Home News in Odia କ୍ରୀଡା ଭିତ୍ତିଭୂମିରେ ୧୦୦୦ କୋଟି

କ୍ରୀଡା ଭିତ୍ତିଭୂମିରେ ୧୦୦୦ କୋଟି

ଭୁବନେଶ୍ୱର : ରାଜ୍ୟରେ ୧୦୦୦ କୋଟିରୁ ଉର୍ଧ ଅର୍ଥ ବିନିଯୋଗରେ କ୍ରୀଡା ଭିତ୍ତିଭୂମ ପ୍ରକଳ୍ପ ଆରମ୍ଭ ହୋଇଛି । ଓଡିଶାକୁ ଦେଶର କ୍ରୀଡା ରାଜଧାନୀ ଭାବେ ଛିଡା କରିବାପାଇଁ ଏହା ପଥ ସୁଗମ କରିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ପଞ୍ଚମ ପାଳି ସରକାରର ଦ୍ୱିତୀୟବର୍ଷ ପୂର୍ତ୍ତି ଅବସରରେ କ୍ରୀଡା ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ । ରାଉରକେଲାରେ ଦେଶର ବୃହତ୍‍ ହକି ଷ୍ଟାଡିୟମ ସହିତ ୧୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର କ୍ରୀଡା ଭିତ୍ତିଭୂମି କାର୍ଯ୍ୟ ହାତକୁ ନିଆଯାଇଛି । ପର୍ଯ୍ୟଟନ, କ୍ରୀଡା ଓ ଯୁବ ବ୍ୟାପାର ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ବରିଷ୍ଠ ଅଧିକାରୀମାନଙ୍କ ସହିତ ବିଭିନ୍ନ କ୍ରୀଡା ପ୍ରକଳ୍ପର ଅଗ୍ରଗତି ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି ।

ସମୀକ୍ଷାରୁ ଜଣାପଡିଛି ଯେ ରାଜ୍ୟ ସରକାର ୩୫୬କୋଟି ୩୮ଲକ୍ଷ ଟଙ୍କା ବ୍ୟୟରେ ରାଉରକେଲାରେ ବିର୍ସାମୁଣ୍ଡା ଆର୍ନ୍ତଜାତୀୟ ହକି ଷ୍ଟାଡିୟମ ସହିତ ପ୍ରଶିକ୍ଷଣ ପିଚ୍‍ ଏବଂ କଳିଙ୍ଗଷ୍ଟାଡିୟମର ସମ୍ପ୍ରସାରଣ କାର୍ଯ୍ୟ କରୁଛନ୍ତି । ଗତ ଫେବୃୟାରୀ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ଦେଶର ଏହି ବୃହତ୍‍ ହକି ଷ୍ଟାଡିୟମ ପାଇଁ ଶିଳାନ୍ୟାସ କରିଥିଲେ । ଆସନ୍ତା ୨୦୨୩ ରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍‍ ଏଠାରେ ଖେଳାଯିବା ପାଇଁ ସ୍ଥିର ହୋଇଛି ।

ପ୍ରସ୍ତାବିତ ଏହି ଆର୍ନ୍ତଜାତୀୟ ହକି ଷ୍ଟାଡିୟମଟି ଆଦିବାସୀ ବହୁଳ ସୁନ୍ଦରଗଡ ଜିଲ୍ଲାରେ ପ୍ରତିଷ୍ଠା ହେଉଥିବାବେଳେ ଏଥିରେ ୨୦ହଜାର ଲୋକ ବସିବାର କ୍ଷମତ ରହିଛି । ୧୫ରୁ ୨୦ଏକର ଜମି ଉପରେ ନିର୍ମାଣାଧିନ ଏହି ଷ୍ଟାଡିୟମ ବର୍ଷକ ମଧ୍ୟରେ ସାରିବାର ଲକ୍ଷ୍ୟ ରହିଛି । ୨୦୨୩ର ପୁରୁଷ ବିଶ୍ୱକପ୍‍ ହକି କଳିଙ୍ଗଷ୍ଟାଡିୟମ ସହିତ ଏଠାରେ ମଧ୍ୟ ଅନୁଷ୍ଠିତ ହେବ । ଅନୁରୂପଭାବେ ୧୫୦କୋଟି ଟଙ୍କା ବ୍ୟୟରେ ସୁନ୍ଦରଗଡରେ ୧୭ଟି ହକି ପ୍ରଶିକ୍ଷଣ କେନ୍ଦ୍ର ଖୋଲିବାପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ପ୍ରଶିକ୍ଷଣ କେନ୍ଦ୍ରରେ ସିନ୍ଥେଟିକ ପଡିଆ ସହିତ ପ୍ରଶାସନିକ ଓ ଖେଳାଳିମାନଙ୍କ ପାଇଁ କୋଠରୀ ରହିବ ।

ସେହିଭଳି କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ୪୬୨କୋଟି ୪୦ ଲକ୍ଷ ଟଙ୍କା ବ୍ୟୟରେ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଇନ୍‍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି । ମହାନଗର ନିଗମ ଗୁଡିକରେ ବୃହତ୍‍ ଇନ୍‍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ସ୍ଥିର ହୋଇଥିବାବେଳେ ଏନ୍‍ଏସିଗୁଡିକରେ ଛୋଟ ଛୋଟ ଷ୍ଟାଡିୟମ ର୍ନିମାଣ ହେବ । ସେହିଭଳି ପ୍ରତ୍ୟେକ ପୌରାଞ୍ଚଳରେ କ୍ରିକେଟ ଓ ଫୁଟବଲ୍‍ ପଡିଆ ନିର୍ମାଣ କରାଯିବ । ବାଲେଶ୍ୱର ସହରରେ ୫କୋଟି ଟଙ୍କା ବ୍ୟୟରେ ଗୋଟିଏ ସନ୍ତରଣାଗାର ପ୍ରତିଷ୍ଠା ପାଇଁ ଯୋଜନା ରହିଛି ।

ଅନୁରୂପ ଭାବେ ୧୫କୋଟି ଟଙ୍କା ବ୍ୟୟରେ ସମ୍ବଲପୁର ଜିଲ୍ଲାରେ ବିଭିନ୍ନ କ୍ରୀଡା ଭିତ୍ତିର ବିକାଶ ସହିତ ରାଜ୍ୟର ୫ଟି ସ୍ଥାନରେ କ୍ରୀଡା କମ୍ପେ୍ଲକ୍ସ ପାଇଁ ମୋଟ୍‍ ୧୫୪ କୋଟି ଟଙ୍କା ବ୍ୟୟ ହେବ । ବ୍ରହ୍ମପୁରରେ ୩୭କୋଟି ଟଙ୍କା ବ୍ୟୟରେ ଏହି କ୍ରୀଡା କମ୍ପେ୍ଲକ୍ସ ନିର୍ମାଣ ପ୍ରସ୍ତାବ ଥିବାବେଳେ ପୁରୀରେ ୨୬କୋଟି, ଜୟପୁରରେ ୨୭କୋଟି, ଯାଜପୁରରେ ୩୫କୋଟି ଓ କେନ୍ଦୁଝରରେ ୩୦କୋଟି ଟଙ୍କା ବ୍ୟୟରେ ଏହା ନିର୍ମାଣ କରାଯିବ । ଏଥିରେ ସନ୍ତରଣାଗାର ସହିତ କ୍ରିକେଟ ଓ ଫୁଟ୍‍ବଲ ଖେଳ ପାଇଁ ପଡିଆ ରହିବ ।

ରାଜ୍ୟ ସରକାର ଇତି ମଧ୍ୟରେ ସଫଳତାର ସହ ଏସିଆନ ଆଥଲେଟିକ ଚମ୍ପିୟନସିପ୍‍, ୨୦୧୭ର ପୁରୁଷ ହକି ଫାଇନାଲ, ୨୦୧୭-୧୮ରେ ଇଣ୍ଡିଆନ ସୁପରଲିଗ, ୨୦୧୮-୧୯ରେ ହିରୋ ସୁପର କପ୍‍, ୨୦୧୮ରେ ଜାତୀୟ ଓପନ ଚମ୍ପିୟନସିପ୍‍, ସେହିବର୍ଷ ପୁରୁଷ ହକି ବିଶ୍ୱକପ୍‍, ୧୮ବର୍ଷରୁ କମ୍‍ ବୟସର ରଗ୍‍ବୀ ଚମ୍ପିୟନସିପ୍‍, ୨୦୧୯ରେ ମହିଳା ହୀରୋ ଗୋଲ୍ଡ କପ୍‍ ଏବଂ ନିକଟରେ ଅନୁଷ୍ଠିତ ଏଫ୍‍ଆଇଏଚ୍‍ ଫାଇନାଲ ସିରିଜ ଆୟୋଜନ କରିଛନ୍ତି । ଏଭଳି ବୃହତ୍‍ କ୍ରୀଡା ଆୟୋଜନ ସହିତ ଓଡିଶା ଏବେ ଦେଶର କ୍ରୀଡା ରାଜଧାନୀ ଆଡକୁ ଅଗ୍ରସର ହେବାରେ ଲାଗିଛି । (ତଥ୍ୟ)