Home News in Odia କ୍ରୀଡା ଛାତ୍ରାବାସ ଖୋଲିବାକୁ ଦାବି

କ୍ରୀଡା ଛାତ୍ରାବାସ ଖୋଲିବାକୁ ଦାବି

ଭୁବନେଶ୍ୱର : କରୋନା ପାଇଁ ବନ୍ଦ ରହିଥିବା ରାଜ୍ୟର କ୍ରୀଡା ଛାତ୍ରାବାସଗୁଡିକ ଶୀଘ୍ର ଖୋଲିବାଲାଗି ଏବେ କ୍ରୀଡାବିତ୍‍ ମହଲରୁ ଦାବି ହେଉଛି । ବର୍ଷାଧିକକାଳ ଧରି ଏହି ଛାତ୍ରାବାସଗୁଡିକ ବନ୍ଦ ରହିବା ଫଳରେ ଏଠାରେ ରହି ବିଭିନ୍ନ କ୍ରୀଡା ଅଭ୍ୟାସ କରୁଥିବା ଛାତ୍ରଛାତ୍ରୀମାନେ ଏବେ ନିଜ ନିଜ ଗାଁରେ ପ୍ରତିକୂଳ ପରିସ୍ଥିତିରେ ଅଭ୍ୟାସ କରୁଛନ୍ତି । କେହି କେହି ଅଭ୍ୟାସ ବି ଛାଡି ସାରିଲେଣି ।

କ୍ରୀଡା ଓ ଯୁବକଲ୍ୟାଣ ବିଭାଗ ଅଧିନରେ ରାଜ୍ୟରେ ଅନ୍ୟୁନ ୧୬ଟି କ୍ରୀଡା ଛାତ୍ରାବାସ ରହିଛି । ଏଗୁଡିକରେ ପ୍ରାୟ ହଜାରେ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ଅଛି ଏବଂ ସେମାନଙ୍କୁ ତାଲିମ ଦେବାପାଇଁ ମଧ୍ୟ ସରକାର ବିଭାଗୱାରୀ କୋଚ୍‍ ରଖିଛନ୍ତି ।

ଓଡିଶାରେ ମୁଖ୍ୟତଃ ହକି, ଫୁଟବଲ, ଭଲିବଲ, ବାସ୍କେଟବଲ, ଆଥଲେଟିକ, ଭାରତ୍ତୋଳନ, ସନ୍ତରଣ, ତୀରଚାଳନା, ଜିମ୍ନାଷ୍ଟିକ, କବାଡି ଆଦି ବିଭାଗରେ ତାଲିମ ଦେବାଲାଗି କ୍ରୀଡା ଛାତ୍ରାବାସଗୁଡିକରେ ବ୍ୟବସ୍ଥା ରହିଛି । ଉଭୟ ପୁଅ ଓ ଝିଅମାନଙ୍କୁ ଏହି କ୍ରୀଡା ଛାତ୍ରାବାସରେ ରହି ତାଲିମ ନେବାର ସୁଯୋଗ ମିଳିଥାଏ । କ୍ରୀଡା ଛାତ୍ରାବାସରେ ରହୁଥିବା ଶିକ୍ଷାନବୀଶମାନେ ଅନ୍ୟ ସ୍କୁଲ କଲେଜରେ ପାଠ ପଢିବା ସହ ଯାହାର ଯେଉଁ କ୍ରୀଡା ପ୍ରତି ଆଗ୍ରହ ଥାଏ ସେହି ବିଷୟରେ ପ୍ରଶିକ୍ଷିତ କୋଚ୍‍ମାନଙ୍କ ଠାରୁ ତାଲିମ ନେଇଥାନ୍ତି ।

ବିଶେଷକରି ଭୁବନେଶ୍ୱର, କଟକ, ସୁନ୍ଦରଗଡ ଆଦି ଜିଲ୍ଲାରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ କ୍ରୀଡା ଛାତ୍ରାବାସରେ ରହିଥାନ୍ତି । କରୋନା ମହାମାରୀ ପରିପ୍ରେକ୍ଷୀରେ ଏହି ଛାତ୍ରାବାସ ଓ ତତ୍‍ସଂଲଗ୍ନ ଷ୍ଟାଡିୟମଗୁଡିକ ବନ୍ଦ ରହିଛି । କେବଳ ସୀମିତ ସଂଖ୍ୟକ କର୍ମଚାରୀମାନଙ୍କ ଦ୍ୱାରା ଏହି ଶିକ୍ଷାନବୀଶମାନଙ୍କ ପାଇଁ ଥିବା ବିଭିନ୍ନ ସରଞ୍ଜାମମାନଙ୍କର ରକ୍ଷଣା ବେକ୍ଷଣ କରାଯାଉଛି । ଏହାଛଡା ଖେଳପଡିଆର ମଧ୍ୟ ଯତ୍ନ ନିଆଚାଲିଛି ।

ଓଡିଶାର କ୍ରୀଡା ଛାତ୍ରାବାସଗୁଡିକରୁ ବହୁ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରର ଖେଳାଳି ବାହାରିଛନ୍ତି । ଏମିତିକି ଏବର୍ଷ ଅଲମ୍ପିକରେ ଭାରତରୁ ଯେଉଁମାନେ ପ୍ରତିନିଧିତ୍ୱ କରିବେ ସେମାନଙ୍କ ଭିତରେ ବି ଓଡିଶାର କ୍ରୀଡାବିତ୍‍ ଅଛନ୍ତି ।

ପୁରୁଖା କ୍ରୀଡାବିତ୍‍ ଓ ଅଭିଜ୍ଞ କୋଚ୍‍ମାନେ କହୁଛନ୍ତି ଯେ ଦୈନନ୍ଦିନ ଅଭ୍ୟାସ ଛାଡିଯାଉଥିବାରୁ ଏହା ଭବିଷ୍ୟତ ପାଇଁ ସମସ୍ୟା ସୃଷ୍ଟି କରିପାରେ । କ୍ରୀଡା କ୍ଷେତ୍ରରେ ଓଡିଶାର କ୍ରୀଡାବିତ୍‍ମାନେ ଭଲ ପ୍ରଦର୍ଶନ କରୁଥିବା ପରିପ୍ରେକ୍ଷୀରେ ସୀମିତ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ କ୍ରୀଡା ଛାତ୍ରାବାସଗୁଡିକରେ ରଖି କୋଭିଡ କଟକଣା ଭିତରେ ପ୍ରଶିକ୍ଷିତ କୋଚ୍‍ମାନଙ୍କ ଦ୍ୱାରା ସେମାନଙ୍କର ନିୟମିତ ଅଭ୍ୟାସ କରାଯିବା ଆବଶ୍ୟକ ।

ବିଶେଷକରି ବଲାଙ୍ଗିର, ସମ୍ବଲପୁର, ମୟୁରଭଞ୍ଜ, କଳାହାଣ୍ଡି, ସୁନ୍ଦରଗଡ, କେନ୍ଦୁଝର, କୋରାପୁଟ, ଫୁଲବାଣୀ, ମାଲକାନଗିରି ଆଦି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଥିବା କ୍ରୀଡା ଛାତ୍ରାବାସଗୁଡିକ ସମେତ ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ବାଲେଶ୍ୱର ଓ ନୟାଗଡ ଆଦିରେ ଥିବା କ୍ରୀଡା ଛାତ୍ରାବାସଗୁଡିକୁ ତୁରନ୍ତ ପୁନଃ କାର୍ଯ୍ୟକ୍ଷମ କରାଇବାପାଇଁ ମତପ୍ରକାଶ ପାଉଛି । ଏହି ଛାତ୍ରାବାସୀଗୁଡିକରେ ପିଲାମାନଙ୍କର ଅଭ୍ୟାସ ସହିତ ସେମାନଙ୍କୁ ଆବଶ୍ୟକୀୟ ପୁଷ୍ଟିକରଖାଦ୍ୟ ଯୋଗାଇ ଦିଆଯାଇଥାଏ । (ତଥ୍ୟ)