Home Agriculture କ୍ଷୀର ପଇସା ଗୋଖାଦ୍ୟ ବେପାରୀଙ୍କ ପକେଟରେ

କ୍ଷୀର ପଇସା ଗୋଖାଦ୍ୟ ବେପାରୀଙ୍କ ପକେଟରେ

ଭୁବନେଶ୍ୱର : ଦୁଗ୍ଧଚାଷୀଙ୍କ ପାଇଁ ସରକାର ବଢାଉଥିବା କ୍ଷୀର ଟଙ୍କା ଗୋଖାଦ୍ୟ ବେପାରୀଙ୍କ ପକେଟକୁ ଚାଲିଯାଉଛି । ଗୋଖାଦ୍ୟ ବଜାର ଉପରେ ସରକାରଙ୍କର ନିୟନ୍ତ୍ରଣ ନଥିବାରୁ ରାଜ୍ୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ସରକାର ଯେତେବେଳେ ଚାଷୀଙ୍କ ପାଇଁ କ୍ଷୀର ଲିଟର ପିଛା ୨ଟଙ୍କା ବଢାଉଛନ୍ତି ଗୋଖାଦ୍ୟ ବ୍ୟବସାୟୀମାନେ ସଂଗେ ସଂଗେ ଦର ବୃଦ୍ଧିକରୁଛନ୍ତି । ୫୦ କିଲୋ ବସ୍ତା ପ୍ରତି ୫୦ କି ୧୦୦ ଟଙ୍କା ନୁହେଁ, ଏକାଥରକେ ୩୦୦ ଟଙ୍କା ବୃଦ୍ଧି କରୁଛନ୍ତି । ବର୍ତ୍ତମାନ ସାଧାରଣ ଗୋଖାଦ୍ୟ ବସ୍ତାପ୍ରତି ୧୨୮୦ ଟଙ୍କାରେ ବିକ୍ରି ହେଉଛି । ସେହିଭଳି ଚୋକଡ ବସ୍ତା ୧୧୫୦ ଟଙ୍କା ଟପିଥିବାବେଳେ ଅନ୍ୟାନ୍ୟ ଗୋଖାଦ୍ୟର ଦର ବି ଆକାଶଛୁଆଁ । ଏଥିଯୋଗୁଁ ଦିନ ରାତି ଖଟୁଥିବା ଦୁଗ୍ଧ ଚାଷୀଙ୍କ ଲାଭ ପଇସା ଏବେ ଗୋଖାଦ୍ୟ ବେପାରୀଙ୍କ ପକେଟକୁ ଯାଉଛି ବୋଲି କହିଛନ୍ତି ଓଡିଶା ଦୁଗ୍ଧଚାଷୀ ମହାସଂଘର ସଭାପତି ରବି ବେହେରା ।

ଶ୍ରୀ ବେହେରା କହିଛନ୍ତି ଯେ ସରକାରୀ ସଂସ୍ଥା ଓମ୍‍ଫେଡ୍‍ ଯେତେବେଳେ ଦୁଗ୍ଧଚାଷୀଙ୍କୁ ଗୋଖାଦ୍ୟ ଯୋଗାଉଥିଲା ସେତେବେଳେ ଗୋଖାଦ୍ୟ ବଜାର ଉପରେ ସରାକରଙ୍କର ନିୟନ୍ତ୍ରଣ ଥିଲା । ବ୍ୟବସାୟୀମାନେ ସହଜରେ ଦର ବଢାଉନଥିଲେ । ହେଲେ ପରିଚାଳନାଗତ ଅପାରଗତାରୁ ସରକାରଙ୍କର ଏହି ଗୋଖାଦ୍ୟ ଉତ୍ପାଦନ କେନ୍ଦ୍ରଟି ପ୍ରାୟ ୧୦ ବର୍ଷ ହେଲା ବନ୍ଦ ହୋଇଯାଇଛି । ଫଳରେ ଅଣଓଡିଆ ବ୍ୟବସାୟୀମାନେ ଏବେ ଓଡିଶାର ଗୋଖାଦ୍ୟ ବଜାରକୁ ନିୟନ୍ତ୍ରଣ କରୁଛନ୍ତି । ଯେତେବେଳେ ଇଚ୍ଛା ହେଉଛି ଦର ବଢାଇ ଦେଉଛନ୍ତି ।

ସେହିଭଳି କେତେକ ଦୁଗ୍ଧଚାଷୀ ଅଭିଯୋଗ କରିଛନ୍ତି ଯେ ପୂର୍ବରୁ ମିଳୁଥିବା ଓମ୍‍ଫେଡ୍‍ର ଗୋଖାଦ୍ୟ ତୁଳନାରେ ବର୍ତ୍ତମାନ ବଜାରରେ ମିଳୁଥିବା ଗୋଖାଦ୍ୟ ନିମ୍ନମାନର । ଦୀର୍ଘଦିନ ଧରି ଏହି ଗୋଖାଦ୍ୟ ଖାଉଥିବା ଗାଈଗୁଡିକ କେବଳ ରୋଗିଣା ହେଉନାହାନ୍ତି ପ୍ରଜନନ କ୍ଷମତା ବି ହରାଉଛନ୍ତି ।

ଗୋଖାଦ୍ୟ ପ୍ରସ୍ତୁତି ପାଇଁ ଆବଶ୍ୟକ ହେଉଥିବା ମକା, ବାଦାମ ପିଡିଆ ଓ କୁଣ୍ଡା ଆଦି ରାଜ୍ୟରେ ମିଳୁଥିବା ଓ ଉତ୍ପାଦନର ପର୍ଯ୍ୟାପ୍ତ ସୁଯୋଗ ଥିବାବେଳେ ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ନବରଙ୍ଗପୁରରୁ ଉତ୍ପାଦିତ ମକା ଓ ଯାଜପୁର, ପୁରୀ, କେନ୍ଦ୍ରାପଡା ଓ ଜଗତ୍‍ସିଂହପୁର ଜିଲ୍ଲାରୁ ଉତ୍ପାଦିତ ବାଦାମ ଅନ୍ୟ ରାଜ୍ୟକୁ ଯାଇ ସେଠାରୁ ଗୋଖାଦ୍ୟ ପ୍ରସ୍ତୁତ ହୋଇ କିମ୍ବାଏହାର କଞ୍ଚାମାଲ ଆକାରରେ ଆସୁଛି । ସରକାର ଚାହିଁଲେ ରାଜ୍ୟରୁ ଉତ୍ପାଦିତ ସାମଗ୍ରୀ ବ୍ୟବହାର କରି ସ୍ୱଳ୍ପ ମୂଲ୍ୟରେ ଉନ୍ନତମାନର ଗୋଖାଦ୍ୟ ଓ କୁକୁଡାଖାଦ୍ୟ ପ୍ରସ୍ତୁତ କରି ଚାଷୀଙ୍କୁ ଯୋଗାଇ ଦେଇପାରନ୍ତେ ବୋଲି ଶ୍ରୀ ବେହେରା କହିଛନ୍ତି ।

ବଢି ଚାଲିଥିବା ଗୋଖାଦ୍ୟର ମୁକାବିଲା ପାଇଁ ସବୁଜ ଘାସ ବିକଳ୍ପ ହୋଇଥିବାବେଳେ ଗାଁ ଗହଳର ଯୁବକମାନଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରିବା ସହିତ ଘାସମଞ୍ଜି ଓ ଜ୍ଞାନକୌଶଳ ଯୋଗାଇ ଦେବାପାଇଁ ଶ୍ରୀ ବେହେରା ମତ ଦେଇଛନ୍ତି । ଏପରିକି ଯୁବକମାନେ ଘାସ ଚାଷ କରି ସ୍ଥାନୀୟ ଅଞ୍ଚଳରେ ଏହାକୁ ବିକି କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ସେ ଦିଗରେ କୃଷି ଏବଂ ପଶୁପାଳନ ବିଭାଗ ପଦକ୍ଷେପ ନେବା ଆବଶ୍ୟକ । ବ୍ୟବସାୟିକ ଭିତ୍ତିରେ ଘାସଚାଷ ହେଲେ ଏହା ଉପକୂଳ ଜିଲ୍ଲାର ହଜାର ହଜାର ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟିକରିବ ।

ଦୁଗ୍ଧ ଚାଷୀ ଓ ସଂଗଠନର ଚାପ ଯୋଗୁଁ ସରକାର ମଝିରେ ମଝିରେ ଟଙ୍କାଏ ଦୁଇଟଙ୍କା କରି କ୍ଷୀର ଦଢାଉଥିବାବେଳେ ଏହାର ଲାଭ ବାସ୍ତବରେ ଗୋଖାଦ୍ୟ ବେପାରୀଙ୍କ ପକେଟକୁ ଚାଲିଯାଉଛି । ଦୁଗ୍ଧ ଚାଷୀଟି ଯେଉଁ ଅଭାବୀକୁ ସେହି ଅଭାବୀ । ତେଣୁ ରାଜ୍ୟ ସରକାର ତୁରନ୍ତ ଗୋଖାଦ୍ୟ ବଜାର ଉପରେ ନିୟନ୍ତ୍ରଣ ସହିତ ଏହାର ମାନ ପରୀକ୍ଷା ଏବଂ ଗାଁ ଗହଳରେ ଘାସ ଚାଷ ପାଇଁ ପଦକ୍ଷେପ ନେବାକୁ ମତପ୍ରକାଶ ପାଉଛି । (ତଥ୍ୟ)