଓ ଖଣିଜ କ୍ଷେତ୍ରର ୨୨,୯୩୬କୋଟିରୁ ଅଧିକ ଟଙ୍କାର ରାଜସ୍ୱ ପାଇଲେଣି । ଗତ ଆର୍ଥିକବର୍ଷର ଏହି ସମୟ ତୁଳନାରେ ଆଦାୟ ହୋଇଥିବା ଅର୍ଥ ପ୍ରାୟ ୨୪୧ଗୁଣ ଅଧିକ । ୨୦୨୦-୨୧ ବର୍ଷରେ ଅକ୍ଟୋବର ଶେଷସୁଦ୍ଧା ଏହି କ୍ଷେତ୍ରରୁ ମାତ୍ର ୬୭୧୭.୧୨ କୋଟି ଟଙ୍କା ଆଦାୟ ହୋଇଥିଲା । ୨୦୧୯-୨୦ ବର୍ଷରେ ମିଳିଥିଲା ୬୦୭୦.୪୭ କୋଟି ଟଙ୍କା ।

ଚଳିତ ଅକ୍ଟୋବର ମାସରେ କେବଳ ୪୦୬୧ କୋଟି ଟଙ୍କା ଆଦାୟ ହୋଇଛି । କରୋନା ମହାମାରୀ ସମୟରେ ଖଣି ରାଜସ୍ୱ ଆଦାୟରେ ଏହା ଏକ ରେକର୍ଡ ହୋଇଥିବାବେଳେ ଆର୍ନ୍ତଜାତିକ ବଜାରରେ ଲୁହାପଥର ମୂଲ୍ୟରେ ଅହେତୁକ ଦରବୃଦ୍ଧି ଯୋଗୁଁ ଏହା ସମ୍ଭବ ହୋଇପାରିଛି । ରାଜସ୍ୱ ଆଦାୟର ଏହି ଧାରା ଜାରି ରହିଲେ ଆର୍ଥିକବର୍ଷ ଶେଷ ବେଳକୁ କେବଳ ଖଣି ରାଜସ୍ୱରୁ ସରକାର ୪୦ହଜାର କୋଟିରୁ ଅଧିକ ଟଙ୍କା ପାଇବେ ବୋଲି କର୍ତ୍ତୃପକ୍ଷ ଆକଳନ କରୁଛନ୍ତି ।

୨୦୨୧-୨୨ ବର୍ଷର ବଜେଟ୍‍ରେ ମୋଟ୍‍ ୧,୨୫,୬୦୦ କୋଟି ଟଙ୍କାର ରାଜସ୍ୱ ଆଦାୟ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବାବେଳେ ଅକ୍ଟୋବର ଶେଷସୁଦ୍ଧା ୬୯,୦୪୫ କୋଟିରୁ ଅଧିକ ଅର୍ଥ ମିଳି ସାରିଲାଣି । ଏହା ଧାର୍ଯ୍ୟ ଲକ୍ଷ୍ୟରୁ ପ୍ରାୟ ୫୫ ପ୍ରତିଶତ ଅଧିକ । କେବଳ ଅକ୍ଟୋବର ମାସରେ ୧୦,୮୬୯ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଥିବାବେଳେ ଏଥିରେ ସିଂହଭାଗ ଅବଦାନ ଖଣିଜ ରାଜସ୍ୱର ରହିଛି ।

କେବଳ ଖଣିଜ ରାଜସ୍ୱ ନୁହେଁ, ନିଜସ୍ୱ ରାଜସ୍ୱ ଆଦାୟ ମଧ୍ୟ ରାଜ୍ୟରେ ବଢିଛି । ଚଳିତ ଆର୍ଥିକ ବର୍ଷରେ ୩୭,୫୦୦ କୋଟି ଟଙ୍କାର ନିଜସ୍ୱ ରାଜସ୍ୱ ଆଦାୟପାଇଁ ଲକ୍ଷ୍ୟଧାର୍ଯ୍ୟ ଥିବାବେଳେ ଅକ୍ଟୋବର ଶେଷସୁଦ୍ଧା ୨୧,୦୬୨ କୋଟି ଟଙ୍କା ଆଦାୟ ହୋଇଛି ଯାହା ଧାର୍ଯ୍ୟ ଲକ୍ଷ୍ୟ ଠାରୁ ୫୬.୧୭ ପ୍ରତିଶତ ଅଧିକ ରହିଛି । କେବଳ ଅକ୍ଟୋବର ମାସରେ ନିଜସ୍ୱ ରାଜସ୍ୱ ବାବଦରେ ୩୨୬୩ କୋଟିରୁ ଅଧିକ ଆଦାୟ ହୋଇଛି ।

ଅନୁରୂପ ଭାବେ ବିଦ୍ୟୁତ୍‍ କ୍ଷେତ୍ରରୁ ଟିକସ ଓ ଡ୍ୟୁଟି ବାବଦରେ ସରକାର ୨୦୭୫ କୋଟି ଟଙ୍କା ଆଦାୟ କରିଛନ୍ତି ଯାହା ଧାର୍ଯ୍ୟ ଲକ୍ଷ୍ୟର ପ୍ରାୟ ୬୩ ପ୍ରତିଶତ ଅଧିକ ରହିଛି । ଚଳିତ ଆର୍ଥିକ ବର୍ଷ ବଜେଟ୍‍ରେ ଏହି କ୍ଷେତ୍ରରୁ ସରକାର ୩୩୦୦ କୋଟି ଟଙ୍କାର ରାଜସ୍ୱ ଆଦାୟ ଲକ୍ଷ୍ୟ ରଖିଥିବାବେଳେ ଅକ୍ଟୋବର ଶେଷସୁଦ୍ଧା ୨୦୭୫ କୋଟି ଟଙ୍କା ଆଦାୟ ହୋଇ ସାରିଲାଣି । କେବଳ ଅକ୍ଟୋବର ମାସରେ ଏହି ଟିକସ ବାବଦରେ ରାଜକୋଷକୁ ୩୫୦କୋଟି ୬୦ଲକ୍ଷ ଟଙ୍କା ଆସିଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here