Home Health କ୍ୟାପିଟାଲ ହସ୍ପିଟାଲରେ ମାଳ ମାଳ ପଦବୀ ଖାଲି

କ୍ୟାପିଟାଲ ହସ୍ପିଟାଲରେ ମାଳ ମାଳ ପଦବୀ ଖାଲି

ଭୁବନେଶ୍ୱର : କ୍ୟାପିଟାଲ ଏବେ ପିଜି ଇନ୍‍ଷ୍ଟିଟ୍ୟୁଟ ମାନ୍ୟତା ପାଇଥିବାବେଳେ ଏଠାରେ କିନ୍ତୁ ମାଳ ମାଳ ଅଣଡାକ୍ତର (ପାରାମେଡିକ୍ସ) ପଦବୀ ଖାଲି ପଡିଛି । ଅବସ୍ଥା ଏଭଳି ହୋଇଛି ଯେ ୪ଟି ଡେପୁଟି ନର୍ସିଂ ସୁପରିଟେଣ୍ଡେଣ୍ଟ ପଦବୀରେ ଜଣେ ହେଲେ କେହି ନାହାନ୍ତି ।

ସେହିଭଳି କ୍ୟାପିଟାଲ ହସ୍ପିଟାଲ ପାଇଁ ଥିବା ୧୧ଟି ସହକାରୀ ନର୍ସିଂ ସୁପରିଟେଣ୍ଡେଣ୍ଟ ପଦବୀ ମଧ୍ୟରୁ ୯ଟି ଖାଲି ପଡିଥିବାବେଳେ ୧୧ଟି ନର୍ସିଂ ଅଫିସର ପଦବୀ ଖାଲି ପଡିଛି । ଅନୁରୂପ ଭାବେ ୨ଟି ଷ୍ଟାଟିଷ୍ଟିକାଲ ସହାୟକ ପଦବୀରେ ଜଣେ ହେଲେ କର୍ମଚାରୀ ନଥିବାବେଳେ ୪ଟି କନିଷ୍ଠ କିରାଣୀ ମଧ୍ୟରୁ ଗୋଟିଏ ଖାଲି ପଡିଛି । ପଞ୍ଜିକରଣ କିରାଣୀ ପଦବୀରେ ଥିବା ୩ଟି ପଦବୀରୁ ୨ଟି ଖାଲିଥିବାବେଳେ ଗୋଟିଏ ରିସେପସନିଷ୍ଟ ପଦବୀ ବି ଖାଲି ।

ବୈଷୟିକ କର୍ମଚାରୀଙ୍କ ମଧ୍ୟରେ ଥିବା ଗୋଟିଏ କନିଷ୍ଠ ମାଇକ୍ରୋ ବାୟୋଲୋଜିଷ୍ଟ ପଦବୀ ଖାଲି ପଡିଥିବାବେଳେ ବରିଷ୍ଠ ଲବରୋଟାରୀ ଟେକ୍ନିସିଆନ ପାଇଁ ଥିବା ୫ଟି ମଧ୍ୟରୁ ୩ଟି ଖାଲି ପଡିଛି । ସେହିଭଳି ୨ଟି କ୍ୟାଥ୍‍ଲାବ୍‍ ଟେକ୍ନିସିଆନ ପଦବୀରେ କେହି ନଥିବାବେଳେ ଡାକ୍ତରଖାନାରେ କୌଣସି ଡାଏଟିସିଆନ ନାହାନ୍ତି । ଚକ୍ଷୁ ବିଭାଗରେ ଥିବା ଗୋଟିଏ ସହାୟକ ପଦବୀ ଖାଲି ପଡିଥିବାବେଳେ ବରିଷ୍ଠ ଇସିଜି ଟେକ୍ନିସିଆନ ପଦବୀ ବି ଖାଲି ପଡିଛି ।

ଏତେ ସଂଖ୍ୟାରେ ଅଣଡାକ୍ତର ପଦବୀ ଖାଲି ପଡିଥିବାରୁ କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟ ବ୍ୟାହତ ହେବା ସହିତ ଅନ୍ୟ କର୍ମଚାରୀଙ୍କ ଉପରେ ଚାପ ବଢିବାରେ ଲାଗିଛି । ରୋଗୀମାନେ କୌଣସି ପରୀକ୍ଷା ନିରୀକ୍ଷା ପାଇଁ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହେଉଥିବାବେଳେ ବୃଦ୍ଧି ପାଉଥିବା ରୋଗୀଙ୍କୁ କମ୍‍ ସଂଖ୍ୟକ ନର୍ସିଂ କର୍ମଚାରୀ ଠିକଣା ଭାବେ ସେବା ଯୋଗାଇ ପାରୁନାହାନ୍ତି ।

ଉଲ୍ଲେଖନୀୟ ଯେ କ୍ୟାପିଟାଲ ହସ୍ପିଟାଲକୁ ଆସୁଥିବା ସାଧାରଣ ରୋଗୀଟିଏ ଡାକ୍ତରଙ୍କୁ ରୋଗ ଦେଖାଇବା ସହିତ ଆବଶ୍ୟକ ସ୍ଥଳେ ବିଭିନ୍ନ ପରୀକ୍ଷା ନିରୀକ୍ଷା ପାଇଁ ଅତି କମ୍‍ରେ ୬ଟି ସ୍ଥାନରେ ଧାଡିରେ ଛିଡା ହେବାକୁ ପଡୁଛି । ଏପରିକି ଟିକଟ ପ୍ରଦାନ ଠାରୁ ରକ୍ତ ନମୂନା ସଂଗ୍ରହ ପର୍ଯ୍ୟନ୍ତ ସବୁକିଛି କମ୍ପ୍ୟୁଟରୀକୃତ ହୋଇଥିବାବେଳେ ଲୋକେ ଧାଡିରେ ଛିଡା ହୋଇ ପରୀକ୍ଷା ରିପୋର୍ଟ ବି ସଂଗ୍ରହ କରୁଛନ୍ତି । ଏହା ସେମାନଙ୍କ ମୋବାଇଲ୍‍କୁ ପଠାଇବାର ସୁବିଧା ଏପର୍ଯ୍ୟନ୍ତ ହୋଇପାରିଲା ନାହିଁ ।

ଏଥିଯୋଗୁଁ ଏବେ କ୍ୟାପିଟାଲ ହସ୍ପିଟାଲକୁ ଆସି ଦିନଟିଏ ନଷ୍ଟ କରିବା ବଦଳରେ ଲୋକେ ଘରୋଇ ଡାକ୍ତରଖାନା ମୁହାଁ ହେବାରେ ଲାଗିଛନ୍ତି । ଏଥିଯୋଗୁଁ କ୍ୟାପିଟାଲ ହସ୍ପିଟାଲ ଚାରିପଡେ ଏବେ ଛତୁ ଫୁଟିଲା ଭଳି ଡାକ୍ତରଖାନା ଓ ନିଦାନ କେନ୍ଦ୍ରମାନ ଖୋଲିବାରେ ଲାଗିଛି । ଅନ୍ୟ ପକ୍ଷରେ କ୍ୟାପିଟାଲ ହସ୍ପିଟାଲରେ ଉନ୍ନତ ସେବା ଯୋଗାଣ ପାଇଁ ବାରମ୍ବାର ବୈଠକ ବସୁଥିଲେ ବି ଏଠାରେ କେବଳ ନିର୍ମାଣ କାର୍ଯ୍ୟ ବ୍ୟତିତ ରୋଗୀ ଚିକିତ୍ସାରେ ସେଭଳି କିଛି ଉନ୍ନତି ଆସୁନଥିବା ଖୋଦ ରୋଗୀମାନେ ମତ ଦେଉଛନ୍ତି । (ତଥ୍ୟ)