Home Agriculture କୌଶଲ୍ୟାଗଙ୍ଗରେ ଯାଆଁଳ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା

କୌଶଲ୍ୟାଗଙ୍ଗରେ ଯାଆଁଳ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ମତ୍ସ୍ୟଚାଷୀଙ୍କର ଆବଶ୍ୟକତା ଓ ଆଗ୍ରହକୁ ଦେଖି କୌଶଲ୍ୟାଗଙ୍ଗସ୍ଥିତ ସରକାରୀ ମାଛ ଫାର୍ମ ମଧ୍ୟରେ ରାଜ୍ୟର ପ୍ରଥମ ଗିଫ୍ଟ ଟିଲାପିଆ ହ୍ୟାଚେରୀ ବା ଯାଆଁଳ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।

ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ଆନୁକୂଲ୍ୟରେ ପ୍ରତିଷ୍ଠା ହୋଇଥିବା ଏହି ହ୍ୟାଚେରୀ ଦ୍ୱାରା ଆମ ରାଜ୍ୟର ଚାଷୀମାନଙ୍କର ଆବଶ୍ୟକତା ପୂରଣ ସହିତ ଏହି ଅଧିକ ଅମଳକ୍ଷମ ପ୍ରଜାତିର ଯାଆଁଳ ପଡ଼ୋଶୀ ରାଜ୍ୟକୁ ମଧ୍ୟ ପଠାଯାଇପାରିବ । କୌଶଲ୍ୟାଗଙ୍ଗସ୍ଥିତ ସରକାରୀ ମାଛଫାର୍ମ ରାଜ୍ୟର ଏକ ଅଗ୍ରଣୀ ମାଛଫାର୍ମ ।

ଏଠାରେ କାର୍ପ ମାଛ ସହିତ ଅନ୍ୟ କେତେକ ଉନ୍ନତ ପ୍ରଜାତିର ମାଛ ଯାଆଁଳ ଉତ୍ପାଦନ ବ୍ୟତୀତ ଗବେଷଣା ଓ ଚାଷୀଙ୍କୁ ଜ୍ଞାନକୌଶଳ ପ୍ରଦାନ କରାଯାଉଛି । ଚଳିତ ବର୍ଷ ଏହି ସରକାରୀ ଫାର୍ମରେ ୩୫ କୋଟି ଉନ୍ନତ ଗୁଣ୍ଡ ଯାଆଁଳ ଉତ୍ପାଦନ ସହିତ ୧୦୬ ଲକ୍ଷ ଫ୍ରାଏ ଚାଷୀମାନଙ୍କୁ ଯୋଗାଇ ଦିଆଯାଇଛି ।

ଏକ ଉନ୍ନତ ପ୍ରଜାତି ତଥା ଅଧିକ ଅମଳକ୍ଷମ ଗିଫଫ ଟିଲାପିଆ ମାଛ ଗତ ତିନି ବର୍ଷ ଧରି ଓଡ଼ିଶାରେ ପରୀକ୍ଷାମୂଳକ ଭାବେ ଚାଷ କରାଯାଇଥିଲା । ଏହି ମାଛ ସାତମାସ ଚାଷ ଅବଧିରେ ଏକର ପ୍ରତି ଗୋଟିଏ ଚାଷରେ ୩-୪ ମେଟି୍ରକ୍‌ ଟନ୍‌ ଉତ୍ପାଦନ ଯୋଗୁଁ ଅନେକ ଚାଷୀ ଏହି ପ୍ରଜାତିର ମାଛ ଚାଷ ନିମନ୍ତେ ଆଗ୍ରହ ପ୍ରକାଶ କରୁଛନ୍ତି ।

ଏହି ଚାଷରେ ଭାରତ ସରକାରଙ୍କ ଅନୁଶ୍ରୁତ ନୀତି ଅନୁଯାୟୀ ଉନ୍ନତ ଜୈବ ସୁରକ୍ଷା ପଦ୍ଧତି ଅବଲମ୍ବନ କରାଯାଇଥାଏ । ଏଥି ପୂର୍ବରୁ ଏହି ପ୍ରଜାତିର ଉନ୍ନତ ଯାଆଁଳ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା ନିକଟସ୍ଥ ରାଜୀବ ଗାନ୍ଧୀ ଜଳକୃଷି କେନ୍ଦ୍ରରୁ ଅଣାଯାଇ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଥିଲା । ଅଧିକ ଆବଶ୍ୟକତା ହେତୁ କେନ୍ଦ୍ର ସରକାରଙ୍କ ଅନୁମତି କ୍ରମେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଆନୁକୂଲ୍ୟରେ ତଥା ୱାଲର୍ଡ ଫିସ୍‌ ସଂଗଠନର ବୈଷୟିକ ପରାମର୍ଶରେ ରାଜ୍ୟର ଏହି ପ୍ରଥମ ଗିଫ୍ଟ ଟିଲାପିଆ ହ୍ୟାଚେରୀ ପ୍ରତିଷ୍ଠା କରାଯାଇଛି ।

ଏଥିରେ ଗିଫଫ ବା ଉନ୍ନତ ଆନୁବଂଶିକ ପ୍ରଜାତିର କେବଳ ପୁରୁଷ ଲିଙ୍ଗ ବିଶିଷ୍ଟ ଯାଆଁଳ ହର୍‌ମୋନ୍‌ ପ୍ରୟୋଗ ଦ୍ୱାରା ଉତ୍ପାଦନ କରାଯାଉଛି । ଏହା ଦ୍ୱାରା ଅନାବଶ୍ୟକ ପ୍ରଜନନକୁ ରୋକାଯାଇପାରିବ । ଏହି ମାଛ ଏକ ଆକର୍ଷଣୀୟ ଆକୃତି, କେବଳ ମଝି କଣ୍ଟା, ସ୍ୱାଦ ଓ ପୁଷ୍ଟିଯୁକ୍ତ ହେତୁ ଅଧିକ ଲୋକପି୍ରୟ ହୋଇପଡ଼ିଛି ।

ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନର ଆକଳନ ଅନୁଯାୟୀ ଏହା ବିଶ୍ୱରେ ସ୍ୱଳ୍ପ ଚାଷ ଅବଧିରେ ଅଧିକ ଉତ୍ପାଦନ ହେତୁ ସମଗ୍ର ଜଳକୃଷି ଉତ୍ପାଦନର ୬୦ ପ୍ରତିଶତ ସ୍ଥାନ ଅଧିକାର କରିବା ଆଶା କରାଯାଏ । ପ୍ରକାଶଯୋଗ୍ୟ ଯେ ଟିଲାପିଆ ପ୍ରଜାତି ଏକବିଂଶ ଶତାବ୍ଦୀର ମୁଖ୍ୟ ଚାଷ ଉପଯୋଗୀ ପ୍ରଜାତି ରୂପେ ପରିଗଣିତ ହେବ । ଏହି ମାଛ ପ୍ରଜାତି ପୋଖରୀ, କେଜ ବା ପଞ୍ଜୁରୀ ଚାଷ ବ୍ୟତୀତ ବାୟୋଫ୍ଲକ୍‌ ଚାଷ ପଦ୍ଧତି ପାଇଁ ସର୍ବୋତ୍କୃଷ୍ଟ ଅଟେ ।

ବାର୍ଷିକ ୫୦ ଲକ୍ଷ ଯାଆଁଳ ଉତ୍ପାଦନ କ୍ଷମତାସଂପନ୍ନ ଏହି ନୂତନ ଭାବେ ଉଦ୍‌ଘାଟିତ ହ୍ୟାଚେରୀ ନିମନ୍ତେ ଦୁଇ କୋଟି ଟଙ୍କା ବ୍ୟୟ କରାଯାଇଛି ଏବଂ ଏହା ୪୭୦୦ ବର୍ଗଫୁଟ ଅଞ୍ଚଳରେ ଅବସ୍ଥିତ । ଏଥି ସହିତ ଜୈବସୁରକ୍ଷାଯୁକ୍ତ ୪ ଏକର ପରିମିତ ପୋଖରୀ, ବିଜ୍ଞାନାଗାର ଓ ଅତ୍ୟାଧୁନିକ ଯନ୍ତ୍ରପାତି ସଂଯୋଗ କରାଯାଇଛି । ଏଥିରେ ରାଜୀବ ଗାନ୍ଧୀ ଜଳକୃଷି କେନ୍ଦ୍ରରୁ ଅଣାଯାଇଥିବା ରୋଗମୁକ୍ତ ବୃଡଷ୍ଟକର ଉପଯୁକ୍ତ ଲାଳନପାଳନ କରି ପ୍ରଜନନ କାର୍ଯ୍ୟରେ ଲଗାଯାଉଥିବା ହେତୁ ଉନ୍ନତ ଯାଆଁଳ ଚାଷୀଙ୍କୁ ଯୋଗାଇ ଦିଆଯାଇପାରୁଛି । ଗତବର୍ଷ ଏକ ଅସ୍ଥାୟୀ ହ୍ୟାଚେରୀରେ ପରୀକ୍ଷାମୂଳକ ଭାବେ ୪ ଲକ୍ଷ ଗିଫଫ ଯାଆଁଳ ସଫଳତାର ସହ ଉତ୍ପାଦନ କରାଯାଇଥିଲା ।

ଚଳିତ ବର୍ଷ ଅଦ୍ୟାବଧି ୯ ଲକ୍ଷ ଉନ୍ନତ ଗିଫଫ ଯାଆଁଳ ଉତ୍ପାଦନ କରାଯାଇ ଚାଷୀମାନଙ୍କୁ ଯୋଗାଇ ଦିଆଯାଇଛି । ଏହି ନୂତନ ହ୍ୟାଚେରୀ ସଂପୂର୍ଣ୍ଣ କାର୍ଯ୍ୟକାରୀ ହେବା ଦ୍ୱାରା ଚାଷୀମାନଙ୍କର ଆବଶ୍ୟକତା ପୂରଣ ହୋଇପାରିବ । ରାଜ୍ୟରେ ଗିଫ୍ଟ ଯାଆଁଳର ଅଧିକ ଆବଶ୍ୟକତାକୁ ଆଖି ଆଗରେ ରଖି ଘରୋଇ ଉଦ୍ୟୋଗରେ ୪ଟି ଗିଫ୍ଟ ଯାଆଁଳ ଉତ୍ପାଦନ କେନ୍ଦ୍ର ସ୍ଥାପନ ନିମନ୍ତେ ଅନୁମତି ପ୍ରଦାନ କରାଯାଇଛି । ଏହି କେନ୍ଦ୍ରରେ ଉନ୍ନତ ଯାଆଁଳ ଯୋଗାଣ ସହ ଚାଷୀମାନଙ୍କୁ ଗିଫଫ ଚାଷ ନିମନ୍ତେ ଉପଯୁକ୍ତ ତାଲିମ ଓ ବୈଷୟିକ ସହାୟତା ପ୍ରଦାନ ବ୍ୟବସ୍ଥା କରାଯାଉଛି ।

ଏହି ନୂତନ ଗିଫ୍ଟ ହ୍ୟାଚେରୀକୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆନୁଷ୍ଠନିକ ଭାବେ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଆର୍‌. ରଘୁପ୍ରସାଦ ଏବଂ ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତି ରଞ୍ଜନ ପ୍ରଧାନ ଉପସ୍ଥିତ ଥିଲେ । ମତ୍ସ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମଣ କୁମାର ମିଶ୍ର ଏବଂ ହ୍ୟାଚେରୀ ପରିଚାଳକ ତଥା ଜିଲ୍ଲା ମତ୍ସ୍ୟ ଅଧିକାରୀ ଜ୍ଞାନ ରଞ୍ଜନ ସାମଲ ହ୍ୟାଚେରୀ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।