Home General କୋଭିଡ ସହାୟତା ୨୭ହଜାର କୋଟିରୁ ଅଧିକ

କୋଭିଡ ସହାୟତା ୨୭ହଜାର କୋଟିରୁ ଅଧିକ

ଭୁବନେଶ୍ୱର : କୋଭିଡ ସମୟରେ ଓଡିଶାକୁ କେନ୍ଦ୍ର ସରକାର ୨୭,୪୫୯ କୋଟି ଟଙ୍କାରୁ ଅଧିକ ସହାୟତା ଯୋଗାଇ ଦେଇଛନ୍ତି । ଲୋକସଭାରେ ଏହି ସୂଚନା ପ୍ରଦାନ କରିଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ।

କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡାଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ କୋଭିଡ ମହାମାରୀ ରୋକିବାପାଇଁ କେନ୍ଦ୍ର ସରକାର ଅନେକଗୁଡିଏ ପ୍ୟାକେଜ ଘୋଷଣା କରିଥିଲେ । ଏଥି ମଧ୍ୟରେ ରାଜ୍ୟଗୁଡିକୁ ଆର୍ଥିକ ସହାୟତା ସହିତ ଖାଦ୍ୟ ଶସ୍ୟ, ଔଷଧ ଓ ଟିକା ବାବଦରେ କେନ୍ଦ୍ର ଅନେକ ବ୍ୟୟ କରିଛି ।

ଓଡିଶାକୁ ୨୦୨୦-୨୧ ବର୍ଷରେ ୧୭,୩୭୭ କୋଟି ଟଙ୍କା ସହାୟତା ଦିଆଯାଇଥିବାବେଳେ ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୮୯୯୭ କୋଟି ଟଙ୍କା ଓଡିଶାକୁ କେନ୍ଦ୍ର ଯୋଗାଇ ଦେଇଛି । କୋଭିଡ-୧୯ ର ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପ୍ରସ୍ତୁତି ପ୍ୟାକେଜରେ ଦୁଇବର୍ଷ ଭିତରେ ଓଡିଶା କେନ୍ଦ୍ରରୁ ୪୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଆର୍ଥିକ ସହାୟତା ପାଇଥିବାବେଳେ ଜାତୀୟ ସ୍ୱାସ୍ଥ୍ୟ ମିଶନରେ ପାଖପାଖି ଅଢେଇ ହଜାର କୋଟି ଟଙ୍କା ଓଡିଶାକୁ ଦିଆଯାଇଛି । ଏହାଛଡା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ଏହି ଦୁଇବର୍ଷରେ କେନ୍ଦ୍ର ସରକାର ୨୮୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ଯୋଗାଇଛନ୍ତି ।

ପୁଞ୍ଜି ବ୍ୟୟ ପାଇଁ ଓଡିଶାକୁ କେନ୍ଦ୍ର ଏହି ଦୁଇବର୍ଷରେ ୬୦୦କୋଟି ଟଙ୍କାରୁ ଅଧିକ ସ୍ୱତନ୍ତ୍ର ସହାୟତା ଦେଇଥିବାବେଳେ ଜିଏସ୍‍ଟି କ୍ଷତି ଭରଣା ପାଇଁ ଓଡିଶାକୁ କେନ୍ଦ୍ର ସରକାର ୨୦୨୦-୨୧ ବର୍ଷରେ ୩୮୨୨ କୋଟି ଟଙ୍କାର ସହାୟତା ଦେଇଥିବାବେଳେ ୨୦୨୧-୨୨ ବର୍ଷରେ ୬୪୩୦କୋଟି ଟଙ୍କା ଦେଇଛନ୍ତି । ଅବଶ୍ୟ ଏହି ସହାୟତା ଋଣ ଆକାରରେ ରହିଛି ।

ଏହାଛଡା ରାଜ୍ୟର ସାମଗ୍ରିକ ଆଭ୍ୟନ୍ତରୀଣ ଉତ୍ପାଦର ୨% ପ୍ରତିଶତ ଅର୍ଥାତ୍‍ ୯୭୧୬ କୋଟି ଟଙ୍କା ୨୦୨୦-୨୧ ବର୍ଷରେ କେନ୍ଦ୍ର ସରକାର ଓଡିଶାକୁ ଦେଇଥିବାବେଳେ ଚଳିତ ବର୍ଷର ହିସାବ କିନ୍ତୁ କେନ୍ଦ୍ରମନ୍ତ୍ରୀ ଦେଇପାରି ନାହାନ୍ତି । ଏଥି ସହିତ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ଓଡିଶାର ହିତାଧିକାରୀମାନଙ୍କୁ ୫୭୧ କୋଟି ଟଙ୍କା, କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ଅଂଶ ବାବଦରେ ୧୦୧ କୋଟି ଟଙ୍କା ଏବଂ କୋଠାବାଡି ଓ ନିର୍ମାଣ ଶ୍ରମିକଙ୍କ କଲ୍ୟାଣ ପାଣ୍ଠିକୁ ୩୧୨ କୋଟି ୪୯ ଲକ୍ଷ ଟଙ୍କା ମିଳିଥିବାବେଳେ ଜିଲ୍ଲା ଖଣିଜ ପାଣ୍ଠି ପାଇଁ ବି ପାଖାପାଖି ୧୦୦ କୋଟି ଟଙ୍କା ମିଳିଛି ।

ଏହାଛଡା ପ୍ରଧାନମନ୍ତ୍ରୀ ଗରିବ ଅନ୍ନ ଯୋଜନାରେ ଓଡିଶାକୁ ବ୍ୟାପକ ପରିମାଣର ଖାଦ୍ୟଶସ୍ୟ ମଧ୍ୟ ମିଳିଛି । ସେହିଭଳି ପିଏମ୍‍-କିଷାନ, ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା, ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ, ଆତ୍ମ ନିର୍ଭର ଭାରତ ଆଦିରେ ମଧ୍ୟ ଓଡିଶାର ବହୁ ହିତାଧିକାରୀ ଉପକୃତ ହୋଇଥିବା କେନ୍ଦ୍ରମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟରୁ ଜଣାପଡିଛି । (ତଥ୍ୟ)