ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଭଣ୍ଡାର ଭରୁଥିବା ଖଣି ରାଜସ୍ୱ ଆଦାୟରେ ମାନ୍ଦାବସ୍ଥା ପରିଲକ୍ଷିତ ହୋଇଛି । ଚଳିତ ଅକ୍ଟୋବର ମାସ ସୁଦ୍ଧା ଆଦାୟ ହୋଇଥିବା ଖଣି ରାଜସ୍ୱ ଗତବର୍ଷର ଏହି ସମୟ ତୁଳନାରେ କମ୍ ରହିଛି ।
ଚଳିତ ଆର୍ଥିକ ବର୍ଷରେ ରାଜ୍ୟରୁ ୪୩,୪୪୪ କୋଟି ଟଙ୍କାର ଖଣି ରାଜସ୍ୱ ଆଦାୟ ହେବାର ଲକ୍ଷ୍ୟଧାର୍ଯ୍ୟ ହୋଇଛି । ଚଳିତ ଅକ୍ଟୋବର ଶେଷ ସୁଦ୍ଧା ଏହି କ୍ଷେତ୍ରରୁ ୨୨,୬୫୬ କୋଟି ଟଙ୍କା ଆଦାୟ ହୋଇଛି ଯାହା ଗତବର୍ଷର ଏହି ସମୟ ତୁଳନାରେ ୧.୨୯ ପ୍ରତିଶତ କମ୍ ରହିଛି । ଗତ ଆର୍ଥିକ ବର୍ଷର ଅକ୍ଟୋବର ଶେଷ ସୁଦ୍ଧା ରାଜକୋଷରୁ ଖଣି ରାଜସ୍ୱ ଆକାରରେ ୨୨,୯୫୨.୯୪ କୋଟି ଟଙ୍କା ଆଦାୟ ହୋଇଥିଲା । ସେହିଭଳି ଗତ ଆର୍ଥିକ ବର୍ଷର ଅକ୍ଟୋବର ମାସରେ ଖଣି ରାଜସ୍ୱ ବାବଦରେ ୩୧୬୯.୩୧ କୋଟି ଟଙ୍କା ଆଦାୟ ହୋଇଛି । ଚଳିତ ଆର୍ଥିକ ବର୍ଷରେ ସାତ ମାସ ମଧ୍ୟରେ ଆଦାୟ ହୋଇଥିବା ଖଣି ରାଜସ୍ୱ ଧାର୍ଯ୍ୟ ଲକ୍ଷ୍ୟର୫୨.୧୫ ପ୍ରତିଶତ ବୋଲି ଜଣାଯାଇଛି ।
ତେବେ ଟିକସ ଓ ଅଣଟିକସ ଆଦାୟ କ୍ଷେତ୍ରରେ ଆର୍ଥିକ ବର୍ଷର ୭ମାସରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ୫୩ ପ୍ରତିଶତରୁ ଅଧିକ ଅର୍ଥ ଆଦାୟ ହୋଇଛି । ଚଳିତ ଆର୍ଥିକ ବର୍ଷରେ ଉଭୟ ଟିକସ ବାବଦରେ ରାଜକୋଷରୁ ୯୪,୨୦୦ କୋଟି ଟଙ୍କା ଆସିବାର ଲକ୍ଷ୍ୟଧାର୍ଯ୍ୟ ହୋଇଥିବାବେଳେ ଅକ୍ଟୋବର ଶେଷ ସୁଦ୍ଧା ଆଦାୟ ହୋଇଛି ୫୦,୧୫୦ କୋଟି ଟଙ୍କା । ତେବେ ଗତ ଆର୍ଥିକ ବର୍ଷରେ ଏହି ଦୁଇ ଟିକସ ବାବଦରେ ୯୫,୦୦୪ କୋଟି ଟଙ୍କା ଆଦାୟର ଲକ୍ଷ୍ୟ ଥିବାବେଳେ ଅକ୍ଟୋବର ଶେଷ ସୁଦ୍ଧା ୪୫,୭୯୭.୬୨ କୋଟି ଟଙ୍କା ଆଦାୟ ହୋଇଥିଲା । କେବଳ ଅକ୍ଟୋବର ମାସରେ ଚଳିତ ଆର୍ଥିକ ବର୍ଷରେ ଏ ବାବଦରେ ୭୩୭୮ କୋଟି ଟଙ୍କା ଆଦାୟ ହୋଇଛି ।
ସେହିଭଳି ନିଜସ୍ୱ ଟିକସ ରାଜସ୍ୱ ବାବଦରେ ଚଳିତ ଆର୍ଥିକ ବର୍ଷରେ ୪୬ହଜାର କୋଟି ଟଙ୍କା ଆଦାୟ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବାବେଳେ ଅକ୍ଟୋବର ଶେଷ ସୁଦ୍ଧା ୨୪,୮୮୨ କୋଟି ଟଙ୍କା ଆଦାୟ ହୋଇଛି ଯାହାକି ଲକ୍ଷ୍ୟର ୫୪ ପ୍ରତିଶତରୁ ଅଧିକ । ଗତ ଆର୍ଥିକ ବର୍ଷରେ ଅଣଟିକସ ରାଜସ୍ୱ ବାବଦରେ ୪୦,୭୪୭ କୋଟି ଟଙ୍କା ଆଦାୟର ଲକ୍ଷ୍ୟ ଥିବାବେଳେ ଅକ୍ଟୋବର ଶେଷ ସୁଦ୍ଧା ୨୦,୯୯୨ କୋଟି ଟଙ୍କା ଆଦାୟ ହୋଇଥିଲା ।
ଅନୁରୂପ ଭାବେ ଅଣଟିକସ ରାଜସ୍ୱ ବାବଦରେ ଚଳିତ ଆର୍ଥିକ ବର୍ଷରେ ୪୮,୨୦୦ କୋଟି ଟଙ୍କା ଆଦାୟର ଲକ୍ଷ୍ୟ ଥିବାବେଳେ ଅକ୍ଟୋବର ଶେଷ ସୁଦ୍ଧା ୨୫,୨୬୮ କୋଟି ଟଙ୍କା ଆଦାୟ ହୋଇଛି ଯାହା କି ଧାର୍ଯ୍ୟ ଲକ୍ଷ୍ୟର ୫୨.୪୨ ପ୍ରତିଶତ । ଗତ ଆର୍ଥିକ ବର୍ଷ ତୁଳନାରେ ଅଣଟିକସ ଆଦାୟ ଅଭିବୃଦ୍ଧି ୨ ପ୍ରତିଶତରୁ କମ୍ ରହିଛି । ତେବେ ଅଣଟିକସ ରାଜସ୍ୱ ଆଦାୟ ଲକ୍ଷ୍ୟ ଗତ ଆର୍ଥିକ ବର୍ଷରେ ୫୪,୨୫୬.୮୧ ଲକ୍ଷ ଟଙ୍କା ଥିବାବେଳେ ଅକ୍ଟୋବର ଶେଷ ସୁଦ୍ଧା ୨୪,୮୦୪ କୋଟି ଟଙ୍କା ଆଦାୟ ହୋଇପାରିଥିଲା ।
ତେବେ ଟିକସ, ଅଣଟିକସ, କେନ୍ଦ୍ରୀୟ ଅନୁଦାନ, କେନ୍ଦ୍ରୀୟ ଟ୍ରାନ୍ସଫର ବାବଦରେ ଚଳିତ ଆର୍ଥିକ ବର୍ଷର ବଜେଟରେ ୧,୬୩,୯୬୬.୫୨ କୋଟି ଟଙ୍କା ଆଦାୟର ଲକ୍ଷ୍ୟ ଥିବାବେଳେ ପ୍ରଥମ ୭ମାସ ମଧ୍ୟରେ ୭୬,୮୫୩.୫୩ କୋଟି ଟଙ୍କା ଆଦାୟ ହୋଇଛି ଯାହାକି ଧାର୍ଯ୍ୟ ଲକ୍ଷ୍ୟର ୫୦ ପ୍ରତିଶତରୁ କମ୍ ଅର୍ଥାତ୍ ୪୬.୮୭ ପ୍ରତିଶତ ରହିଛି । ତେବେ ଗତ ଆର୍ଥିକ ବର୍ଷର ଏହି ସମୟ ତୁଳନାରେ ଟିକସ ଆଦାୟରେ ପାଖାପାଖି ୧୧ ପ୍ରତିଶତ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ଗତ ଆର୍ଥିକ ବର୍ଷରେ ଅକ୍ଟୋବର ଶେଷ ସୁଦ୍ଧା ଏହି ସମସ୍ତ ସୂତ୍ରରୁ ରାଜକୋଷକୁ ୬୯,୩୨୯.୨୨ କୋଟି ଟଙ୍କା ଆସିଥିଲା । ତେବେ ଗତ ଆର୍ଥିକ ବର୍ଷରେ ଏହି ସମସ୍ତ ସୂତ୍ରରୁ ୧,୫୩,୦୫୯.୪୪ କୋଟି ଟଙ୍କା ମିଳିବ ବୋଲି ବଜେଟ୍ରେ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା । (ତଥ୍ୟ)