Home Covid କୋଭିଡ ସଂକ୍ରମଣ ଭୟରେ ଅଭିଭାବକ ଛାନିଆଁ

କୋଭିଡ ସଂକ୍ରମଣ ଭୟରେ ଅଭିଭାବକ ଛାନିଆଁ

ଭୁବନେଶ୍ୱର : ସୁନ୍ଦରଗଡ ଜିଲ୍ଲାର ଗୋଟିଏ ସ୍କୁଲ ଓ ସମ୍ବଲପୁର ଜିଲ୍ଲାର ଥିବା ସରକାରୀ ମେଡିକାଲ କଲେଜ ଭୀମସାରରେ କେତେକ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ବୋଲି ଚିହ୍ନଟ ହେବା ପରେ ଅନ୍ୟତ୍ର ଭାଳେଣି ପଡିଯାଇଛି । ଏହି କଥା ଜଣାପଡିବା ପରେ ଏବେ ଅଭିଭାବକମାନେ ପିଲାଙ୍କ ନିରାପତ୍ତା ଦୃଷ୍ଟିରୁ ସ୍କୁଲ ପଠାଇବେ କି ନାହିଁ ସେଥିଘେନି ଦ୍ୱନ୍ଦ୍ୱର୍ରେ ପଡିଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ପୂର୍ବରୁ ପର୍ଯ୍ୟାୟକ୍ରମେ ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷାରେ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ବି ଶ୍ରେଣୀ ଖୋଲିଛି । ଏହାପରେ ଏବେ ସରକାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରର ସମସ୍ତ ଶ୍ରେଣୀ ଖୋଲିଛନ୍ତି । ତେବେ ଶ୍ରେଣୀଗୃହ ଖୋଲା ଯାଇଥିଲେ ମଧ୍ୟ ସଂଖ୍ୟାଧିକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଢ଼େର କମ୍‍ ରହୁଛି । ପିଲାମାନଙ୍କ ଅଭିଭାବକମାନେ ସ୍କୁଲ ନ ପଠାଇ ଘରେ ଅନ୍‍ଲାଇନରେ ପାଠ ପଢ଼ାଇବାକୁ ଅଧିକ ପସନ୍ଦ କରୁଛନ୍ତି । କାରଣ ବିଦେଶରେ ଏବଂ ଦେଶର କେତେକ ରାଜ୍ୟରେ ଏବେ ବି କରୋନା ସଂକ୍ରମଣ ବଢ଼ୁଥିବା ଦୃଷ୍ଟିରୁ ଅଭିଭାବକମାନଙ୍କ ମନରେ ପିଲାମାନଙ୍କ ନିରାପତ୍ତା ଘେନି ପ୍ରଶ୍ନବାଚୀ ରହିଛି ।

ତେବେ ଓଡ଼ିଶାରେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟଗୁଡିକ ଖୋଲିବା ପରେ ସେଗୁଡିକରେ ଛାତ୍ରଛାତ୍ରୀଙ୍କର ଉପସ୍ଥାନ ତୁଳନାତ୍ମକ ଭାବେ ଅଧିକ ରହୁଛି । ବିଶେଷକରି ସରକାରୀ ବିଦ୍ୟାଳୟଗୁଡିକରେ ମଧ୍ୟାହ୍ନ ଭୋଜନ ଆକର୍ଷଣ ଥିବାରୁ ପିଲାମାନଙ୍କ ସଂଖ୍ୟା ଅଧିକ ରହୁଥିବା କୁହାଯାଉଛି । ଛୋଟ ପିଲାମାନଙ୍କ ପାଇଁ ଏଯାବତ୍‍ ଟିକାକରଣର ବ୍ୟବସ୍ଥା ହୋଇନାହିଁ । ସାରା ଦେଶରେ ବୟସ୍କମାନଙ୍କୁ ପ୍ରାୟ ୧କୋଟି ୩୦ଲକ୍ଷ ଡୋଜ୍‍ ଟିକା ଦିଆସରିଲାଣି । ଏହାସତ୍ତ୍ୱେ ବି ଅନେକ ଲୋକ ଦ୍ୱିତୀୟ ଡୋଜ ଟିକା ନେବା ପାଇଁ ପଛାଉଛନ୍ତି । କେନ୍ଦ୍ର ସରକାର ଖୁବଶୀଘ୍ର ପିଲାମାନଙ୍କ ପାଇଁ କୋଭିଡ ପ୍ରତିରୋଧକ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାର ସମ୍ଭାବନା ରହିଛି ।

ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡିକରେ କୋଭିଡ ପରିପ୍ରେକ୍ଷୀରେ ଶିକ୍ଷକ / ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ଭୟ ରହୁଛି । ପ୍ରାୟ ସମସ୍ତ ବିଦ୍ୟାଳୟରେ ସେମାନେ ନିଜେ ସତର୍କ ରହିବା ସହିତ ପିଲାମାନଙ୍କୁ ସତର୍କତାମୂଳକ ବ୍ୟବସ୍ଥାରେ ଅଭ୍ୟସ୍ତ କରାଉଛନ୍ତି । ଖେଳ ପିରିୟଡ ନଥିଲେ ମଧ୍ୟ ସଂଖ୍ୟାଧିକ ସ୍ଥାନରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପିଲାମାନେ ଶାରୀରିକ ଦୂରତା ରକ୍ଷା କରୁନଥିବାରୁ ଅଭିଭାବକମାନେ ଚିନ୍ତିତ ।

ବୁର୍ଲାସ୍ଥିତ ଭୀମସାରରେ ଅନେକ ଡାକ୍ତରୀ ଛାତ୍ରଛାତ୍ରୀଙ୍କର କୋଭିଡ ପଜିଟିଭ୍‍ ବାହାରିଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ବି ଗୋଟିଏ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଅନେକ ଛାତ୍ରୀ କୋଭିଡ ସଂକ୍ରମିତ ଥିବା ଜଣାପଡିଛି । ଏହି ଖବର ପ୍ରଚାରିତ ହେବା ପରେ ସ୍ୱାସ୍ଥ୍ୟ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରତିଷେଧମୂଳକ ବ୍ୟବସ୍ଥା ଘେନି ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ତାଗିଦ୍‍ କରିବାରେ ଲାଗିଛନ୍ତି । ଏହାର ପ୍ରଭାବରେ ଏବେ ଅନ୍ୟ ବିଦ୍ୟାଳୟ ଓ କଲେଜଗୁଡିକରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଅପେକ୍ଷାକୃତ କମ୍‍ ରହିବା ଜଣାପଡୁଛି ।

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସୁନ୍ଦରଗଡ ଓ ସମ୍ବଲପୁର ଜିଲ୍ଲା ଘଟଣାର ପ୍ରଭାବ ଅନୁଭୂତ ହୋଇଛି । ପିଲାମାନଙ୍କୁ ଛାଡିବାକୁ ବିଦ୍ୟାଳୟ ଆସୁଥିବା ଅଭିଭାବକମାନେ ଚିନ୍ତା ବ୍ୟକ୍ତ କରୁଥିବା ବେଳେ ଆଉ କେତେକ ପିଲାଙ୍କୁ ବିଦ୍ୟାଳୟ ଛାଡିବାକୁ ଅମଙ୍ଗ ହେଉଛନ୍ତି । ତେଣେ ଯେଉଁ ବିଦ୍ୟାଳୟରେ ପରିଚାଳନାଗତ ତ୍ରୁଟି ଯୋଗୁଁ କୋଭିଡ ସଂକ୍ରମଣ ଭଳି ସ୍ଥିତି ଉପୁଜିବ, ସେଠି ସଂପୃକ୍ତ ପ୍ରଧାନଶିକ୍ଷକ ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବାର ଆଶଙ୍କା ଥିବାରୁ କେତେକ ସ୍ଥଳରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ବି ଆଉ ପିଲାମାନଙ୍କୁ ବିଦ୍ୟାଳୟ ଆସିବାକୁ ବାଧ୍ୟ କରୁନାହାନ୍ତି । (ତଥ୍ୟ)