Home Health କୋଭିଡ ପରେ ବଢିବ ହୃଦରୋଗ ଚିକିତ୍ସା

କୋଭିଡ ପରେ ବଢିବ ହୃଦରୋଗ ଚିକିତ୍ସା

ଭୁବନେଶ୍ୱର : କୋଭିଡ ସଂକ୍ରମିତଙ୍କ ମଧ୍ୟରୁ ଅନେକ ହୃଦ୍‍ରୋଗରେ ପଡୁଥିବାରୁ ଆଗାମୀ ଦିନଗୁଡିକ ସ୍ୱାସ୍ଥ୍ୟସେବା ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆମେରିକା, ୟୁରୋପ ଓ ଏସିଆରେ କରାଯାଇଥିବା ଅନୁଧ୍ୟାନରୁ ଜଣାପଡିଛି ଯେ କାର୍ଡିଓ ଭାସ୍କୁଲାର କୋମର୍ବିଡିଟି ସମସ୍ୟା ଥିଲେ କୋଭିଡ ପରେ ହୃଦ୍‍ରୋଗ ଅଧିକାଂଶ କ୍ଷେତ୍ରରେ ଗୁରୁତର ହେଉଛି ।

ଡାକ୍ତରଖାନାରେ ଯେତେ କୋଭିଡ ସଂକ୍ରମିତଙ୍କ ମୃତ୍ୟୁ ଘଟୁଛି ସେମାନଙ୍କ ମଧ୍ୟରୁ ଅନେକ ହୃଦ୍‍ରୋଗର ଶିକାର ହେଉଛନ୍ତି । ଏହାଛଡା କୋଭିଡ ସଂକ୍ରମଣରୁ ମୁକ୍ତ ହୋଇ ଡାକ୍ତରଖାନାରୁ ଫେରିବାପରେ ଅନେକ ବ୍ୟକ୍ତିଙ୍କର ପୁଣି ସ୍ୱାସ୍ଥ୍ୟବସ୍ଥା ବିଗୁଡୁଛି ଏବଂ ପରୀକ୍ଷଣ ପରେ ସେମାନଙ୍କ ମଧ୍ୟରୁ ଢେର ଅଧିକ ସଂଖ୍ୟକ ରୋଗୀ ହୃଦ୍‍ରୋଗରେ ଆକ୍ରାନ୍ତ ଥିବା ଜଣାପଡୁଛି ।

ବିଶେଷଜ୍ଞମାନେ କହୁଛନ୍ତି ଯେ ଯେଉଁମାନଙ୍କର ହୃତ୍‍ପିଣ୍ଡରେ ସମସ୍ୟା ଥାଏ ସେମାନେ ହଠାତ୍‍ ସଂଖ୍ୟାଧିକ କ୍ଷେତ୍ରରେ ଗୁୁରୁତର ହୁଅନ୍ତି ନାହିଁ । କିନ୍ତୁ କୋଭିଡ ସହ ହୃଦରୋଗ କିମ୍ବା କୋଭିଡ ସଂକ୍ରମଣ ପରେ ହୃଦ୍‍ରୋଗ ଯେଉଁମାନଙ୍କର ହେଉଛି ସେମାନଙ୍କର ତୁରନ୍ତ ଉପଚାର କରାନଗଲେ ସମସ୍ୟା ଗୁରୁତର ହେଉଛି । ଏ ପରିପ୍ରେକ୍ଷୀରେ କୋଭିଡରୁ ସୁସ୍ଥ ହେଉଥିବା ସମସ୍ତ ଲୋକ ସ୍ୱାସ୍ଥ୍ୟପ୍ରତି ସଚେତନ ରହି ଯେକୌଣସି ପ୍ରତିକ୍ରିୟା ଶରୀରରେ ଥିଲେ ତୁରନ୍ତ ସେ ସମ୍ପର୍କରେ ବିଶେଷଜ୍ଞ ଡାକ୍ତରମାନଙ୍କ ପରାମର୍ଶ ନେଲେ ସମସ୍ୟା ବିଗିଡିବା ପୂର୍ବରୁ ସୁଧୁରିଯିବ ।

ଅନେକ କୋଭିଡ ସଂକ୍ରମିତଙ୍କର ଶରୀରରେ ଶର୍କରା ଅଂଶ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ତେବେ ଏଥିରେ ଆତଙ୍କିତ ନହୋଇ ଠିକଣା ଚିକିତ୍ସା କଲେ ଏବଂ ଡାକ୍ତରମାନଙ୍କ ପରାମର୍ଶ ମୁତାବକ ଚିକିତ୍ସା ସହିତ ବ୍ୟାୟାମ ଓ ସନ୍ତୁଳିତ ଖାଦ୍ୟ ଖାଇଲେ କରୋନା ପରବର୍ତ୍ତୀ ଅବସ୍ଥାରେ ହୃଦରୋଗକୁ ନିୟନ୍ତ୍ରିତ କରିହେବ ବୋଲି କୁହାଯାଇଛି ।

କରୋନା ସଂକ୍ରମଣ ସହିତ ରକ୍ତର ଅମ୍ଳଜାନ ସ୍ତର କମ୍‍ ହେବା ଏବଂ ଏଥିଯୋଗୁଁ ରକ୍ତ ସଞ୍ଚାଳନ ପ୍ରକ୍ରିୟାରେ ବାଧା ସୃଷ୍ଟିହେବା ସଂଗେ ସଂଗେ ଅନ୍ୟାନ୍ୟ ରସାୟନିକ ପ୍ରତିକ୍ରିୟା ଦେଖାଦେଇ ମଧୁମେହ, ରକ୍ତଚାପ ସହିତ ହୃଦରୋଗ ଉପୁଜିବାର ସମ୍ଭବନା ଥିବା ଦୃଷ୍ଟିରୁ ଯେଉଁମାନଙ୍କୁ କୋଭିଡ ହୋଇଛି ଓ ନହୋଇଛି ସେମାନେ ଦିନଚର୍ଯ୍ୟାକୁ ଶୃଙ୍ଖଳିତ କରିବା ସହିତ ଶରୀର ଉପଯୋଗୀ ସନ୍ତୁଳିତ ଖାଦ୍ୟ ଖାଇବାପାଇଁ ବିଶେଷଜ୍ଞମାନେ ମତ ଦେଉଛନ୍ତି । ତେବେ ମୋଟାମୋଟି ଭାବେ ବର୍ଷକ ଭିତରେ ବିଶ୍ୱର ବିଭିନ୍ନ ଅଞ୍ଚଳରେ କୋଭିଡ ପରିପ୍ରେକ୍ଷୀରେ ଡାକ୍ତରଖାନାଗୁଡିକରେ ହୃଦରୋଗୀଙ୍କ ସଂଖ୍ୟା ତୁଳାତ୍ମକ ଭାବେ ବିଗତବର୍ଷମାନଙ୍କ ଅପେକ୍ଷା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)