Home Covid କୋଭିଡ ପରୀକ୍ଷାର ଦର ବୃଦ୍ଧି

କୋଭିଡ ପରୀକ୍ଷାର ଦର ବୃଦ୍ଧି

ଭୁବନେଶ୍ୱର : କରୋନା ନମୂନା ପରୀକ୍ଷାପାଇଁ ସରକାର ଦରଧାର୍ଯ୍ୟ କରିଥିବାବେଳେ ଏହାକୁ କିନ୍ତୁ ଅଧିକାଂଶ ସ୍ଥାନରେ ଘରୋଇ ପରୀକ୍ଷାଗାରଗୁଡିକ ମାନୁ ନାହାନ୍ତି । ଲୋକଙ୍କ ବିକଳିଆ ଅବସ୍ଥା ଦେଖି ପରୀକ୍ଷା ଦରବୃଦ୍ଧି ସହିତ ଘରୁ ନମୂନା ସଂଗ୍ରହ ନାଁରେ ଲୋକଙ୍କୁ ଏକ ପ୍ରକାର ଲୁଟୁଛନ୍ତି ।

କରୋନାର ଭୟାବହତାକୁ ଦେଖି ଯାହାକୁ ଥଣ୍ଡା, କାଶ କିମ୍ବା ଜ୍ୱର ହେଉଛି ସିଏ ଏବେ ନିଜର ପରୀକ୍ଷା ପାଇଁ ଧାଉଁଛି । ତେବେ ସରକାରୀ ଡାକ୍ତରଖାନାର ପରୀକ୍ଷା କେନ୍ଦ୍ରରେ ଲୋକ ଭିଡ ଦେଖି ସଂକ୍ରମଣ ଭୟରେ ଲୋକେ ଘରୋଇ ପରୀକ୍ଷାଗାରକୁ ପସନ୍ଦ କରୁଛନ୍ତି । କିନ୍ତୁ ଏଥିରେ ସବୁଠାରୁ ବଡ ପ୍ରତିବନ୍ଧକ ସାଜିଛି ଘରୋଇ ପରୀକ୍ଷାଗାରକୁ ଯିବା । ଜ୍ୱର ପୀଡିତ ବ୍ୟକ୍ତିଙ୍କୁ ଲକ୍‍ଡାଉନ୍‍ ସମୟରେ ଡାକ୍ତରଖାନା ନେବାପାଇଁ ଗାଡିଟିଏ ମିଳିବା କଷ୍ଟକର ହୋଇପଡୁଛି । ଏପରିକି କେତେକ ସ୍ଥଳରେ ବନ୍ଧୁ ଓ ପରିବାର ସଦସ୍ୟ ବି କରୋନା ଭୟରେ ସାଙ୍ଗରେ ନେବାକୁ ରାଜି ହେଉନାହାନ୍ତି ।

ତେଣୁ ଲୋକେ ବାଧ୍ୟହୋଇ ଘରୁ କିଭଳି ନମୂନା ସଂଗ୍ରହ ହେବ ସେଥିପାଇଁ ବିଭିନ୍ନ ଘରୋଇ ପରୀକ୍ଷାଗାରକୁ ଯୋଗାଯୋଗ କରୁଛନ୍ତି । ଏଥିପାଇଁ ମୋଟା ଅଙ୍କର ପାଉଣା ଗଣିବାକୁ ପଡୁଛି । ଆରଟି-ପିସିଆର ପରୀକ୍ଷାପାଇଁ ସରକାର ୪୦୦ ଟଙ୍କା ଦରଧାର୍ଯ୍ୟ କରିଥିବାବେଳେ ଘରୁ ଆସି ନମୂନା ସଂଗ୍ରହ ପାଇଁ ୧୦୦୦ ରୁ ୧୨୦୦ ଟଙ୍କା ଦେବାକୁ ପଡୁଛି । ତେବେ ଯଦି କିଏ ୨/୩ ଘଣ୍ଟା ଭିତରେ ରିପୋର୍ଟ ଚାହୁଁଛି ତେବେ ତାକୁ ପ୍ରାୟ ୩ହଜାର ଟଙ୍କା ଦେବାକୁ ପଡୁଛି । ସେହିଭଳି ଆଣ୍ଟିଜେନ୍‍ ପରୀକ୍ଷାପାଇଁ ୨୦୦ ରୁ ୫ଟଙ୍କା ଦାବି କରୁଛନ୍ତି ।

ବର୍ତ୍ତମାନ ସୁଦ୍ଧା ଘରୁ ନମୂନା ସଂଗ୍ରହ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇ ନଥିବାରୁ ସନ୍ଦିଗ୍ଧ ସଂକ୍ରମିତମାନେ ବାଧ୍ୟହୋଇ ଘରୋଇ କ୍ଲିନିକର ସହାୟତା ନେଇ ଘରୁ ନମୂନା ନେବାର ବ୍ୟବସ୍ଥା କରୁଛନ୍ତି । ଏହାର ଆଉଗୋଟିଏ କାରଣ ହେଉଛି ସରକାରୀ ଡାକ୍ତରଖାନାରେ ଆରଟିପିସିଆର ନମୂନା ଦେଲେ ରିପୋର୍ଟ ଆସିବାକୁ ୨/୩ ଦିନ ଲାଗିଯାଉଛି । ହେଲେ ଘରୋଇ ସଂସ୍ଥା ଗୋଟିଏ ବେଳାରେ ରିପୋର୍ଟ ମୋବାଇଲକୁ ପଠାଇ ଦେଉଛନ୍ତି । ଫଳରେ ସଂକ୍ରମିତ ଜଣାପଡୁଥିବା ରୋଗୀର ତୁରନ୍ତ ପରୀକ୍ଷା ହୋଇପାରୁଛି ।

କେବଳ କୋଭିଡ ନମୂନା ପରୀକ୍ଷା ନୁହେଁ ରାଜଧାନୀର ବିଭିନ୍ନ ଘରୋଇ ଡାକ୍ତରଖାନାରେ ଏବେ ଆଇସିୟୁ ଦର ଆକାଶଛୁଆଁ ହୋଇଛି । ସରକାର ଆଇସିୟୁ ପାଇଁ ନିର୍ଦ୍ଦିଷ୍ଟ ଦର ଧାର୍ଯ୍ୟ କରିଥିବାବେଳେ କେତେକ ଘରୋଇ ଡାକ୍ତରଖାନା ଏହାଠାରୁ ୨/୩ଗୁଣ ଦର ନେଉଛନ୍ତି । ଯଦି କେହି ସରକାରୀ ଦର କଥା ଉଠାଉଛି ତେବେ ରୋଗୀ ଫେରାଇ ନେବାକୁ ପରାମର୍ଶ ଦେବା ସହିତ ଅନ୍ୟ କୌଣସି ଠାରେ ଆଇସିୟୁ ଶଯ୍ୟା ଖାଲିନାହିଁ ବୋଲି ପରୋକ୍ଷରେ ଜଣାଇ ଦେଉଛନ୍ତି ।

ମୋଟାମୋଟି ଭାବେ କରୋନା ନମୂନା ପରୀକ୍ଷାଠାରୁ ଆରମ୍ଭକରି ଡାକ୍ତରଖାନାରେ ଚିକିତ୍ସା ପର୍ଯ୍ୟନ୍ତ ଲୋକଙ୍କ ବିକଳିଆ ଓ ଛାନିଆ ଅବସ୍ଥାକୁ ଦେଖି ପରୀକ୍ଷାଗାର ଓ ଡାକ୍ତରଖାନାଗୁଡିକ ଏକ ପ୍ରକାର ଶୋଷଣ ଚଳାଇଛନ୍ତି । ସରକାରଙ୍କ ଦର ବିଜ୍ଞପ୍ତି ଓ ପୁଲିସ୍‍ର କାର୍ଯ୍ୟାନୁଷ୍ଠାନ ଧମକ ଏମାନଙ୍କ ନିକଟରେ କିଛି କାମକରୁନଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)