Home Industry କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ପଦକ୍ଷେପ

କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ପଦକ୍ଷେପ

ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅଧିକରୁ ଅଧିକ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ପି.ଏମ୍‌.ଏଫ୍‌.ଏମ୍‌.ଇ. ରାଜ୍ୟ କୋର୍‌ଗ୍ରୁପ୍‌ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକ ପ୍ରାରମ୍ଭରେ ଆଇଏମ୍‌ଇଡିଏଫ୍‌ର ସତ୍ତ୍ୱାଧିକାରୀ ରମଣ ଥାପର ମୟୂରଭଞ୍ଜ ଜିଲ୍ଲାର ମୋହନପୁର ମ୍ୟାଜିକ୍‌ ମିଲେଟ୍‌ କ୍ଲଷ୍ଟରର ଏକ ରିପୋର୍ଟ ଉପସ୍ଥାପନ କରିଥିଲେ । ପ୍ରକଳ୍ପଟିରେ ୪୩୦.୫୭ ଲକ୍ଷ ଟଙ୍କା ବିନିଯୋଗ କରାଯାଇଥିବାବେଳେ ସମୁଦାୟ ୯୮୦ ଚାଷୀ (ମହିଳା ୩୪୫ ଓ ପୁରୁଷ ୬୩୫) ଉପକୃତ ହୋଇପାରିବେ ବୋଲି ପ୍ରାରମ୍ଭିକ ଭାବେ ଆକଳନ କରାଯାଇଛି ।

ମକାରୁ ପ୍ରସ୍ତୁତ ପପ୍‌କର୍ଣ୍‌, ମିକ୍ସର, ମଇଦା ଇତ୍ୟାଦି ଆକର୍ଷଣୀୟ ପ୍ୟାକେଟ୍‌ରେ ବିଭିନ୍ନ ଖାଦ୍ୟଦ୍ରବ୍ୟ ବଜାରକୁ ଆସୁଥିବା ଜଣାପଡ଼ିଛି । ପ୍ରମୁଖ ସଚିବ ଶ୍ରୀ ସାହୁ ମକାରୁ ଉତ୍ପାଦିତ ବିଭିନ୍ନ କ୍ଷୁଦ୍ର ଉଦ୍ୟୋଗ କ୍ଲଷ୍ଟର ନୂଆପଡ଼ା, ମାଲକାନଗିରି ଓ ନବରଙ୍ଗପୁରରେ ପ୍ରତିଷ୍ଠା କରିବା ପାଇଁ ଆପିକଲର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଭାତ କୁମାର ରାଉଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଉତ୍ପାଦିତ ଦ୍ରବ୍ୟର ଦେଶ ଓ ଦେଶ ବାହାରେ ମାର୍କେଟିଂ କରିବା ପାଇଁ ସେ ଗ୍ରୋଜିପ୍‌ ମାର୍କେଟିଂ ସଂସ୍ଥାର ଆନନ୍ଦ କୁମାର ମିଶ୍ରଙ୍କୁ ସହଯୋଗ ପାଇଁ କହିଥିଲେ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଡ. ସନତ ମିଶ୍ରଙ୍କୁ ଏଥିରେ ସଂପୂର୍ଣ୍ଣ ସହଯୋଗ କରିବାକୁ ମଧ୍ୟ ପ୍ରମୁଖ ସଚିବ ପରାମର୍ଶ ଦେଥିଲେ ।

ଢେଙ୍କାନାଳ ଜିଲ୍ଲାରେ ଚନ୍ଦ୍ରଶେଖରପୁର ଚିନାବାଦାମ କ୍ଳଷ୍ଟର ୪୩୫.୧୭ ଲକ୍ଷ ଟଙ୍କା ବିନିଯୋଗରେ ପ୍ରତିଷ୍ଠା କରାଯାଇଛି । ଏଥିରେ ୭୭୦ ମହିଳା ଓ ୪୭୬ ପୁରୁଷ ସେଥିରେ ସାମିଲ ହୋଇପାରିଛନ୍ତି । ଚିନାବାଦାମରୁ ଉତ୍ପାଦିତ ବିଭିନ୍ନ ଖାଦ୍ୟଦ୍ରବ୍ୟ ଆକର୍ଷଣୀୟ ପ୍ୟାକେଜ୍‌ରେ ବଜାରକୁ ଛଡ଼ାଯାଉଥିବା ଆଲୋଚନାରୁ ଜଣାପଡ଼ିଛି । ସେହିପରି ଗଜପତି ଜିଲ୍ଲାର ୪୪୦.୩୧ ଲକ୍ଷ ଟଙ୍କାରେ ପ୍ରତିଷ୍ଠିତ ପ୍ରକଳ୍ପ ଛେଳିଗଡ଼ ମେଜ୍‌ କ୍ଲଷ୍ଟରରେ ୭୨୯ ମହିଳା ଓ ୧୯୬ ପୁରୁଷ ଚାଷୀ ଉପକୃତ ହୋଇଛନ୍ତି ।

ମଣିପୁର ରାଜ୍ୟର କାଙ୍ଗତାକପି ସପୁରୀ କ୍ଲଷ୍ଟର ଭଳି ଓଡ଼ିଶାର ରାୟଗଡ଼ା ଜିଲ୍ଲାର ଚାଟିକଣା ଏବଂ ଗଜପତି ଜିଲ୍ଲାରେ ପ୍ରତିଷ୍ଠା କରାଯିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ସେହିପରି ରାଜସ୍ଥାନର ଫଳ ଓ ପରିବା କ୍ଲଷ୍ଟର, ନାଗାଲାଣ୍ଡର ଆଗ୍ରୋ ବିଜ୍‌ନେସ୍‌ କ୍ଲଷ୍ଟର, କର୍ଣ୍ଣାଟକର ବି.ଆର୍‌. ହିଲ୍ସ ୱାଇଲï ବି. ହନି କ୍ଲଷ୍ଟର, ବିଶାଖାପାଟଣାର କଫି କ୍ଲଷ୍ଟର, ଉତ୍ତରପ୍ରଦେଶର ମେଡିସିନାଲ୍‌ ପ୍ଲାଣ୍ଟ କ୍ଲଷ୍ଟର ସଂପର୍କରେ ଆଇଏମ୍‌ଇଡିଏଫ୍‌ ପକ୍ଷରୁ ଆଲୋକ-ଚିତ୍ର ମାଧ୍ୟମରେ ଉପସ୍ଥାପନ କରି ସମସ୍ତ ଗୋଷ୍ଠୀ ସଦସ୍ୟସଦସ୍ୟାଙ୍କୁ ସଚେତନ କରାଯାଇଥିଲା । ଏଥି ସହିତ କଟକ ଜିଲ୍ଲାର ବାଙ୍କୀ ଲେମନ୍‌ ଗ୍ରାସ୍‌ କ୍ଲଷ୍ଟରରୁ ଉତ୍ପାଦିତ ସାମଗ୍ରୀ ପ୍ରଦର୍ଶନ କରାଯାଇଥିଲା ।

ହସ୍ତିକା ଉଦ୍ୟୋଗର ବିଶ୍ୱଜିତ୍‌ ସ୍ୱାଇଁ କଦଳୀ ଗଛର ବିଭିନ୍ନ ଅଂଶରୁ ଉତ୍ପାଦିତ ବ୍ୟାଗ୍‌, ମ୍ୟାଟ୍‌ ଇତ୍ୟାଦି ଅନ୍‌ଲାଇନ୍‌ରେ ପ୍ରଦର୍ଶନ କରିବା ସହ ବିଦେଶରେ ଏହି ଦ୍ରବ୍ୟଗୁଡ଼ିକର ବଜାର ଚାହିଦା ଅଧିକ ଥିବା ପ୍ରକାଶ କରିଥିଲେ । ପିପିଲି ନିକଟ ମୁଖ୍ୟ ରାସ୍ତାରେ ଏହି ଉଦ୍ୟୋଗ ପ୍ରତିଷ୍ଠା କରାଯାଇଛି । ୨୦୧୮ ମସିହାରେ ଆରମ୍ଭ କରାଯାଇଥିବା ହସ୍ତିିକା ହ୍ୟାଣ୍ଡିକ୍ରାଫଫରୁ ଏହି ଉଦ୍ୟୋଗ ବ୍ରାଣ୍ଡ ଅଫ୍‌ ଓଡ଼ିଶା ସମ୍ମାନରେ ସମ୍ମାନିତ ।

ସେହିପରି ଜୟଦେବ ବାନାନା କ୍ଲଷ୍ଟର କଦଳୀ ଗଛରୁ ଉତ୍ପାଦିତ ଆଚାର, ପାମ୍ପଡ, ଦଉଡ଼ି, ଆସନ, ଖତ ସଂପର୍କରେ ଅଲୋକପାତ କରାଯାଇଥିଲା । ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ଭାରପ୍ରାପ୍ତ ଅଧିକାରୀ ଲିଙ୍ଗରାଜ ନାୟକଙ୍କୁ ସମସ୍ତ ଉଦ୍ୟୋଗର ସ୍ଥିତାବସ୍ଥା ବଜାୟ ରଖିବାକୁ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ ।

ଏହି ବୈଠକରେ ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ ଆଲାମ୍‌, ମତ୍ସ୍ୟ ଓ ପ୍ରାଣୀପାଳନ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନ, କୃଷି ନିର୍ଦ୍ଦେଶାଳୟର ରାମଚନ୍ଦ୍ର ପଟ୍ଟନାୟକ, ନବକିଶୋର ପରିଡ଼ାଙ୍କ ସମେତ ସଂପୃକ୍ତ ବିଭାଗଗୁଡ଼ିକର ନିର୍ଦ୍ଦେଶକ ଓ ଅଧିକାରୀଗଣ ଅନ୍‌ଲାଇନ୍‌ ଯୋଗେ ବୈଠକରେ ଅଂଶଗ୍ରହଣ କରିଥିଲେ ।