Home News in Odia କୋଳାହଳ ଶୂନ୍ୟ ହେବ ଉପନିର୍ବାଚନ

କୋଳାହଳ ଶୂନ୍ୟ ହେବ ଉପନିର୍ବାଚନ

ନିର୍ବାଚନ କମିଶନଙ୍କ କଟକଣା ଓ କରୋନା ଡରରେ ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନପାଇଁ ହୋଇଥିବା ଉପ ନିର୍ବାଚନ ଏକ ପ୍ରକାର କୋଳାହଳଶୂନ୍ୟ ହେବାକୁ ଯାଉଛି । ଏହାକୁ ଆଖିଆଗରେ ରଖି ବିଭିନ୍ନ ରାଜନୈତିକ ଦଳ ବର୍ଣ୍ଣାଢ୍ୟ ପ୍ରଚାର ପରିବର୍ତ୍ତେ ଘରକୁ ଘର ଲୋକସମ୍ପର୍କ ଅଭିଯାନ ଲାଗି ତରିକା ନିର୍ଦ୍ଧାରଣ କରୁଛନ୍ତି । ଏ କ୍ଷେତ୍ରରେ ସୋସିଆଲ ମିଡିଆର ଗୁରୁତ୍ୱ ଦେଶ୍‍ ବଢିଯାଇଛି ।

ବିଧାନସଭା ପାଇଁ ପ୍ରାର୍ଥୀପତ୍ର ଦାଖଲବେଳେ ବିଭିନ୍ନ ଦଳର ପ୍ରାର୍ଥୀମାନେ ଆକର୍ଷଣୀୟ ଶୋଭାଯାତ୍ରାମାନ କରିଥାନ୍ତି । କରୋନା ମହାମାରୀ ସମୟରେ ଉପନିର୍ବାଚନ ହେଉଥିବାରୁ ପ୍ରାର୍ଥୀପତ୍ର ଦାଖଲବେଳେ ସାଙ୍ଗରେ ଅତି ବେଶିରେ ଦୁଇଜଣଙ୍କୁ ନେଇ ନିର୍ବାଚନ ଅଧିକାରୀଙ୍କ ପାଖକୁ ପ୍ରାର୍ଥୀ ଯାଇପାରିବେ । ଏହି କଟକଣା ଯୋଗୁଁ ପ୍ରାର୍ଥୀପତ୍ର ଦାଖଲ ଦିନ ବଡ ଶୋଭାଯାତ୍ରା ହୋଇପାରିବ ନାହିଁ ।

ସେହିଭଳି ପ୍ରଚାରବେଳେ ଅତି ବେଶିରେ ୫ଜଣ ଲୋକ ଅଭିଯାନରେ ସାମିଲ ହୋଇପାରିବେ । ଏହି କର୍ମୀମାନେ ପୁଣି କୋଭିଡ କଟକଣା ନିୟମ ମାନି ସାମାଜିକ ଦୂରତା ଠାରୁ ଆରମ୍ଭକରି ମାସ୍କ ପିନ୍ଧିବାକୁ ବାଧ୍ୟ । ଏହାଛଡା ଧୂମପାନ, ମଦ୍ୟ ସେବନ ଓ ଛେପ ପକାଇବା ଆଦି ଉପରେ ଯେଉଁ କଟକଣା ରହିଛି ତାହା ବି ସମ୍ପୃକ୍ତ ପ୍ରାର୍ଥୀ ଓ ତାଙ୍କ ସମର୍ଥକମାନେ ମାନିବାକୁ ବାଧ୍ୟ । ବସ୍ତୁତଃ ଏଥିଯୋଗୁଁ ଦଳ ଓ ପ୍ରାର୍ଥୀଙ୍କର ନିର୍ବାଚନୀ ଖର୍ଚ୍ଚ ଆଇନ୍‍ ଆଖିରେ କମ୍‍ ରହିବ । ତେବେ ନିର୍ବାଚନ ସମୟରେ ବିଭିନ୍ନ ଦଳ ପକ୍ଷରୁ କର୍ମୀ ଓ ସମର୍ଥକମାନଙ୍କୁ ବିଭିନ୍ନ ପ୍ରକାର ‘ବୁଷ୍ଟର ଡୋଜ୍‍’ ଦିଆଯିବାର ଯେଉଁ କଳଙ୍କିତ ପରମ୍ପରା ଦୀର୍ଘବର୍ଷ ଧରି ଦଳମତ ନିର୍ବିଶେଷରେ ଚାଲିଆସୁଛି ତାହାର ପ୍ରତିପାଳନ କରାନଗଲେ କର୍ମୀ ଓ ସମର୍ଥକ ଖପା ହେବାର ଆଶଙ୍କା ଅଛି ।

ଗତ ନିର୍ବାଚନଗୁଡିକରେ ନିର୍ବାଚନ କମିଶନଙ୍କ କଟକଣାକୁ ବେଖାତିର କରି ଅନେକ ଗାଡିମୋଟର ବ୍ୟବହୃତ ହୋଇ ଆସୁଥିଲା । ଏଥର ଜଣେ ପ୍ରାର୍ଥୀ ଅତି ବେଶିରେ ଦୁଇଟି ମୋଟରଗାଡି ବ୍ୟବହାର କରିବାକୁ କୁହାଯାଇଥିବାବେଳେ ଏହାକୁ କିଏ କେତେ ମାନୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।

ଉପ ନିର୍ବାଚନରେ ଅନ୍ୟ ଅଞ୍ଚଳରୁ ବହୁ ନେତା ଓ କର୍ମୀ ଯାଇ ଡେରା ପକାଇଥାନ୍ତି । ସମ୍ପୃକ୍ତ ଅଞ୍ଚଳରେ ଥିବା ନେତା ଓ କର୍ମୀଙ୍କ ଘର ଏବଂ ହୋଟେଲମାନଙ୍କ ଖାଦ୍ୟପେୟ ଓ ରହଣିର ବ୍ୟବସ୍ଥା ହୋଇଥାଏ । ଏବେ କରୋନା ଯେଭଳି ତାହାର କରାଳକାୟା ବିସ୍ତାର କରୁଛି ସେଥିରେ ଅନ୍ୟ ଅଞ୍ଚଳରୁ ନେତା ଓ କର୍ମୀ ଉପନିର୍ବାଚନ ହେବାକୁ ଯାଉଥିବା ତିର୍ତ୍ତୋଲ ଓ ବାଲେଶ୍ୱର ଯିବାକୁ କୁନ୍ଥୁ କୁନ୍ଥୁ ହେଉଛନ୍ତି । ସମ୍ପୃକ୍ତ ଅଞ୍ଚଳର କର୍ମୀ ଓ ନେତାମାନେ ବି କରୋନା ଛାନିଆରେ ଅନ୍ୟମାନଙ୍କୁ ଘରେ ପୂରାଇବାକୁ ନାରାଜ । ତେବେ ଆଉ କେତେକ ନେତା ପ୍ରତିଦିନ ଭୁବନେଶ୍ୱରରୁ ତିର୍ତ୍ତୋଲ ଓ ବାଲେଶ୍ୱର ଯାଇ ହାଜିରା ମାରିବାକୁ ପ୍ରସ୍ତୁତ ଅଛନ୍ତି ।

ପ୍ରଚାର ଅଭିଯାନ ଉପରେ କରୋନା କଟକଣାର ଛାଟ ବାଜୁ ଥିବାରୁ ବିଭିନ୍ନ ଦଳ ପକ୍ଷରୁ ଏବେଠାରୁ ସୋସିଆଲ ମିଡ଼ିଆର ବ୍ୟାପକ ବ୍ୟବହାର ଆରମ୍ଭ ହୋଇଛି । ଏଥିଲାଗି ମୋବାଇଲ ଫୋନ୍‍ଗୁଡ଼ିକୁ ବିଭିନ୍ନ ପ୍ରକାରର ବାର୍ତ୍ତା ଆସିବାର ଲାଗିଛି । ଫେସ୍‍ବୁକ୍‍, ହ୍ୱଟ୍ସଆପ୍‍, ଟ୍ୱିଟର ଆଦିର ବହୁଳ ଅପବ୍ୟବହାର ଏହି ଉପନିର୍ବାଚନରେ ହେବାର ଆଶଙ୍କା ଉପୁଜିଛି ।