Home Health କୋଭିଡ ରୋଗୀଙ୍କର ହେବ ଯକ୍ଷ୍ମା ପରୀକ୍ଷା

କୋଭିଡ ରୋଗୀଙ୍କର ହେବ ଯକ୍ଷ୍ମା ପରୀକ୍ଷା

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସବୁ କୋଭିଡ ଆକ୍ରାନ୍ତଙ୍କ ଯକ୍ଷ୍ମା ପରୀକ୍ଷା ଏବଂ ସବୁ ଟିବି ଆକ୍ରାନ୍ତଙ୍କ କୋଭିଡ ପରୀକ୍ଷା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ଘଟଣା ପ୍ରତି ତୀକ୍ଷ୍ମ ନଜର ରଖିବା ସହ ଯଦି କୌଣସି ଘଟଣା ନଜରକୁ ଆସେ ତାହାର ତଥ୍ୟ ଅଗଷ୍ଟ ମାସ ଆରମ୍ଭ ସୁଦ୍ଧା ଜଣାଇବାକୁ କୁହାଯାଇଛି ।

ଏହା ବ୍ୟତୀତ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ବହୁବିଧ ମାର୍ଗଦର୍ଶିକା ଓ ପରାମର୍ଶ ରାଜ୍ୟମାନଙ୍କ ପାଇଁ ଜାରି କରାଯାଇଛି । ଏଥିରେ ସମ୍ପୃକ୍ତ ରୋଗୀମାନଙ୍କର ବାଇ-ଡାଇରେକସନାଲ ସ୍କ୍ରିନିଂ (ପରୀକ୍ଷା) ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ବ୍ୟବସ୍ଥାରେ ପ୍ରତ୍ୟେକ କରୋନା ରୋଗୀଙ୍କ ଟିବି ପରୀକ୍ଷା ଏବଂ ପ୍ରତ୍ୟେକ ଟିବି ରୋଗୀଙ୍କର କରୋନା ସଂକ୍ରମଣ ପରୀକ୍ଷା କରାଯିବାର ବ୍ୟବସ୍ଥା ହୋଇଛି । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏହି ନିୟମ ପାଳନ କରୁଛନ୍ତି ।

କୋଭିଡ କଟକଣା ଜନିତ ପ୍ରଭାବରୁ ୨୦୨୦ରେ ଟିବି ଚିହ୍ନଟ ପ୍ରକ୍ରିୟା ବ୍ୟାହତ ହୋଇଥିଲା । ଫଳରେ ସେହିବର୍ଷ ଟିବି ପରୀକ୍ଷା ସଂଖ୍ୟା ଧାର୍ଯ୍ୟ ଲକ୍ଷ୍ୟରୁ ୨୫% ହ୍ରାସ ପାଇଥିଲା । ତେବେ ପରବର୍ତ୍ତୀ ସମୟରେ ଟିବି ପରୀକ୍ଷା କାର୍ଯ୍ୟକ୍ରମ ଓ ବ୍ୟବସ୍ଥାକୁ ଦେଶବ୍ୟାପୀ ସଘନ ଓ ବ୍ୟାପକ କରାଯାଉଛି ।

ଆହୁରି ମଧ୍ୟ କୋଭିଡ ସଂକ୍ରମଣ ଯୋଗୁଁ ଦେଶରେ ଟିବି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି ବୋଲି ଯାହା କୁହାଯାଇଛି ତାହାର କୌଣସି ପ୍ରମାଣ ନାହିଁ । ଟିବି ଓ କରୋନା (କୋଭିଡ-୧୯) ଉଭୟ ସଂକ୍ରାମକ ଏବଂ ଫୁସ୍ଫୁସ୍କୁ ଆକ୍ରମଣ କରିଥାଏ । ଉଭୟ ରୋଗରେ କାଶ, ଜ୍ୱର, ପ୍ରଶ୍ୱାସ ଦେବାରେ କଷ୍ଟ ଓ କଫ ଆଦିର ଲକ୍ଷଣ ପ୍ରକାଶ ପାଇଥାଏ । ତେବେ ଟିବି ମଣିଷକୁ ସଂକ୍ରମିତ କରିବାକୁ ଅଧିକ ସମୟ ନେଇଥାଏ । ଏହାର ସଂକ୍ରମଣ ଗତି ମନ୍ଥର ଏବଂ ଏହା ମଣିଷକୁ ସମ୍ପୂର୍ଣ୍ଣ ସଂକ୍ରମିତ କରିବାକୁ ଅଧିକ ସମୟ  ନିଏ ।

ଏହା ବ୍ୟତୀତ ଟିବି ଜୀବାଣୁ (ବେସିଲି) ମଣିଷ ଶରୀରରେ ସୁପ୍ତ ଅବସ୍ଥାରେ ରହିପାରେ । ଯେତେବେଳେ ମଣିଷର ରୋଗପ୍ରତିରୋଧ ଶକ୍ତି ଦୁର୍ବଳ ହୁଏ, ସେତିକିବେଳେ ଏହା ସକ୍ରିୟ ହୋଇ ରୋଗ ସୃଷ୍ଟି କରିଥାଏ । କରୋନା ବା କୋଭିଡ-୧୯ ପରିବର୍ତ୍ତୀ କ୍ଷେତ୍ରରେ ସଂକ୍ରମଣର ପର୍ଯ୍ୟାୟ ମଧ୍ୟ ଏକା ପ୍ରକାରର ।

ଭୂତାଣୁ ପ୍ରଭାବରେ କୋଭିଡ ସଂକ୍ରମିତଙ୍କର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇପାରେ କିମ୍ବା ଚିକିତ୍ସା ଅଥବା ଷ୍ଟିରଏଡ୍ ଭଳି ଇମ୍ୟୁନୋ ସପ୍ରେସାଣ୍ଟ ବ୍ୟବହାର ଫଳରେ ପ୍ରତିରୋଧ ଶକ୍ତି କମିଯାଇପାରେ ।

ସାର୍ସ-କୋଭ-୨ ସଂକ୍ରମଣ ଦ୍ୱାରା ମଣିଷ ଟିବି ଦ୍ୱାରା  ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ । ଏହାର କାରଣ ହେଲା ବ୍ଲାକ ଫଙ୍କସ୍ ବା କବକ ଭଳି ଟିବି ବା ଯକ୍ଷ୍ମା ମଧ୍ୟ ଏକ ସୁବିଧାବାଦୀ ସଂକ୍ରାମକ ରୋଗ, ଯାହା ସୁଯୋଗ ପାଇଲେ ଆକ୍ରମଣ କରେ ।