Home Administration କ୍ୟାଡର ପୁର୍ନଗଠନ ପାଇଁ କର୍ମଚାରୀ ଏକାଠି

କ୍ୟାଡର ପୁର୍ନଗଠନ ପାଇଁ କର୍ମଚାରୀ ଏକାଠି

ଭୁବନେଶ୍ୱର : କ୍ୟାଡର ପୁର୍ନଗଠନରେ ବିଳମ୍ବକୁ ନେଇ ଓଡିଶା ସଚିବାଳୟ ସେବା ସଂଘର ସଦସ୍ୟମାନେ ଅସନ୍ତୋଷ ପ୍ରକଟ କରିବା ସହିତ ଆଜି ଲୋକସେବାଭବନ ପରିସରରେ ଏକତ୍ର ହୋଇଥିଲେ । ସେମାନଙ୍କ ଦାବି ଶୀଘ୍ର ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସୂଚନା ମିଳିଛି ।

ଲୋକସେବାଭବନର ପଞ୍ଚାୟତିରାଜ ବିଭାଗ ସମ୍ମୁଖ ଲେନରେ ଆଜି ସଂଘର ଶତାଧିକ କର୍ମଚାରୀ ଏକାଠି ହୋଇଥିଲେ । ସେମାନଙ୍କର ମୁଖ୍ୟ ଦାବୀ ଥିଲା କ୍ୟାଡର ପୁର୍ନଗଠନରେ ବିଳମ୍ବ । ସଂଘର ଜଣେ ବରିଷ୍ଠ କର୍ମକର୍ତ୍ତା କହିଛନ୍ତି ଯେ କ୍ୟାଡର ଗଠନ ପାଇଁ ୨୦୨୦ ଅକ୍ଟୋବର ମାସରୁ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଛି । ଇତି ମଧ୍ୟରେ ୧୩ମାସ ବିତିଯାଇଥିଲେ ବି ସେମାନଙ୍କ ଦାବି ଉପରେ କୌଣସି ପଦକ୍ଷେପ ନିଆଯାଉନାହିଁ । ସଂଘର କର୍ମକର୍ତ୍ତାମାନେ ମଧ୍ୟ ଏହି ପ୍ରସଙ୍ଗରେ ଗୃହ ସଚିବଙ୍କୁ ଦୁଇ ଥର ଓ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ଥରୁଟିଏ ଭେଟି ସାରିଲେଣି ।

ସଂଘର କିଛି ସଦସ୍ୟଙ୍କ କହିବାକଥା ଯେ କ୍ୟାଡର ପୁର୍ନଗଠନ ନହେବାରୁ ବହୁ କର୍ମଚାରୀ ପଦୋନ୍ନତି ପାଇବାରୁ ବଞ୍ଚିତ ହେଉଛନ୍ତି । ପ୍ରଥମ ଶ୍ରେଣୀ ପାହ୍ୟା ସେମାନଙ୍କ ପାଇଁ ସ୍ୱପ୍ନ ହୋଇଯାଉଛି । ଲୋକସେବା ଭବନରେ ୩୨/୩୩ ବର୍ଷ କାମ ପରେ ବି ପ୍ରଥମଶ୍ରେଣୀ ପାହ୍ୟା ନମିଳିବା ଏବେ ସେମାନଙ୍କୁ ବ୍ୟଥିତ କରିଛି । ବହୁ କର୍ମଚାରୀ ଏହି ପାହ୍ୟାକୁ ଚାହିଁ ଚାହିଁ ସେକ୍ସନ ଅଫିସର ଓ ଡେସ୍କ ଅଫିସର ପଦବୀରୁ ଅବସର ନେଇ ଯାଉଛନ୍ତି ।

ତେଣୁ କ୍ୟାଡର ସଂଶୋଧନ କରି ଗ୍ରୁପ-ଏ ବିଶେଷକରି ଅନୁଶାସନ ସଚିବ ଓ ତଦୁର୍ଦ୍ଧ ପାହ୍ୟାରେ ଅଧିକ ପଦବୀ ସୃଷ୍ଟି କରିବାପାଇଁ କର୍ମଚାରୀମାନେ ଦାବିକରି ଆସୁଛନ୍ତି । ଏହା ହେଲେ କର୍ମଚାରୀମାନେ ସହଜରେ ପଦୋନ୍ନତି ପାଇବେ । ବରିଷ୍ଠତା ଭିତ୍ତିରେ ଅନେକ କର୍ମଚାରୀ ପ୍ରଥମଶ୍ରେଣୀ ପାହ୍ୟାରେ କାର୍ଯ୍ୟ କରିବାର ସୁଯୋଗ ପାଇବେ । ଏହାଦ୍ୱାରା କର୍ମଚାରୀଙ୍କ ମଧ୍ୟରେ କର୍ମପ୍ରବଣତା ବୃଦ୍ଧି ପାଇବା ସହିତ ସମ୍ମାନ ମଧ୍ୟ ବଢିବ ।

ହେଲେ ଗୃହ ବିଭାଗର ଶାଖା ଦାୟିତ୍ୱରେ ଥିବା କିଛି ଅଧିକାରୀ ଏ କ୍ଷେତ୍ରରେ ବାଧକ ସାଜୁଥିବା ସଂଘର ସଦସ୍ୟମାନେ ଅଭିଯୋଗ କରିଛନ୍ତି । ସେମାନେ ପ୍ରସ୍ତାବକୁ କାର୍ଯ୍ୟକାରୀ କରୁନାହାନ୍ତି କି ଏହାର ସମାଧାନ ବି କରୁନାହାନ୍ତି । କେବଳ ଟାଳଟୂଳ ନୀତି ଗ୍ରହଣ କରି ସମୟ ଗଡାଇ ଚାଲିଛନ୍ତି । ଯେଉଁଥିପାଇଁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବଢିବା ସହିତ ସେମାନେ ଆଜି ଏକଜୁଟ ହୋଇ କର୍ତ୍ତୃପକ୍ଷଙ୍କୁ ୧୦ଦିନର ମହଲତ ଦେଇଛନ୍ତି । ଏହି ସମୟ ମଧ୍ୟରେ ଯଦି ସେମାନଙ୍କ ଦାବି ଉପରେ କୌଣସି ବିଚାର ନହୁଏ ତେବେ ସଂଘର ସଦସ୍ୟମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସୂଚନା ମିଳିଛି । (ତଥ୍ୟ)