Home Mining ଖଣି ଅନୁମତି ପ୍ରଦାନରେ ଓଡିଶା ଶୀର୍ଷରେ

ଖଣି ଅନୁମତି ପ୍ରଦାନରେ ଓଡିଶା ଶୀର୍ଷରେ

ଭୁବନେଶ୍ୱର : ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଥିବା ଖଣି ପ୍ରକଳ୍ପଗୁଡିକୁ ଅନୁମୋଦନ ଦେବାରେ ଗତ ୫ବର୍ଷରେ ଓଡିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନରେ ରହିଛି । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଏହି ସୂଚନା ଦେଇଛନ୍ତି ।

ସଂସଦରେ ଲିଖିତ ଭାବେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୧୬ଟି ଖଣି ଭିତ୍ତିକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧୬,୩୧୩.୧୭ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଥିବା ଖଣି ପ୍ରକଳ୍ପକୁ ୨୦୧୬ ଏପ୍ରିଲରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ଅନୁମତି ପ୍ରଦାନ କରାଯାଇଛି । ଅନ୍ୟ ରାଜ୍ୟଗୁଡିକ ମଧ୍ୟରେ ଓଡିଶା ଗତ ୫ବର୍ଷରେ ୭୪୦୬.୧୨ ହେକ୍ଟର ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଖଣି ପ୍ରକଳ୍ପକୁ ଅନୁମତି ଦେଇ ସର୍ବୋଚ୍ଚ ସ୍ଥାନରେ ରହିଛି । ମଧ୍ୟପ୍ରଦେଶ ଏ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ଥିବାବେଳେ ସେଠାରେ ୨୭୯୫.୯୧ ହେକ୍ଟର ଜଙ୍ଗଲ ଜମିରେ ଅନୁମତି ଦିଆଯାଇଛି । ସେହିଭଳି ତୃତୀୟ ସ୍ଥାନରେ ଥିବା ତେଲେଙ୍ଗାନାରେ ୨୨୧୮.୬୦ ହେକ୍ଟର, ଛତିଶଗଡରେ ୧୪୪୮.୬୮ ଏବଂ ଝାଡଖଣ୍ଡରେ ୧୧୧୩.୫୬ ହେକ୍ଟର ସଂରକ୍ଷିତ ଜଙ୍ଗଲ ଜମିରେ ଅନୁମତି ଦିଆଯାଇଛି ।

୨୦୦୬ ମସିହାରେ ଦେଶର ସର୍ବେଚ୍ଚ ନ୍ୟାୟାଳୟ ଦେଇଥିବା ରାୟ ଅନୁଯାୟୀ କୌଣସି ଜାତୀୟ ପାର୍କ ଏବଂ ଅଭୟାରଣ୍ୟ ପରିସରରେ ଖଣି କାର୍ଯ୍ୟକୁ ଅନୁମତି ମିଳିବ ନାହିଁ । ତେବେ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଖଣି ଖନନକୁ ଅନୁମତି ମିଳିବ ଯାହା ସମ୍ପୃକ୍ତ ରାଜ୍ୟର ଜାତୀୟ ପାର୍କ କିମ୍ବା ଅଭୟାରଣ୍ୟ ପରିସରରେ ଆସୁନଥିବ ଏବଂ ଏଥିପାଇଁ ଜଙ୍ଗଲ ସଂରକ୍ଷଣ ଆଇନ୍‍ ୧୯୮୦ ଆଧାରରେ କେନ୍ଦ୍ର ସରକାରଙ୍କ ଠାରୁ ପ୍ରାରମ୍ଭିକ ଅନୁମତି ଆଣିବାକୁ ପଡିବ ।

ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ଜଙ୍ଗଲ ଜମିର କିସମ ପରିବର୍ତ୍ତନ ଅନୁମୋଦନ ଉପରେ କେନ୍ଦ୍ର ସରକାର ବିଚାର କରିବେ । ଖଣି ଖନନ ସମେତ ଯଦି କୌଣସି ଅଣ ଜଙ୍ଗଲ କାର୍ଯ୍ୟପାଇଁ ପ୍ରସ୍ତାବ ଆସେ ଓ ଏହା ଜଙ୍ଗଲ ସଂରକ୍ଷଣ ଆଇନ୍‍ ୧୯୮୦ ଅନୁଯାୟୀ ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରାରମ୍ଭିକ ଅନୁମତି ପାଇଥାଏ ତେବେ ସେସଭଳି କ୍ଷେତ୍ରରେ ଜୈବ ବିବିଧତା ଯେଭଳି କ୍ଷତିଗ୍ରସ୍ତ ନହୁଏ ଅଥବା ସର୍ବନିମ୍ନ କ୍ଷତି ହୁଏ ସେ ଦିଗରେ ଦୃଷ୍ଟି ଦିଆଯାଇଥାଏ ।

ଯଦି କୌଣସି କ୍ଷେତ୍ରରେ ଏହାକୁ ଟାଳିବା ସମ୍ଭବ ହୋଇନପାରେ, ମନ୍ତ୍ରୀ କହିଛନ୍ତି ଯେ କେତେକ ସର୍ତ୍ତ ଆଧାରରେ ଜଙ୍ଗଲ ଜମିର କିସମ ପରିବର୍ତ୍ତନକୁ ଅନୁମତି ମିଳିଥାଏ । ସେଗୁଡିକ ହେଲା କ୍ଷତିପୂରକ ବନୀକରଣ ଯୋଜନା, ସେହି ସମୟର ମୂଲ୍ୟ (ଏନ୍‍ପିଭି) ଏବଂ ସୁରକ୍ଷିତ ଅଞ୍ଚଳରେ ବୃକ୍ଷଣରୋପଣ ଆଦି ରହିଛି ।

ଭିନ୍ନ ଭିନ୍ନ ସ୍ଥାନରେ ଆବଶ୍ୟକ ସ୍ଥଳେ ଜୈବ ବିବିଧତାକୁ ଦୃଷ୍ଟିରେ ରଖି ମୃତ୍ତିକା ଏବଂ ଆର୍ଦ୍ରତା ସଂରକ୍ଷଣ ପାଇଁ ପଦକ୍ଷେପ ନିଆଯିବା ସହିତ ବନ୍ୟଜନ୍ତୁ ପରିଚାଳନା ଯୋଜନା ଏବଂ କ୍ୟାଚମେଣ୍ଟ ଏରିଆ ଟ୍ରିଟମେଣ୍ଟ (ସିଏଟି) ଯୋଜନା ଗ୍ରହଣ କରାଯାଇଥାଏ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି । ଏହାବାଦ୍‍ ଜଙ୍ଗଲ ଜମିକୁ ଅଣଜଙ୍ଗଲ କାର୍ଯ୍ୟରେ ବ୍ୟବହାର ପାଇଁ ପ୍ରାରମ୍ଭିକ ଅନୁମତି ଆଣିବା ପୂର୍ବରୁ ଅନୁସୂଚିତ ଜନଜାତି ଏବଂ ଅନ୍ୟ ପାରମ୍ପରିକ ଜଙ୍ଗଲ ଅଧିବାସୀମାନଙ୍କ ପାଇଁ ଥିବା ଜଙ୍ଗଲ ଅଧିକାର ଆଇନ୍‍, ୨୦୦୬କୁ ଅନୁପାଳନ କରାଯାଇଥାଏ । (ତଥ୍ୟ)

LEAVE A REPLY

Please enter your comment!
Please enter your name here