Home Mining ଖଣିକୁ ଜଗିବ ଡ୍ରୋନ

ଖଣିକୁ ଜଗିବ ଡ୍ରୋନ

ଭୁବନେଶ୍ୱର : ଖଣି କାରବାର ଉପରେ ଏବେ ଡ୍ରୋନ ନଜର ରଖିବ । ଏଥି ସହିତ ରିମୋଟ ସେନସିଂ ଭଳି ଜ୍ଞାନକୌଶଳ ବ୍ୟବହାର ପାଇଁ ସ୍ଥିର ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ ଏଥିପାଇଁ ଏକ ସୂଚନା ପ୍ରଯୁକ୍ତି ବିଦ୍ୟା ସଂସ୍ଥାକୁ ନିୟୋଜିତ ସକାଶେ ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ଟେଣ୍ଡର ଜାରି ହୋଇଛି । ଡ୍ରୋନ ଦ୍ୱାରା ସଂଗୃହିତ ତଥ୍ୟ, ଫଟୋ ଓ ଭିଡିଓକୁ ଏହି ସଂସ୍ଥା ଏକ ସୂଚନା ପ୍ରଯୁକ୍ତିବିଦ୍ୟା ପ୍ଲାଟଫର୍ମ ଉପଲବ୍ଧ କରାଇବା ସହିତ କୌଣସି ଠାରେ ବେନିୟମ କାର୍ଯ୍ୟହେଲେ ତାହାକୁ ବିଭାଗୀୟ ଅଧିକାରୀଙ୍କ ନଜରକୁ ଆଣିବ । ଖଣି ଲିଜ୍‍ ଓ ଏଠାରୁ ଉତ୍ତୋଳନ ସଂକ୍ରାନ୍ତୀୟ ତଥ୍ୟକୁ ଏହି ପ୍ଲାଟଫର୍ମ ଅନୁଶୀଳନ କରିବା ସହିତ ତାହାର ରିପୋର୍ଟ ଭିଡିଓ ଆକାରରେ ପ୍ରଦାନ କରିବ । ଏହି ପ୍ଲାଟଫର୍ମ ବର୍ତ୍ତମାନର ଆଇ୩ଏମ୍‍ଏସ୍‍ ଜ୍ଞାନକୌଶଳ ସଂଶ୍ଳିଷ୍ଟ ହେବ ।

ଡ୍ରୋନ ଜରିଆରେ ବିଭାଗ ଲିଜ୍‍ ଦିଆଯାଇଥିବା ଖଣିର ସୀମା, ବ୍ୟବହାର ହେଉଥିବା ଜମି, ଉତ୍ତୋଳନ ସ୍ଥିତ, ମହଜୁଦ ଆଦି ସଂକ୍ରାନ୍ତରେ ସୂଚନା ପାଇପାରିବ । ଡ୍ରୋନ ଦ୍ୱାରା ମଧ୍ୟ ଖଣି ଉତ୍ତୋଳନ, ସର୍ଭେ ଏବଂ ଗ୍ରହଣ କରାଯାଉଥିବା ସୁରକ୍ଷା ବ୍ୟବସ୍ଥା ସଂକ୍ରାନ୍ତରେ ଜଣାପଡିବ । ଗତ କିଛିଦିନ ଧରି ଖଣି କାରବାର ବିଶେଷକରି ଅଷ୍ଟ୍ରେଲିଆ ଓ ଆଫ୍ରିକାର ଖଣିଗୁଡିକରେ ଡ୍ରୋନ ବ୍ୟବହାର ଅହେତୁକ ଭାବେ ବୃଦ୍ଧି ପାଇଛି ।

ତେବେ ଭାରତରେ ଏହା ବର୍ତ୍ତମାନ ସୁଦ୍ଧା ଆରମ୍ଭ ହୋଇନାହିଁ । ନିକଟରେ ଭାରତ ସରକାର ଡ୍ରୋନ ନୀତି ଆଣିଥିବାବେଳେ ଏହା ଦ୍ୱାରା ଖଣି ଅଞ୍ଚଳରେ ଡ୍ରୋନ ବ୍ୟବହାର ପାଇଁ ବାଟ ଫିଟିଛି । ଡ୍ରୋନକୁ ଅତି ସହଜରେ ମୋବାଇଲ୍‍ ଆପ୍‍ ଦ୍ୱାରା ଚଳାଯାଇ ପାରୁଛି । ମାନବ ରହିତ ଏହି ଯାନଟି ସମୟ, ଶକ୍ତି ସଞ୍ଚୟ ସହିତ ଦୁର୍ଗମ ଅଞ୍ଚଳରେ ସହଜରେ ପହଞ୍ଚିପାରୁଛି ଓ ଏହାକୁ ଚଳାଇବାପାଇଁ ଜଣେ ମାତ୍ର ବ୍ୟକ୍ତି ଆବଶ୍ୟକ ।

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗତ ମାସରେ କହିଛନ୍ତି ଯେ ଆଗାମୀ ଦିନରେ ଭାରତରେ ଅତି କମ୍‍ରେ ଏକ ଲକ୍ଷ ଡ୍ରୋନ ପାଇଲଟ ଆବଶ୍ୟକ ପଡିବ । ସ୍ୱଦେଶୀ ଡ୍ରୋନ ଶିଳ୍ପକୁ ପ୍ରୋତ୍ସାହନ ଦେବାପାଇଁ ନିକଟରେ ନୂଆଦିଲ୍ଲୀ ଠାରେ କେନ୍ଦ୍ର ପକ୍ଷରୁ ଏକ ବଡ ଧରଣର ଡ୍ରୋନ ଉତ୍ସବ ଆୟୋଜନ ହୋଇଥିଲା ।

ଓଡିଶା ହେଉଛି ଦେଶର ଅନ୍ୟତମ ରାଜ୍ୟ ଯିଏ କି ଖଣି କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ବ୍ୟବହାର କରୁଛି । ରାଜ୍ୟ ସରକାର ବୈପ୍ଲବିକ ସମନ୍ୱିତ ଖଣି ଏବଂ ଖଣିଜ ପରିଚାଳନା ବ୍ୟବସ୍ଥା ଏବଂ ଆଇ୩ଏମ୍‍ଏସ୍‍ କାର୍ଯ୍ୟକାରୀ କରିଛନ୍ତି ଯାହାକୁ କି ଅନ୍ୟ ରାଜ୍ୟମାନେ ଅନୁକରଣ କରୁଛନ୍ତି । ଗତ ଦଶ ବର୍ଷ ମଧ୍ୟରେ ଖଣିଜ କ୍ଷେତ୍ରରେ ବ୍ୟାପକ ସଂସ୍କାର କାର୍ଯ୍ୟକାରୀ ହୋଇଛି । ଖଣି କ୍ଷେତ୍ରରେ ସୂଚନା ପ୍ରଯୁକ୍ତି ଜ୍ଞାନକୌଶଳ ବ୍ୟବହାର ସହିତ ରାଜ୍ୟ ସରକାର ସଫଳତାର ସହ ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ଅଧିନିୟମ ଆଣିଛନ୍ତି ଯାହାଦ୍ୱାରା ସମଗ୍ର ଦେଶରେ ସର୍ବାଧିକ ଖଣି ଓଡିଶାରେ ନିଲାମ ହୋଇପାରିଛି । (ତଥ୍ୟ)